ଧରା ପଡ଼ିଲା ମିଛ ପିଲା ଚୋରି: ଝିଅ ହେଲା ବୋଲି ଶାଶୂ ଓ ଜ୍ୱାଇଁ ରଚିଥିଲେ ଷଡ଼ଯନ୍ତ୍ର!

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଧରା ପଡ଼ିଲା ଶାଶୂ ଓ ଜ୍ୱାଇଁଙ୍କ ଚାଲ୍‌ବାଜୀ। ଝିଅ ଜନ୍ମ ହେଲା ବୋଲି ବିକ୍ରି କରିଦେବା ପାଇଁ ସେମାନେ ପୂର୍ବରୁ କରିଥିଲେ ଷଡ଼ଯନ୍ତ୍ର। ସମୟ ସୁବିଧା ଦେଖି ଶାଶୂ ଓ ଜ୍ୱାଇଁ ମିଳିମିଶି ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଆଉ ସମସ୍ତଙ୍କ ଆଗରେ ପୋଖତ କଳାକାରଙ୍କ ଭଳି ଅଭିନୟ କରୁଥିଲେ। ଏପରିକି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ଅଭିଯୁକ୍ତ ଗଜେନ୍ଦ୍ର ତାଣ୍ଡି। ଆଜି ସୁବର୍ଣ୍ଣପୁର ପୁଲିସ ଏହି ମିଛ ପିଲା ଚୋରିର ପର୍ଦ୍ଦାଫାସ କରିଛି। […]

Subarnapur

Manoranjan Sial
  • Published: Monday, 22 November 2021
  • , Updated: 22 November 2021, 09:34 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଧରା ପଡ଼ିଲା ଶାଶୂ ଓ ଜ୍ୱାଇଁଙ୍କ ଚାଲ୍‌ବାଜୀ। ଝିଅ ଜନ୍ମ ହେଲା ବୋଲି ବିକ୍ରି କରିଦେବା ପାଇଁ ସେମାନେ ପୂର୍ବରୁ କରିଥିଲେ ଷଡ଼ଯନ୍ତ୍ର। ସମୟ ସୁବିଧା ଦେଖି ଶାଶୂ ଓ ଜ୍ୱାଇଁ ମିଳିମିଶି ଶିଶୁ କନ୍ୟାକୁ ବିକ୍ରି କରିଦେଇଥିଲେ। ଆଉ ସମସ୍ତଙ୍କ ଆଗରେ ପୋଖତ କଳାକାରଙ୍କ ଭଳି ଅଭିନୟ କରୁଥିଲେ। ଏପରିକି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ଅଭିଯୁକ୍ତ ଗଜେନ୍ଦ୍ର ତାଣ୍ଡି। ଆଜି ସୁବର୍ଣ୍ଣପୁର ପୁଲିସ ଏହି ମିଛ ପିଲା ଚୋରିର ପର୍ଦ୍ଦାଫାସ କରିଛି। ମିଛ ଚୋରି ଅଭିଯୋଗରେ ପୁଲିସ ଜ୍ୱାଇଁ ଓ ଶାଶୂକୁ ଗିରଫ କରିଛି।

ପୂରା ଘଟଣାଟି ଏମିତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ଶୁକ୍ରବାର ପ୍ରସବ ବେଦନା ପାଇଥିଲେ। ତାଙ୍କୁ ତାଙ୍କ ସ୍ୱାମୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିଦିନ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ତା’ପର ଦିନ ଅର୍ଥାତ ଶନିବାର ସକାଳେ ସନ୍ତୋଷିନୀ ଶୌଚାଳୟ ଯାଇଥିଲେ। ଠିକ୍‌ ଏହି ସମୟରେ ଟିକା ଦେବା ବାହାନାରେ କୁନି ଝିଅକୁ ଧରି ସନ୍ତୋଷିନୀଙ୍କ ମାଆ କୁନ୍ତି ଜାଲ୍‌ ବାହାରକୁ ଯାଇଥିଲେ। ସେଠାରୁ ତାଙ୍କଠାରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।

ମେଡ଼ିକାଲ୍‌ରୁ ପିଲା ଚୋରି ହୋଇଥିବା ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଜେନ୍ଦ୍ର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ କିନ୍ତୁ ଗଜେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କ ସମୁଦୁଣୀଙ୍କ ଉପରେ ସନ୍ଦେହ କରୁଥିଲେ। ପିଲା ଚୋରିରେ ତାଙ୍କ ସମୁଦୁଣୀଙ୍କ ହାତ ଥିବା ପୁଲିସ ପାଖରେ ଅଭିଯୋଗ କରିଥିଲେ।

ସେପଟେ ପିଲା ଚୋରି ସମୟରେ ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଥିଲା। ସେଥିରେ ଦେଖିବାକୁ ମିଳିଥିଲା, ଜଣେ ମହିଳାଙ୍କୁ କୁନ୍ତି ନିଜ ନାତୁଣୀକୁ ଦେଇ ଦେଉଛନ୍ତି। ଏହା ପରେ ପୁଲିସ କୁନ୍ତି ଓ ତାଙ୍କ ଜ୍ୱାଇଁକୁ ଅଟକ ରଖି ଛାନ୍‌ଭିନ୍‌ ଚଳାଇଥିଲା। ସୋମବାର ପ୍ରତାପପୁର-ଶରଧାପୁର ରାସ୍ତାରେ ଜଣେ ଶିଶୁ କନ୍ୟା ପଡ଼ିଥିବା ଖବର ପାଇଥିଲା ପୁଲିସ। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ପୁଲିସ ଏନେଇ ସନ୍ତୋଷିନୀକୁ ଡାକି ଉଦ୍ଧାର ହୋଇଥିବା ଶିଶୁ କନ୍ୟାକୁ ଦେଖାଇଥିଲା। ସନ୍ତୋଷିନୀ ନିଜ ଶିଶୁ କନ୍ୟାକୁ ଚିହ୍ନିଥିଲେ। ଶେଷରେ ମାଆ କୋଳକୁ ଫେରିଥିଲା ଗାଏବ ହୋଇଥିବା ଶିଶୁ କନ୍ୟା।

ଏହି ମାମଲାରେ ସୁବର୍ଣ୍ଣପୁର ପୁଲିସ ସନ୍ତୋଷିନୀଙ୍କ ମାଆ ପନ୍ତି ଓ ସ୍ୱାମୀ ଗଜେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଚୋରି ନାଟକ ରଚିଥିବା ଶାଶୂ ଓ ଜ୍ୱାଇଁ କାହାକୁ ଶିଶୁ କନ୍ୟା ବିକିଥିଲେ? କେଉଁ ବ୍ୟକ୍ତି କିଣିଥିଲେ ଶିଶୁ କନ୍ୟା? ସିଏ ଏବେ କେଉଁଠି ଅଛିନ୍ତି? ସେ କାହିଁକି ରାସ୍ତାରେ ପକାଇଦେଇଥିଲା ଶିଶୁ କନ୍ୟାକୁ? ଏପରି ଅନେକ ପ୍ରଶ୍ନବାଚୀ ଏବେ ସାଧାରଣରେ ଉଙ୍କି ମାରିଛି। ପୁଲିସ  ବୋଧହୁଏ ଭବିଷ୍ୟତରେ ଏହାର ଉତ୍ତର ଦେବ।

 

Related story