ବାଃ ବାଃରେ ବ୍ୟବସ୍ଥା: କାର୍ଡ ନଥାଇ ବି ଚାଉଳ ଉଠାଉଛନ୍ତି ୧୯ ଲକ୍ଷ ପରିବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଃ ବାଃରେ ଆମ ପିଡ଼ିଏସ୍‌ ବ୍ୟବସ୍ଥା। ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା ରାସନ୍‌ କାର୍ଡରେ ଚାଉଳ ଉଠାଉଛନ୍ତି ପ୍ରାୟ ୧୯ ଲକ୍ଷ ପରିବାର। ଏଣେ କିନ୍ତୁ ତାଲିକାକୁ ଉଠିପାରୁନି, ବହୁ ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ, ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ଏହା ପଦାକୁ ଆସିଛି। ଫୁଡ୍ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୭ ଡିସେମ୍ବର […]

Ration Card

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 08:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଃ ବାଃରେ ଆମ ପିଡ଼ିଏସ୍‌ ବ୍ୟବସ୍ଥା। ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା ରାସନ୍‌ କାର୍ଡରେ ଚାଉଳ ଉଠାଉଛନ୍ତି ପ୍ରାୟ ୧୯ ଲକ୍ଷ ପରିବାର। ଏଣେ କିନ୍ତୁ ତାଲିକାକୁ ଉଠିପାରୁନି, ବହୁ ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ, ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ଏହା ପଦାକୁ ଆସିଛି।

ଫୁଡ୍ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବଣ୍ଟନ ହୋଇଥିବା ରାସନକାର୍ଡ ସଂଖ୍ୟା ତା’ ପର ବର୍ଷ ଆରମ୍ଭର ଓପନିଂ ବାଲାନ୍ସ ତଥ୍ୟ ସହ ମେଳ ଖାଉନି। ଯାହାକି ୧୩ଟି ଜିଲ୍ଲାରେ ପରିଲକ୍ଷିତ ହୋଇଛି। ଏହାର ସତ୍ୟତା ଯାଞ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତା’ସହ ୮ଟି ଜିଲ୍ଲାରେ ଏବେ ବି ୧୯ଲକ୍ଷ ୬୧ ହଜାର ଲୋକ ଫାଇନାଲ ଲିଷ୍ଟରେ ସ୍ଥାନ ପାଇଥିଲେ ମଧ୍ୟ ସେମାନଙ୍କୁ ରାସନକାର୍ଡ ଯୋଗାଇ ଦିଆଯାଇନାହିଁ। କିନ୍ତୁ ସେମାନେ ଖାଦ୍ୟ ଶସ୍ୟ ନେଉଛନ୍ତି। ଏମିତିକି ମୃତ ବ୍ୟକ୍ତିଙ୍କ ନାଁ ଏବେ ବି ବହୁ ସ୍ଥାନରେ ତାଲିକାରୁ କଟିନାହିଁ। ସେପଟେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ବି ଅଜବ। ଜନସଂଖ୍ୟା ବଢୁଛି, ତେଣୁ ଯେଉଁମାନେ ତାଲିକାରୁ ବାଦ୍ ପଡିଛନ୍ତି ରାଜ୍ୟ ସରକାର ସେମାନଙ୍କ ପାଇଁ ଯୋଜନା କରିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ବାରିପଦା ସହର ୨୨ ନମ୍ବର ଓ୍ୱାର୍ଡ କୁଷ୍ଠ ରୋଗୀ କୋଲନୀ। ଏଠି ନୂଆଁଣିଆ ଖପର ଘର ପିଣ୍ଢାରେ ଭାଗ୍ୟକୁ ଆଦରି ବଞ୍ଚିଛନ୍ତି ପଞ୍ଚମୀ। ମାଗି ଯାକି ଚଳୁଛନ୍ତି। କୁଣ୍ଠ ରୋଗରେ ଆକ୍ରାନ୍ତ ପଞ୍ଚମୀଙ୍କ ନାଁ କିନ୍ତୁ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ଚଢ଼ି ପାରିଲାନି। ସେହିପରି ଆଉ ଜଣେ ହେଉଛନ୍ତି ବାରିପଦା ରଘୁନାଥପୁରର ଅନାଦି ପଢ଼ିହାରୀ। ବାପା ଥିଲାବେଳେ ରାସନକାର୍ଡଟିଏ ଥିଲା। ହେଲେ ସେ ଆରପାରିକୁ ଚାଲିଯିବା ପରେ କଟିଗଲା। ଏବେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।

ନୂଆପଡ଼ା ଜିଲ୍ଲା ତରବୋଡ଼ର ଗାଁର କେମନ୍ତୀ ସାହାଣୀ। ରୋଜଗାରିଆ ସ୍ୱାମୀ ଅକାଳରେ ଚାଲିଗଲା ପରେ ଏବେ ଏକା ବୋହିଚାଲିଛନ୍ତି ଚାରି ପ୍ରାଣୀ କୁଟୁମ୍ୱ। ରାସନକାର୍ଡଟିଏ ପାଇଁ କେତେ ଥର ସରପଞ୍ଚଙ୍କୁ ଦରଖାସ୍ତ ଦେଲେଣି। ବାରମ୍ୱାର ପଞ୍ଚାୟତ ଅଫିସ୍‌ ଦୌଡ଼ି ନୟାନ୍ତ ହେଲେଣି। ହେଲେ ଏପର୍ଯ୍ୟନ୍ତ ରାସନ୍‌ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି।

Related story