ଯେଉଁ ରାସ୍ତା ଦେଖିବାକୁ ଯାଇଥିଲେ, ସେହି ରାସ୍ତାରେ ଫସିଗଲା ବିଡିଓଙ୍କ ଗାଡ଼ି

ଜଳେଶ୍ଵର(ଅଜିତ ଦାସ): ରାସ୍ତା ଦେଖିବାକୁ ଯାଇଥିଲେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର। ହେଲେ ସେହି ରାସ୍ତାରେ ଫସିଗଲା ବାବୁଙ୍କ ଗାଡ଼ି। ଆଉ ବାହାରି ପାରିଲା ନାହିଁ। ନାକେଦମ୍‌ ହେଲେ ବାବୁଙ୍କ ଡ୍ରାଇଭର। ଶେଷରେ ଗାଁ ଲୋକେ ବିଡିଓଙ୍କ ଗାଡ଼ିକୁ ଠେଲି ଠେଲି ବାହାର କଲେ। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଞ୍ଚଳରୁ। ଜଳେଶ୍ଵର ବ୍ଲକ୍‌ ଆରଆରପୁର ପଞ୍ଚାୟତର ମାଳଗଡ଼ିଆରୁ ବାରକୋଣା ଗାଁ ପର୍ଯ୍ୟନ୍ତ ରାସ୍ତା ଦୟନୀୟ ହୋଇଛି। କାଦୁଅ ରାସ୍ତାରେ ଚାଲି ଚାଲି […]

BDO

Manoranjan Sial
  • Published: Thursday, 14 July 2022
  • , Updated: 14 July 2022, 07:58 PM IST

ଜଳେଶ୍ଵର(ଅଜିତ ଦାସ): ରାସ୍ତା ଦେଖିବାକୁ ଯାଇଥିଲେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର। ହେଲେ ସେହି ରାସ୍ତାରେ ଫସିଗଲା ବାବୁଙ୍କ ଗାଡ଼ି। ଆଉ ବାହାରି ପାରିଲା ନାହିଁ। ନାକେଦମ୍‌ ହେଲେ ବାବୁଙ୍କ ଡ୍ରାଇଭର। ଶେଷରେ ଗାଁ ଲୋକେ ବିଡିଓଙ୍କ ଗାଡ଼ିକୁ ଠେଲି ଠେଲି ବାହାର କଲେ। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଞ୍ଚଳରୁ।

ଜଳେଶ୍ଵର ବ୍ଲକ୍‌ ଆରଆରପୁର ପଞ୍ଚାୟତର ମାଳଗଡ଼ିଆରୁ ବାରକୋଣା ଗାଁ ପର୍ଯ୍ୟନ୍ତ ରାସ୍ତା ଦୟନୀୟ ହୋଇଛି। କାଦୁଅ ରାସ୍ତାରେ ଚାଲି ଚାଲି ଯିବା କଷ୍ଟକର। ସେହି ରାସ୍ତାରେ ଆମ୍ୱୁଲାନ୍ସ କେମିତି ଯିବ? ଯେଉଁଥିପାଇଁ ବୁଧାବାର ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ଆମ୍ୱୁଲାନ୍ସ ନେବାକୁ ଯାଇ ଅଧା ରାସ୍ତାରେ ଅଟକି ରହିଥିଲା। ଗାଁ ଲୋକମାନେ ରୋଗୀଙ୍କୁ ଖଟିଆରେ ବୋହି ନେଇଥିଲେ। ତା’ପରେ ଆମ୍ୱୁଲାନ୍ସରେ ରୋଗୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଗୁରୁବାର ଜଳେଶ୍ୱର ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ସ୍ମୃତି ରଞ୍ଜନ ମଲ୍ଲିକ ଉକ୍ତ ଗାଁକୁ ଯାଇଥିଲେ। ହେଲେ ରାସ୍ତା ମଝିରେ ବିଡିଓଙ୍କ ଗାଡ଼ିଟି ଫସି ଯାଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କରିଥିଲେ ମଧ୍ୟ କାଦୁଅ ସରସର ରାସ୍ତାରୁ ଗାଡ଼ି ବାହାର କରିପାରିଲେନି। ଶେଷରେ ଗାଁ ଲୋକେ ବିଡିଓଙ୍କ ଗାଡିଟିକୁ ପେଲି ପେଲି ବାହାର କରିଥିଲେ। ଏହା ପରେ ସ୍ଥାନୀୟ ଲୋକେ ଗାଁ ରାସ୍ତାରେ ଚାଲି ଚାଲି ଯିବା ପାଇଁ ବିଡିଓ ମହାଶୟଙ୍କୁ କହିଥିଲେ। ମାତ୍ର ବିଡିଓ ଏଥିପାଇଁ ରାଜି ହୋଇନଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ।

ଜଳେଶ୍ୱର ଥାନା ପୁଲିସ ଖବର ପାଇ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ରାସ୍ତା ମରାମତି ନହେଲା ପର୍ଯ୍ୟନ୍ତ ବିଡିଓଙ୍କୁ ଛାଡ଼ିବୁ ନାହିଁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଶେଷରେ ବିଡିଓ ଗାଁ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଥିଲେ। ରାସ୍ତା ମରାମତି ନେଇ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଗାଁ ଲୋକେ ବିଡିଓଙ୍କୁ ଛାଡ଼ିଥିବା ଜଣାପଡ଼ିଛି।

Related story