ବିଡିଓ ଠୁଳ କରିଛନ୍ତି ୫ କୋଟିର ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ତା’ ମଧ୍ୟରେ ରହିଛି ୨୪ଟି ପ୍ଲଟ୍, ଯେଉଁଗୁଡ଼ିକ କଟକ ଓ କେନ୍ଦ୍ରାପଡ଼ାର ପ୍ରମୁଖ ସ୍ଥାନମାନଙ୍କରେ ରହିଛି। ଏହି ସମସ୍ତ ପ୍ଲଟର ଆରଏସ୍‌ଡିଆର ମୂଲ୍ୟ ପ୍ରାୟ ୭୬.୪ ଲକ୍ଷ ଟଙ୍କା ରହିଛି। ତେବେ ପ୍ରକୃତ ମୂଲ୍ୟ ଆହୁରି ଢେର ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ […]

BDO

Jitendra Garnayak
  • Published: Saturday, 18 June 2022
  • , Updated: 18 June 2022, 09:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ତା' ମଧ୍ୟରେ ରହିଛି ୨୪ଟି ପ୍ଲଟ୍, ଯେଉଁଗୁଡ଼ିକ କଟକ ଓ କେନ୍ଦ୍ରାପଡ଼ାର ପ୍ରମୁଖ ସ୍ଥାନମାନଙ୍କରେ ରହିଛି। ଏହି ସମସ୍ତ ପ୍ଲଟର ଆରଏସ୍‌ଡିଆର ମୂଲ୍ୟ ପ୍ରାୟ ୭୬.୪ ଲକ୍ଷ ଟଙ୍କା ରହିଛି। ତେବେ ପ୍ରକୃତ ମୂଲ୍ୟ ଆହୁରି ଢେର ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ଏନେଇ ତଦନ୍ତ ଜାରି ରହିଛି।

ବିଡିଓ ଅଶ୍ୱିନୀ ଦାସଙ୍କର କଟକ ୪୨ ମୌଜାର କାଳପଡ଼ାରେ ଏକ ତିନି ମହଲା କୋଠା ସହିତ ଇଟା ଫ୍ୟାକ୍ଟ୍ରି ଅଛି। ଏ ଦୁଇଟିର ମୂଲ୍ୟ ୧.୨୨ କୋଟି ଟଙ୍କାରୁ ଅଧିକ ହେବ। ତେବେ ଏଗୁଡ଼ିକ ପ୍ରକୃତ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ କାର୍ଯ୍ୟ ଜାରି ରହିଛି।

ସେହିପରି ଝିଙ୍କିରିଆ, ବ୍ରହ୍ମପୁର ଓ କଟକରେ ତାଙ୍କର ଗୋଟିଏ ଲେଖାଏଁ ଦୁଇ ମହଲା କୋଠା ରହିଛି। ଏ ସବୁ ଘରର ମୂଲ୍ୟ ୧କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତାଙ୍କର ବ୍ୟାଙ୍କ ଜମା ଓ ବୀମା ଜମା ମିଶି ୭୩.୯୧ ଲକ୍ଷ ଟଙ୍କା ରହିଛି।

ବିଡିଓ ଶ୍ରୀ ଦାସଙ୍କ ଠାରୁ ନଗଦ ୧ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ ୪୨.୫୭ ଲକ୍ଷ ଟଙ୍କାର ସୁନା (୧.୦୨୮କେଜି) ଓ ରୁପା (୩.୬୩୨ କେଜି) ଗହଣା, ୪୦ ଲକ୍ଷରୁ ଅଧିକ ମୂଲ୍ୟର ୪ଟି ଚାରି ଚକିଆ ଗାଡ଼ି (ଇନୋଭା, ସ୍କୋର୍ପିଓ, ଏମ୍ଜି ହେକ୍ଟର ଓ ନାନୋ) ଏବଂ ୩୯.୮୧ ଲକ୍ଷ ଟଙ୍କାର ୩ଟି ବାଇକ୍ ଓ ଅନ୍ୟ ଘର ଉପକରଣ ଠାବ କରାଯାଇଛି। ଖବର ଲେଖାଯିବା ସୁଦ୍ଧା ତଦନ୍ତ ଜାରି ରହିଛି। ଶ୍ରୀ ଦାସଙ୍କ ସମ୍ପତ୍ତିର ପରିମାଣ ବଢ଼ିପାରେ ବୋଲି ଭିଜିଲାନ୍ସ ଆକଳନ କରିଛି।

ଭିଜିଲାନ୍ସର ୬ଟି ଟିମ୍ ଆଜି ବିଡିଓ ଶ୍ରୀ ଦାସଙ୍କ ୬ଟି ଠିକଣାରେ ଏକ ସମୟରେ ଚଢ଼ାଉ କରିଥିଲା। ୫ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଅଶ୍ୱିନୀ ଦାସ ୧୯୯୫ ମସିହାରେ କୃଷି ବିଭାଗରେ ଜଣେ ଜୁନିୟର ଆସିଷ୍ଟାଣ୍ଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୫ରେ ସେ ଓଆରଏସ୍‌କୁ ପଦୋନ୍ନତି ପାଇ ସୁନ୍ଦରଗଡ଼ର କୁତ୍ରା ଓ କଟକର ନିଆଳି ଆଦି ସ୍ଥାନରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ସେ ଜଗତସିଂହପୁରର ରଘୁନାଥପୁର, ଯାଜପୁରର ଦୋଳିପୁର ଓ ଖୋର୍ଦ୍ଧାର ଜଟଣୀରେ ସବ୍ ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରେ ତାଙ୍କୁ ଓଏଏସ୍ ଅଫିସର ଭାବେ ପଦୋନ୍ନତି ମିଳିଥିଲା। ଏହା ପରେ ସେ ଟାଙ୍ଗି ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ତା' ପରେ କେନ୍ଦ୍ରାପଡ଼ା ବିଡିଓ ହୋଇଥିଲେ। ଏବେ ସେ ଜଳେଶ୍ୱର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି।

Related story