ବଡ଼ ଠାକୁରଙ୍କ ସେବାରେ ମାଟି ଓ ମାଟିପାତ୍ର

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ ଦେହ ମାଟିର, ଆମ ଠାକୁର କାଠର।  କଥା କଥାରେ ଏମିତି ଆମେ କହିଦେଉ। ଓଡ଼ିଆ ଭାବେ କାଳିଆ ଠାକୁରଙ୍କୁ ଯେଉଁ ଆତ୍ମିୟତାରେ ଆମେ ଅନୁଭବ କରୁ ସେଥିରେ ଏମିତି କଥା ପାଟିରୁ ବାହାରିପଡିବା ସ୍ୱଭାବିକ୍‌। ଭକ୍ତ ସହ ଭଗବାନଙ୍କ ସମ୍ପର୍କ ଭଳି ଜୀବନ ସହ ମାଟିର ସମ୍ପର୍କ ବି ବଡ଼ ନିଆରା। ଆଉ ଏହି କଥାକୁ ପ୍ରମାଣିତ କରିବାକୁ ଯାଇ କଳାଠାକୁର ମାଟିର ମହନୀୟତାକୁ ଅଙ୍ଗୀକାର କରିଛନ୍ତି। ମା’ ମହାଲକ୍ଷ୍ମୀ ଶ୍ରୀଦେବୀ ସ୍ୱରୂପରେ […]

mati jagannath

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 07:11 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମ ଦେହ ମାଟିର, ଆମ ଠାକୁର କାଠର।  କଥା କଥାରେ ଏମିତି ଆମେ କହିଦେଉ। ଓଡ଼ିଆ ଭାବେ କାଳିଆ ଠାକୁରଙ୍କୁ ଯେଉଁ ଆତ୍ମିୟତାରେ ଆମେ ଅନୁଭବ କରୁ ସେଥିରେ ଏମିତି କଥା ପାଟିରୁ ବାହାରିପଡିବା ସ୍ୱଭାବିକ୍‌। ଭକ୍ତ ସହ ଭଗବାନଙ୍କ ସମ୍ପର୍କ ଭଳି ଜୀବନ ସହ ମାଟିର ସମ୍ପର୍କ ବି ବଡ଼ ନିଆରା। ଆଉ ଏହି କଥାକୁ ପ୍ରମାଣିତ କରିବାକୁ ଯାଇ କଳାଠାକୁର ମାଟିର ମହନୀୟତାକୁ ଅଙ୍ଗୀକାର କରିଛନ୍ତି। ମା’ ମହାଲକ୍ଷ୍ମୀ ଶ୍ରୀଦେବୀ ସ୍ୱରୂପରେ ତାଙ୍କ ପାଖରେ ପୂଜା ପାଉଥିବା ବେଳେ ମାଟି ମା’ ଭୁଦେବୀ ଭାବ ମହାପ୍ରଭୁଙ୍କ ଅଙ୍ଗଲାଗି ହୋଇ ପ୍ରତିଦିନ ସେବା ଗ୍ରହଣ କରନ୍ତି। ସେବାୟତମାନେ ଭୁଦେବୀଙ୍କୁ ଦେବୀ ସରସ୍ୱତୀ ବୋଲି କରୁଥିଲେ ବି ଭୁ-ଦେବୀଙ୍କ ପ୍ରକୃତ ଅର୍ଥ ଧରିତ୍ରୀ ବା ଭୁ(ପୃଥିବୀ)+ଦେବୀ। ଏହାଠାରୁ ବଳି ମାଟି ମା’କୁ ସମ୍ମାନ ଆଉ କ’ଣ ହୋଇପାରେ। ତା ହେଲେ ଆସନ୍ତୁ ଜାଣିବା ମାଟି ଆଉ ମହାପ୍ରଭୁଙ୍କ ସମ୍ପର୍କରେ ଆଉ କିଛି।

ଆମ ଦେହକୁ ପୋଷଣ ଦେଉଥିବା ଖାଦ୍ୟ ମାଟିରେ ଉତ୍ପନ୍ନ ହୋଇଥାଏ। ଏଣୁ ଆମ ଦିଅଁ ବି ମାଟିକୁ ଭଲ ପାଆନ୍ତି। ସେଇଥିପାଇଁ ପ୍ରତିଦିନ ମାଟି ପାତ୍ରରେ ତାଙ୍କ ପାଖରେ ବଢା ହୁଏ ଷାଠିଏ ପଉଟି।

ଇତିହାସ କୁହେ ତ୍ରୟୋଦଶ ଶତାଦ୍ଦୀ ପ୍ରାରମ୍ଭରେ ଅର୍ଥାତ୍‌ ୧୨୩୦ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିରରେ ଅନ୍ନଭୋଗର ପ୍ରଚଳନ ହୋଇଥିଲା। ସେହି ଅନ୍ନଭୋଗ ବା ସଙ୍ଖୁଡି ବଢାହେବା ପରଠାରୁ ମାଟିପାତ୍ରର ବ୍ୟବହାର ଆରମ୍ଭ ହୋଇଥିଲା। ଛତିଶା ନିଯୋଗ ସେବାରେ ଯୋଡି ହୋଇଥିଲା କୁମ୍ଭକାର ନିଯୋଗ । ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ଅନେକ ନାମରେ ମାଟିପାତ୍ର ବ୍ୟବହୃତ ହୋଇଥାଏ। କୁଡୁଆକୁ ଛାଡି ଅନ୍ୟ କୌଣସି ମାଟିପାତ୍ର ସମ୍ପର୍କରେ ଖୁବ୍ କମ୍‌ ଲୋକ ଜାଣିଥାନ୍ତି। ବାସ୍ତବରେ ଦୈନିକ ସେବାରେ  ୪୦ ହାଣ୍ଡି କୁଡୁଆ(ବିଭିନ୍ନ ପ୍ରକାରର) ବ୍ୟତିତ ୧୯୫ଟି ଅଙ୍ଗବାସ ଓଳି, ୬ଟି ତାଡ, ୨ଟି ପାହାନ୍ତି, ୧ଟି ଅଧା, ୨୪ଟି ପୁଳିସରା, ୨୧ଟି ଟିପେଇ ହାଣ୍ଡି, ୮୧ଟି ସାନପୁଳି ସରା, ୬୦ଟି ବଢା, ୧୪ଟି କଟାସରା, ୨୪ଟି ନମାଳି ଭଳି ପାତ୍ର ବ୍ୟବହାର ହୁଏ।

ପହଡ଼ ପଡିବା ସମୟରେ ଗର୍ଭଗୃହ ତାଲା ପଡିବା ପରେ ଏହାକୁ ସିଲ୍‌ କରାଯାଏ। ପାରମ୍ପରିକ ଭାଷାରେ ଏହାକୁ ମୁଦ ବୋଲି କୁହାଯାଏ। ଆଉ ଏଥିପାଇଁ ବି ଦରକାର ପଡେ ମେଞ୍ଚାଏ ଚିକିଟା ମାଟି । ଯେଉଁଥିରେ ମହାପ୍ରଭୁ ମଦନ ମୋହନଙ୍କ ମୋହର ଅଙ୍କିତ ହୋଇଥାଏ। ଯଦି ଅକସ୍ମାତ କେଉଁଦିନ ସକାଳେ ପହଡ଼ ଖୋଲିବା ବେଳେ ଏହା ଖଣ୍ଡିତ ହୋଇଥିବା ଦେଖାଯାଏ ତେବେ ଶ୍ରୀବିଗ୍ରହଙ୍କ ପାଖରେ ସ୍ୱତନ୍ତ୍ର ମହାସ୍ନାନ ହୋଇ ନୀତି ବଢିଥାଏ। ଏପରି ହେବା ବିଘ୍ନକାରକ ବୋଲି କୁହାଯାଏ।

ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମନୀତି ସମୟରେ ମଧ୍ୟ ମାଟିର ଆବଶ୍ୟକତା ପଡିଥାଏ। ଭାଗବତ ଅନୁଯାୟୀ ବଳଭଦ୍ରଙ୍କ ଜନ୍ମ ଗାଈ ଗୋଠରେ ହୋଇଥିବାରୁ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମନୀତି ଶ୍ରୀମନ୍ଦିର ବାହାରେ ଅନୁଷ୍ଠିତ ହୁଏ। ଏଥିପାଇଁ ସୁଦ୍ଧ ସୁଆରଙ୍କ ପ୍ରଦତ୍ତ ଚିକିଟା ମାଟିରେ ଶ୍ରୀ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରି ଜନ୍ମନୀତି ସମ୍ପାଦିତ ହେବାପରେ ଏହାକୁ ପାଣିରେ ବିସର୍ଜନ କରିଦିଆଯାଏ।

Related story