ଭୁବେନେଶ୍ୱର(ଓଡିଶା ରିପୋର୍ଟର): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ଜଗନ୍ନାଥାଦି ଦାରୁ ବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। କାଲିଠୁ ଜ୍ୱରରେ ପଡିବ ଜଗା। ହେଲେ ଅଣସରକୁ ଯିବା ଆଗରୁ ଏମିତି ମନଲୋଭା ବେଶରେ ଦର୍ଶନ ଦେବ ଯେ, ଦେଖିଲା ଲୋକର ମନ ଲାଖିଯିବ। ଏହି ବେଶଟି ହେଉଛି ଗଜାନନ ବା ଗଣପତି ବେଶ। ଏହି ବେଶ ପଛରେ ୨ଟି ସୁନ୍ଦର କଥା ଶୁଣିବାକୁ ମିଳେ । ଗୋଟିଏ ଇତିହାସ ଓ ଆଉ ଗୋଟିଏ ଗବେଷଣା।
ଗବେଷଣା କହେ, ପଞ୍ଚଦେବତା (ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ସୂର୍ଯ୍ୟ) ଉପାସନା ବିଧିରେ ସର୍ବପୂଜ୍ୟ ଏବଂ ସର୍ବପ୍ରଥମ ଦେବତା ଭାବେ ପୂଜାର ଅଧିକାରୀ ହେଉଛନ୍ତି ଗଣେଶ। ଏଥିପାଇଁ ପ୍ରତି ପୂଜାରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଇଥାଏ। ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାରୁ ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରାର ଆରମ୍ଭ ହୋଇଥାଏ। ଏଥିପାଇଁ ମହାପ୍ରଭୁଙ୍କ ପ୍ରଥମ ବାହାର ବିଜେ ସମୟରେ ଠାକୁରଙ୍କୁ ହାତୀ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ଏପରିକି ଏହିଦିନ ମହାପ୍ରଭୁ ଗଣେଶ ହୋଇ ଶୁଣ୍ଢ ବୁଡାଇ ମହାପ୍ରସାଦ ଖାଉଥିବା ପରିକଳ୍ପନା କରି ବିଗ୍ରହଙ୍କ ଆସ୍ଥାନ ଚାରିପଟେ ଭୋଗ ବଢ଼ାଯାଇ ମଣୋହି ହୋଇଥାଏ।
ହେଲେ ଦ୍ୱିତୀୟ କାରଣଟି ଅତ୍ୟନ୍ତ ରୋଚକ। ଜଣେ ଅଣଓଡିଆ ଭକ୍ତଙ୍କ ଲାଗି ମହାପ୍ରଭୁ ଏହି ବେଶରେ ସଜ୍ଜିତ ହେଉଥିବା କୁହାଯାଏ। କାହାଣୀଟି ହେଉଛି ଏମିତି। କର୍ଣ୍ଣାଟକର ଭଗବାନ ଗଣେଶଙ୍କ ପ୍ରଚଣ୍ଡ ଭକ୍ତ ଥିଲେ ଗଣପତି ଭଟ୍ଟ। ଜାତିରେ ବ୍ରାହ୍ମଣ ଥିବା ଏହି ଭକ୍ତ ଜଣକ ନିଜର କିଛି ଅନୁଗତଙ୍କଠାରୁ ଜାଣିବାକୁ ପାଇଥିଲେ ଯେ, ଉତ୍କଳ ପ୍ରାନ୍ତରେ ପୂଜା ପାଉଥିବା ଜଗନ୍ନାଥ ହେଉଛନ୍ତି ବ୍ରହ୍ମସ୍ୱରୂପ । ସେ ହିଁ ଗଣପତି। ଏହି କଥା ଶୁଣିବା ପରେ ଜଗନ୍ନାଥ ଦର୍ଶନ ପାଇଁ ଗଣପତି ଭଟ୍ଟ ଅତ୍ୟନ୍ତ ବ୍ୟାକୁଳ ହୋଇ ପୁରୀରେ ପହଞ୍ଚନ୍ତି। ହେଲେ ହସ୍ତପାଦ ବିହୀନ ଶ୍ରୀ ବିଗ୍ରହଙ୍କୁ ଦେଖି ତାଙ୍କର ମନ ମରିଯାଏ। ସେ ଜଗନ୍ନାଥଙ୍କ ପାଖରେ ଗଣେଶଙ୍କୁ ଦର୍ଶନ ନ କରି ଦୁଃଖ ମନରେ ଶ୍ରୀକ୍ଷେତ୍ରରୁ ଫେରିଯିବାକୁ ବସନ୍ତି। ଆଉ ଏହି କଥା ଅନ୍ତର୍ଯ୍ୟାମୀ ଜଗନ୍ନାଥ ଜାଣିବା ପରେ ଜଣେ ସନ୍ୟାସୀ ବେଶରେ ଭଟ୍ଟଙ୍କୁ ଶ୍ରୀମନ୍ଦିର ଅଭିମୁଖେ ଫେରି ଆସିବାକୁ କୁହନ୍ତି। ଯନ୍ତ୍ରବତ୍ ପରିଚାଳିତ ହୋଇ ଭଟ୍ଟ ବଡଦାଣ୍ଡରେ ପହଞ୍ଚନ୍ତି। ସୌଭାଗ୍ୟକୁ ସେଦିନ ଥାଏ ଜ୍ୟେଷ୍ଠ ପୂର୍ଣ୍ଣିମା। ଆଉ ଠାକୁର ବସିଥାନ୍ତି ଗଣେଶ ହୋଇ। ମଥାରେ ମାଳ ଚୂଳ ଲାଗିଥିବା ଏହି ବିଗ୍ରହଙ୍କ ଚୂଡ଼ା ଦେଶରେ ଶୋଭା ପାଉଥାଏ ଦୁବ। ଯାହା ଭଗବାନ ଗଣେଶଙ୍କର ଅତି ପ୍ରିୟ। ଏବଂ ଚାରିପଟେ ବଢା ହୋଇଥାଏ ପ୍ରସାଦ। ଏଭଳି ଦୃଶ୍ୟ ଦେଖି ଭାବ ଗଦ୍ଗଦ୍ ହୋଇ ସ୍ନାନ ମଣ୍ଡପରେ ଚଢି ସେ ଦର୍ଶନ କରନ୍ତି ଗଣେଶ ରୂପି ଜଗନ୍ନାଥଙ୍କୁ। ରାଜାଙ୍କ ନିର୍ଦ୍ଦେଶରେ ଏହି ବେଶ ସେବେଠାରୁ ପ୍ରତି ବର୍ଷ ସ୍ନାନ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି ଓ ବଖାଣୁଛି ଭାବ ବିନୋଦିଆ ଜଗନ୍ନାଥଙ୍କ ଦିବ୍ୟ ଲୀଳା ସମ୍ପର୍କରେ।