/odisha-reporter/media/media_files/2025/12/13/jaya-2025-12-13-17-52-02.jpg)
ବିଜେପି ବିଧାୟକ ଜୟନାରାୟଣ ମିଶ୍ର
ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ହେଉଛି ବିଧାୟକଙ୍କ ଦରମା। ଏକାଥରକେ ୩ ଗୁଣା ବଢ଼ିଛି ସେମାନଙ୍କ ଦରମା। ଗୋଟିଏ ପଟେ ରାଜ୍ୟର ଶିକ୍ଷକମାନେ ସେମାନଙ୍କ ଦରମା ବୃଦ୍ଧି ନେଇ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ବିଧାନସଭାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଏବଂ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ସଂପର୍କିତ ୩ଟି ବିଲ୍ ପାରିତ ହେବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଧାୟକ (MLA)ଙ୍କ ଦରମା ବୃଦ୍ଧିକୁ ବିଭିନ୍ନ ବର୍ଗରୁ ନାପସନ୍ଦ କରାଯାଉଥିବା ବେଳେ ଏହା ଠିକ୍ ପଦକ୍ଷେପ ବୋଲି ଯୁକ୍ତି ବାଢ଼ିବା ସହ ଯାହା ବଢ଼ିଛି, ତାହା ବହୁତ କମ୍ ବୋଲି କହିଛନ୍ତି ବିଜେପିର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ କେହି ଆଲୋଚନା କରୁନାହାନ୍ତି। କେବଳ ଗଣମାଧ୍ୟମରେ ଏନେଇ ଆଲୋଚନା ହେଉଛି। ଛୁଆ ଜନ୍ମରୁ ଜଣଙ୍କର ମୃତ୍ୟୁ ପର୍ଯ୍ୟନ୍ତ ବିଧାୟକମାନେ ପଇସା ଦେଉଛନ୍ତି। ମୁଁ ଭାବୁଛି, ଯେଉଁ ପଇସା ମିଳିଲା, ତାହା ବି ବହୁତ କମ୍। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ୩ ଲକ୍ଷ ୪୦ ହଜାର ଟଙ୍କାକୁ ଲୋକେ ବେଶୀ ଭାବିବେ ବୋଲି ମୋତେ ଲାଗୁନି। ଗୋଟିଏ ମାସରେ ଜଣେ ବିଧାୟକଙ୍କର କେତେ ଖର୍ଚ୍ଚ ହୁଏ, ତାହା ଜଣେ ତାଙ୍କ ସହିତ ୭ ଦିନ ରହିଲେ ଜାଣିପାରିବେ। ଆମେ କେଉଁଠି କ’ଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛୁ, ତାହା ଜଣେ ଆମ ସହିତ ରହିଲେ ହିଁ ଜାଣିପାରିବେ। କିଛି ନ ଜାଣି, କେବଳ ସମାଲୋଚନା ନାଁରେ ସମାଲୋଚନା କଲେ କ’ଣ ହେବ। ମୋ ପାର୍ଟି ବିଧାୟକଙ୍କ ଦରମା ବୃଦ୍ଧି କରିଛି। ମୁଁ ଏହାକୁ ସମର୍ଥନ କରୁଛି।
ଚାଷୀ, ଶ୍ରମିକ ଓ ଅନ୍ୟ ବେତନଭୋଗୀଙ୍କ କଥା ପଚରାଯିବାରେ ଜୟନାରାୟଣ କହିଛନ୍ତି, ଆମେ ପରା ଚାଷୀଙ୍କୁ ୩୧୦୦ ଟଙ୍କା ଦେଉଛୁ। ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛୁ। ସେହିପରି ବେତନ ହାର ପେ’କମିଶନଙ୍କ ଅନୁସାରେ ବଢ଼ୁଛି। ବିଧାୟକଙ୍କ ଦରମା ବୃଦ୍ଧିକୁ ଈର୍ଷା କରି ସମାଲୋଚନା କରାଯାଉଛି। ସାଧାରଣ ଲୋକ କିଛି କହୁଛନ୍ତି କି? ସାଧାରଣ ଲୋକେ ଯେଉଁମାନେ ଭୋଟ୍ ଦେଇଛନ୍ତି, ସେମାନେ ଜାଣିଛନ୍ତି ଯେ ଆମଠୁ ସେମାନେ ସାହାଯ୍ୟ ପାଉଛନ୍ତି। ଯେଉଁମାନେ ଭୋଟ୍ ଦେଇ ଯାଉନାହାନ୍ତି, ସେମାନେ ସମାଲୋଚନା କଲେ କ’ଣଟା ମିଳିବ। ସେମାନେ କେବଳ ସମାଲୋଚନା କରନ୍ତି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ପ୍ରଥମ କଥା, ଏଇଟା ଆମର ଦରମା ନୁହେଁ। ଦ୍ୱିତୀୟ କଥା, ଆମ ନିର୍ବାଚନ ମଣ୍ଡଳୀରେ ଯେଉଁ ଗାଡ଼ି ବୁଲୁଛି, ତା’ର ତେଲ ଖର୍ଚ୍ଚ ହେବ ନାହିଁ କି? ଆମେ ଟେଲିଫୋନ ଧରୁଛୁ, ତା’ର ଖର୍ଚ୍ଚ ହେବନି କି? ଯିଏ ଆସିଲେ ଚା’ କପେ ଦେଉଛୁ। ନିଜ ନିର୍ବାଚନମଣ୍ଡଳୀର ଲୋକ ଆସିଲେ ଯଦି ଜଣେ ବିଧାୟକ ଖାଲି ଚା’ କପେ କପେ ଦେବେ, ତା’ହେଲେ ସର୍ବନିମ୍ନ ଲକ୍ଷେ ଟଙ୍କା ଖର୍ଚ୍ଚ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
