ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କର ଗତକାଲି ପରଲୋକ ହୋଇଥିବା ବେଳେ ଆଜି ହେବ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷଦର୍ଶନ ପରେ ଦିନ ୧୦ଟା ୩୦ରେ କଂଗ୍ରେସ ଭବନ ଯିବ ଜୟନ୍ତୀଙ୍କ ମରଶରୀର । ସେଠାରେ ଦଳୀୟ ନେତା ଓ କର୍ମୀ ଜୟନ୍ତୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ଶେଷକୃତ୍ୟ ପାଇଁ ଶୋଭାଯାତ୍ରାରେ ପୁରୀ ବାହାରିବ ଜୟନ୍ତୀଙ୍କ ମରଶରୀର ।
ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ୪ ଥର ସାଂସଦ ଥିଲେ ଏଥିସହ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଥିଲେ ଜୟନ୍ତୀ ।
୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ । ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ। ଓଡ଼ିଶାରୁ ପ୍ରଥମ ମହିଳା ଭାବେ ଲୋକସଭାକୁ ୧୯୮୧ ମସିହାରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।
ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିରଞ୍ଜନ ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ୧୯୬୭ରେ ପ୍ରତିଷ୍ଠିତ ପୌରୁଷ ପତ୍ରିକାରେ ଧାରାବାହିକ ଭାବେ କେ.ଏମ୍. ମୁନ୍ସିଙ୍କର କୃଷ୍ଣାବତାରର ଅନୁବାଦ କରି ସେ ଓଡ଼ିଶାର ଘରେ ଘରେ ପରିଚିତା ହୋଇପାରିଥିଲେ । ସେ କିଛି ସମୟ ପୌରୁଷର ସମ୍ପାଦିକା ମଧ୍ୟ ଥିଲେ ।
ରାଜନୈତିକ ଜୀବନରେ ସେ ମୋଟ ୪ଥର ସାଂସଦ ନିର୍ବାଚିତ ହୋଇଥିଲେ । ୧୯୮୧ରେ ଲୋକସଭାକୁ ନିର୍ବାଚିତ ହେବାପରେ ପୁଣିଥରେ ୧୯୮୪ରେ କଟକ ଆସନରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
ଏହା ବାଦ୍ ପ୍ରଥମ ଓଡ଼ିଆ ଭାବେ ସେ ୧୯୮୭ ମସିହାରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ହୋଇଥିଲେ । ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ତଥା ପ୍ରଥମ ମହିଳା ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ରହିଥିଲେ ଜୟନ୍ତୀ।