ଗିରଫ ଓକିଲଙ୍କୁ ପୁଲିସ ନିଜ ହେପାଜତରେ ରଖି ମାଡ଼ ମାରୁଛି: ଜୟନାରାୟଣ ମିଶ୍ର

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗୋଟାଏ ପଟେ ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ, ଅନ୍ୟପଟେ ଗିରଫ ଓକିଲଙ୍କୁ ପୁଲିସ ନିଜ ହେପାଜତରେ ରଖି ମାଡ଼ ମାରୁଥିବା ଅଭିଯୋଗ। ସେହିପରି ଗୋଟାଏ ପଟେ ୫୪ ଓକିଲଙ୍କ ଲାଇସେନ୍ସ ବାତିଲ ନିର୍ଦ୍ଦେଶ ପ୍ରତ୍ୟାହୃତ ଓ ଅନ୍ୟପଟେ ସମାନ ୫୪ ଜଣ ଓକିଲଙ୍କ ଲାଇସେନ୍ସ ନିଲମ୍ବନ ଆଦେଶ ବଳବତ୍ତର ନିର୍ଦ୍ଦେଶ। ଯାହାକୁ ନେଇ ସମ୍ବଲପୁରରେ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ଧରୁନି। ଆଜି ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) […]

sambalpur

  • Published: Saturday, 17 December 2022
  • , Updated: 17 December 2022, 10:34 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗୋଟାଏ ପଟେ ସମ୍ବଲପୁର କୋର୍ଟରେ ନ୍ୟାୟିକ ଅଚଳାବସ୍ଥା ଦୂର ପାଇଁ ପ୍ରୟାସ, ଅନ୍ୟପଟେ ଗିରଫ ଓକିଲଙ୍କୁ ପୁଲିସ ନିଜ ହେପାଜତରେ ରଖି ମାଡ଼ ମାରୁଥିବା ଅଭିଯୋଗ। ସେହିପରି ଗୋଟାଏ ପଟେ ୫୪ ଓକିଲଙ୍କ ଲାଇସେନ୍ସ ବାତିଲ ନିର୍ଦ୍ଦେଶ ପ୍ରତ୍ୟାହୃତ ଓ ଅନ୍ୟପଟେ ସମାନ ୫୪ ଜଣ ଓକିଲଙ୍କ ଲାଇସେନ୍ସ ନିଲମ୍ବନ ଆଦେଶ ବଳବତ୍ତର ନିର୍ଦ୍ଦେଶ। ଯାହାକୁ ନେଇ ସମ୍ବଲପୁରରେ ଲାଗି ରହିଥିବା ଅଶାନ୍ତି ଥମିବାର ନାଁ ଧରୁନି।

ଆଜି ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ପକ୍ଷରୁ ୫୪ ଜଣଙ୍କୁ ଛାଡ଼ି ଅନ୍ୟ ଓକିଲଙ୍କ ଉପରୁ ପ୍ରତ୍ୟାହୃତ ହୋଇଛି ଲାଇସେନ୍ସ ବାତିଲ କଟକଣା। ଯେଉଁଥିରେ ଦର୍ଶାଯାଇଛି ଯେ, ୧୨ ତାରିଖରେ ସମ୍ବଲପୁର ବାର୍ ଆସୋସିଏସନ୍‌ର ସବୁ ସଦସ୍ୟଙ୍କ ଉପରେ ଲାଗିଥିବା ନିଲମ୍ବନ କଟକଣାକୁ ହଟାଇ ଦିଆଯାଇଛି। ହେଲେ ତିନିଟି ପର୍ଯ୍ୟାୟ ଯଥା, ୧୨, ୧୩ ଓ ୧୬ ତାରିଖରେ ଆନ୍ଦୋଳନକାରୀ ଯେଉଁ ନିର୍ଦ୍ଦିଷ୍ଟ ୫୪ ଆଇନଜୀବୀଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଥିଲା, ତାହା ବଳବତ୍ତର ରହିବ। ସମ୍ବଲପୁର ଓକିଲ ସଂଘର ନିଲମ୍ବିତ ସଦସ୍ୟମାନେ ଫେବ୍ରୁଆରୀ ୧୫ ସୁଦ୍ଧା ବିସିଆଇର ସଚିବଙ୍କ ପାଖରେ ନିଜ ପକ୍ଷ ରଖିପାରିବେ।

ଅପରପକ୍ଷେ ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଘଟଣାର କାରଣ ଏବଂ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି ଜାଣିବା ପାଇଁ ବିସିଆଇ ପକ୍ଷରୁ ଏକ ତିନି ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗଠନ କରାଯାଇଛି। ଯେଉଁ କମିଟି ଆସନ୍ତା ଜାନୁଅଆରୀ ୧୫ ତାରିଖ ଭିତରେ ବିସିଆଇକୁ ରିପୋର୍ଟ ଦେବ।

ଏପଟେ ହାଇକୋର୍ଟ ବେଞ୍ଚ ଦାବିରେ ୧୨ ତାରିଖର ହଙ୍ଗାମା ପାଇଁ ୨୩ ଓକିଲଙ୍କ ସମେତ ଏପର୍ଯ୍ୟନ୍ତ ୩୨ ଜଣ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଜେଲ୍‌ରେ ଥିବା ଓକିଲଙ୍କ ମଧ୍ୟରୁ କୁଚିଣ୍ଡା ଓକିଲ ସଂଘ ପକ୍ଷରୁ ଗତକାଲି ୧୪ ଜଣଙ୍କ ଜାମିନ୍ ପାଇଁ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ ହୋଇଥିଲେ ବି ତାହା ଖାରଜ ହୋଇଯାଇଥିଲା। ଆଜି ପୁଣି କୁଚିଣ୍ଡା ଓକିଲ ସଂଘ ସଭାପତି ନିଜେ ସମ୍ବଲପୁର ଆସି ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଛନ୍ତି।

ସେପଟେ ୫୪ ଜଣ ସଦସ୍ୟଙ୍କୁ ଛାଡ଼ି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସବୁ ସଦସ୍ୟଙ୍କ ଉପରୁ ନିଲମ୍ବନ କଟକଣା ହଟିଥିଲେ ମଧ୍ୟ ଆଜି ବି ସଂଘର କୌଣସି ଓକିଲ କାର୍ଯ୍ୟ ଆରମ୍ଭ କରି ନଥିବାରୁ କୋର୍ଟ ସ୍ଥିତି ପୂର୍ବବତ୍ ରହିଛି। କୋର୍ଟ ପରିସରରେ ୧୪୪ ଧାରା ବି ବଳବତ୍ତର ରହିଛି। ଅପପକ୍ଷେ କୋର୍ଟ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଦିଆଯାଉଥିବା କହି ସହର ସାରା ଡାକବାଜି ଗାଡ଼ି ବୁଲିଛି।

ତେଣେ ଗିରଫ ହୋଇଥିବା ସମ୍ବଲପୁରର ଓକିଲଙ୍କୁ ଦିଆଯାଉଛି ଥାର୍ଡ ଡିଗ୍ରୀ। ନିଜେ ସମ୍ବଲପୁର ଏସ୍‌ପି ଓକିଲ ମାନଙ୍କୁ ବାଡ଼ିରେ ବାଡେଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଅନେକ ବରିଷ୍ଠ ଓକିଲଙ୍କୁ ଏସ୍‌ପି ନିଜେ ବାଡ଼େଇଥିବା ଜୟନାରାୟଣ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ସହ ତୁରନ୍ତ ମେଡିକାଲ ଟିମ୍ ପଠାଇବା ଆବଶ୍ୟକତା ଥିବା ସେ କହିଛନ୍ତି। ଯେଉଁମାନେ ଏଥିପାଇଁ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଜେଲ୍‌ରେ ଆହତ ଓକିଲଙ୍କୁ ଭେଟିବାକୁ ଦିଆଯାଉନଥିବା ଜୟନାରାୟଣ ଅଭିଯୋଗ କରିଛନ୍ତି। ତେବେ ଜୟନାରାୟଣଙ୍କ ଅଭିଯୋଗ ନେଇ ସମ୍ବଲପୁର ଏସ୍‌ପି କିମ୍ବା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ଗତ ୨୦୧୨ ମସିହାରେ ସମ୍ବଲପୁରର ତତ୍କାକାଳୀନ ଜିଲ୍ଲାପାଳ ଡ଼ା ମୃଣାଳିନୀ ଦର୍ଶଓ୍ୱାଲଙ୍କ ସହ ଗଣ୍ଡଗୋଳ ଏବଂ ତାଙ୍କ ଆବାସିକ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଜି ସମ୍ବଲପୁରରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ର। ତେବେ ଅଭିଯୁକ୍ତଙ୍କ ଭିତରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ କେନ୍ଦ୍ର କରି ସୃଷ୍ଟି ଭଙ୍ଗାରୁଜା ମାମଲାରେ ସଂପୃକ୍ତ ଥିବା ୨ ଜଣ ମଧ୍ୟ ରହିଥିବା ଡିଏସ୍‌ପି କହିଛନ୍ତି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ସମ୍ବଲପୁର ଏସଡିଜେଏମ୍ କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରିବାକୁ ମନା କରିଦେଇଛନ୍ତି ଡିଏସ୍‌ପି। ଯାହା ନିଆଁରେ ଘିଅ ଢାଳିଛି।

ଏସବୁ ଭିତରେ ସମ୍ବଲପୁର କୋର୍ଟ କାର୍ଯ୍ୟ କେବେ ସ୍ୱାଭାବିକ ହେଉଛି ତାକୁ ଅପେକ୍ଷା।

Related story