ଦିଲ୍ଲୀ ଏମ୍‌ସରେ ଚାଲିଛି ଯୋଡ଼ାମୁଣ୍ଡ ଶିଶୁଙ୍କ ଅପରେସନ୍: ଆଶା ଆଶଙ୍କାରେ ଓଡ଼ିଶା

ଭୁବନେଶ୍ୱର: ଅଲଗା ହେବେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ। ଏହି ବିଶ୍ୱାସ ନେଇ ଆଜି ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏକ ୪୦ ଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରୁଛନ୍ତି। ଜାପାନରୁ ଆସିଥିବା ବିଶେଷଜ୍ଞ ଡାକ୍ତର ମଧ୍ୟ ଅସ୍ତ୍ରୋପଚାରେ ସାମିଲ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଂପର୍କରେ ପ୍ରଥମେ ରାଜ୍ୟର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା […]

Rakesh Mallick
  • Published: Monday, 28 August 2017
  • , Updated: 28 August 2017, 10:39 PM IST

ଭୁବନେଶ୍ୱର: ଅଲଗା ହେବେ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ। ଏହି ବିଶ୍ୱାସ ନେଇ ଆଜି ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏକ ୪୦ ଜଣିଆ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରୁଛନ୍ତି। ଜାପାନରୁ ଆସିଥିବା ବିଶେଷଜ୍ଞ ଡାକ୍ତର ମଧ୍ୟ ଅସ୍ତ୍ରୋପଚାରେ ସାମିଲ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଂପର୍କରେ ପ୍ରଥମେ ରାଜ୍ୟର ନମ୍ବର ୱାନ୍ ନ୍ୟୁଜ୍ ଚ୍ୟାନେଲ୍‌ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟ ସରକାର ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଗତ ଜୁଲାଇ ୧୩ ତାରିଖରେ ଭୁବନେଶ୍ୱର ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇଥିଲେ ଜଗା-ବଳିଆ।

ଏହାପରେ ଗତ ଜୁଲାଇ ୨୨ ତାରିଖରେ ନୂଆଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ଚିକିତ୍ସା ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁ ଦୁହିଁଙ୍କୁ ଆଇସିୟୁରେ ରଖାଯାଇଥିଲା। ସେଠାରେ ସେମାନଙ୍କର ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦୁଇ ଶିଶୁଙ୍କ ଶରୀରରେ ଇନ୍‌ଫେକ୍ସନ ଥିବାରୁ ସେମାନଙ୍କୁ ଅବଜରଭେସନ୍‌ ରଖାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଶିଶୁ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କର ମସ୍ତିଷ୍କ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି- “ଆଜି ଦିଲ୍ଲୀ ଏମ୍ସରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏଥିପାଇଁ ଏକ ୪୦ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ,କାର୍ଡିଓଲୋଜି ଓ ଶିଶୁ ବିଶେଷଜ୍ଞ ଡାକ୍ତର ସାମିଲ ହୋଇଛନ୍ତି। ଆଜି ଭୋର ୪ଟା ୪୫ ମିନିଟ୍‌ରେ ଜଗା-ବଳିଆଙ୍କୁ ଅସ୍ତ୍ରୋପଚାର ପାଇଁ ଓଟିକୁ ନିଆଯାଇଥିଲା। ସକାଳ ୯ଟାରେ ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏହି ଅସ୍ତ୍ରୋପଚାର ପାଇଁ ଆମେ ଜଣେ ଜାପାନ ଡାକ୍ତରଙ୍କ ସହାୟତା ନେଇଛୁ। ବର୍ତ୍ତମାନ ଅସ୍ତ୍ରୋପଚାର ଚାଲିଛି। ଏହି ଅସ୍ତ୍ରୋପଚାର ୨ଟି ପର୍ଯ୍ୟାୟରେ ହେବ। ଆଜି ୬ରୁ ୭ଘଣ୍ଟା ଯାଏଁ ସର୍ଜରୀ ଚାଲିବ ବୋଲି ଡାକ୍ତର କହିଛନ୍ତି। ଆଉ କିଛି ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ। ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତରମାନେ କହିଥିଲେ। ଓଟିରୁ ଡାକ୍ତରମାନେ ବାହାରିବା ପରେ ତା’ ପରବର୍ତ୍ତୀ ସୂଚନା ମିଳିପାରିବ।”

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଖବର ଦେଖି ତୁରନ୍ତ ସହୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ନୂଆ ଜୀବନ ପାଇବେ। ଏହି ଆଶା ନେଇ ଗତ ଜୁଲାଇ ୧୩ ତାରିଖରେ ଦେଶର ସବୁଠାରୁ ବଡ଼ ଡାକ୍ତରଖାନା ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ। ତେବେ ବହୁ ପରୀକ୍ଷା ନିରୀକ୍ଷା ପରେ ଶେଷରେ ଆଜି ଉଭୟଙ୍କର ଅପରେସନ କରାଯିବାକୁ ସ୍ଥିର ହୋଇଥିଲା। ଏବେ ଦିଲ୍ଲୀରୁ ଶୁଭ ଖବର ଅପେକ୍ଷାରେ ସାରା ରାଜ୍ୟବାସୀ।

ଅଧିକ ପଢ଼ନ୍ତୁ-ଯୋଡ଼ାମୁଣ୍ଡ ଅଲଗା ହେବ! ଆଶା ଆଶ୍ୱସନା ନେଇ ଦିଲ୍ଲୀ ଏମ୍ସ ଗଲେ ହନି-ସିଂହ

 

Related story