ପଙ୍କଜଙ୍କୁ ବିବାହ ଓ ଝିଅର ଜନ୍ମ ସଂପର୍କିତ ପ୍ରମାଣ ଦାଖଲ କଲେ କବିତା

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ ଗୁରୁବାର ତାଙ୍କ ଦାବି ସଂପର୍କିତ ପ୍ରମାଣ ଭୁବନେଶ୍ୱର ମହିଳା ଥାନାରେ ଦାଖଲ କରିଛନ୍ତି। ଏହା ସହିତ ସନାତନ ଓ ତାଙ୍କ ପୁଅ ପଙ୍କଜଙ୍କୁ ଥାନାକୁ ଡାକି ପଚରାଉଚରା କରିବା ଲାଗି ସେ ଦାବି କରିଛନ୍ତି। ପଙ୍କଜ ହିଁ ତାଙ୍କ ଝିଅର ପିତା ସମ୍ପର୍କିତ ପ୍ରମାଣ କବିତା ଥାନାରେ ଦେଇଛନ୍ତି। ଝିଅ ଜନ୍ମ ବେଳେ ବାଲିଗୁଡ଼ା ଡାକ୍ତରଖାନାରୁ ମିଳିଥିବା କାଗଜପତ୍ରରେ ପିତାଙ୍କ ନାଁ […]

kabita

Rakesh Mallick
  • Published: Thursday, 10 March 2016
  • , Updated: 11 March 2016, 03:36 AM IST

ଭୁବନେଶ୍ୱର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ବୋହୂ ବୋଲି ଦାବି କରୁଥିବା କବିତା ମହାକୁଡ଼ ଗୁରୁବାର ତାଙ୍କ ଦାବି ସଂପର୍କିତ ପ୍ରମାଣ ଭୁବନେଶ୍ୱର ମହିଳା ଥାନାରେ ଦାଖଲ କରିଛନ୍ତି। ଏହା ସହିତ ସନାତନ ଓ ତାଙ୍କ ପୁଅ ପଙ୍କଜଙ୍କୁ ଥାନାକୁ ଡାକି ପଚରାଉଚରା କରିବା ଲାଗି ସେ ଦାବି କରିଛନ୍ତି।

ପଙ୍କଜ ହିଁ ତାଙ୍କ ଝିଅର ପିତା ସମ୍ପର୍କିତ ପ୍ରମାଣ କବିତା ଥାନାରେ ଦେଇଛନ୍ତି। ଝିଅ ଜନ୍ମ ବେଳେ ବାଲିଗୁଡ଼ା ଡାକ୍ତରଖାନାରୁ ମିଳିଥିବା କାଗଜପତ୍ରରେ ପିତାଙ୍କ ନାଁ ପଙ୍କଜ ମହାକୁଡ଼ ରହିଛି। ଏହାଛଡା ଝିଅର ଜନ୍ମ ପ୍ରମାଣପତ୍ରରେ ମଧ୍ୟ ପିତା ପଙ୍କଜ ବୋଲି ଲେଖାଥିବା ସେ ଥାନାରେ ଦେଖାଇଛନ୍ତି। ଝିଅ ଏକୋଇଶିଆ ପାଇଁ ଛପା ଯାଇଥିବା ନିମନ୍ତ୍ରଣ କାର୍ଡରେ ମଧ୍ୟ ପିତା ପଙ୍କଜ ବୋଲି ଉଲ୍ଲେଖ ରହିଥିବା ପ୍ରମାଣ ସେ ଦାଖଲ କରିଛନ୍ତି। ତେବେ ପଙ୍କଜଙ୍କ ସହ ବିବାହ ସମ୍ପର୍କିତ କାଗଜପତ୍ର ସେ ଦେଖାଇ ପାରିନାହାନ୍ତି।

ମାର୍ଚ୍ଚ ୪ ତାରିଖରେ ମହିଳା ଥାନାରେ ଧାରା ୧୬୧ ଅନୁଯାୟୀ କବିତା ମହାକୁଡ଼ଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହି ସମୟରେ କବିତା ପୋଲିସ୍‌କୁ ନିଜର ପ୍ରଥମ ବିବାହ, ବିଧାୟକ ସନାତନ ମହାକୁଡ଼ଙ୍କ ପୁଅ ପଙ୍କଜଙ୍କ ସହିତ ତାଙ୍କର ଦ୍ୱିତୀୟ ବିବାହ ସଂପର୍କରେ ପୋଲିସ୍‌କୁ କହିଥିଲେ। ତେବେ ପୋଲିସ୍ କବିତାଙ୍କୁ ତାଙ୍କ ପ୍ରଥମ ଓ ଦ୍ୱିତୀୟ ବିବାହ ସଂପର୍କରେ ତଥ୍ୟ ମାଗିଥିଲା। ତାଙ୍କର ୧୦ ମାସର ଝିଅର ଜନ୍ମ ସଂପର୍କିତ ତଥ୍ୟ, ସନାତନଙ୍କ ବୋହୂ ହୋଇଥିବା ସଂପର୍କରେ ପ୍ରମାଣ ସହ ପ୍ରଥମ ସ୍ୱାମୀଙ୍କଠାରୁ କାହିଁକି ଅଲଗା ହେଲେ, ତାହାର କାରଣ ଦାଖଲ କରିବାକୁ ପୋଲିସ୍ ତାଙ୍କୁ କହିଥିଲା। ଫଳରେ ଆଜି କବିତା ଆବଶ୍ୟକ ପ୍ରମାଣ ଦାଖଲ କରିଥିବା ଦାବି କରିଛନ୍ତି।

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ କବିତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଆଇପିସି ଧାରା ୪୯୮ ଏ, ୩୪୧,୨୯୪ ଓ ୩୪ରେ ମାମଲା ରୁଜୁ କରାଯାଇଛି।

କବିତା ଅଭିଯୋଗ କରିଛନ୍ତି ଯେ ସନାତନଙ୍କ ବଡ଼ ପୁଅ ପଙ୍କଜଙ୍କ ସହିତ ୨୦୧୨ରେ ତାଙ୍କର ବିବାହ ହୋଇଥିଲା। ପ୍ରଥମ ସ୍ୱାମୀ ଦେବାଶିଷ ମହାକୁଡ଼ଙ୍କଠାରୁ ଅଲଗା ହେବା ପରେ ସେ ପଙ୍କଜଙ୍କୁ ବିବାହ କରିଥିଲେ। ବିବାହ ପରେ ସେମାନେ ମାଲକାନଗିରି ଜିଲ୍ଲା ମୋଟୁରେ ରହୁଥିଲେ। ତେବେ ସନାତନ ଏ ବିବାହ ସପକ୍ଷରେ ନ ଥିଲେ। ତେଣୁ ୨୦୧୫ ଅଗଷ୍ଟ ମାସରେ ସେ ଜୋରଜବରଦସ୍ତ ପଙ୍କଜଙ୍କୁ ଚମ୍ପୁଆ ନେଇ ଯାଇଛନ୍ତି। ସେହିଦିନଠାରୁ ତାଙ୍କୁ ସନାତନ ଲୁଚାଇ ରଖିଛନ୍ତି। ତାଙ୍କର ୧୦ ମାସର ଝିଅର ବାପା ପଙ୍କଜ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ କବିତାଙ୍କ ଦାବିକୁ ସନାତନ ମହାକୁଡ଼ ଖଣ୍ଡନ କରି ଆସୁଛନ୍ତି।

Related story