କାନ୍ଧରେ ଶବ ବୁହା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପଟଣାରେ ଜଣେ ବ୍ୟକ୍ତି ମେଡିକାଲରୁ ପତ୍ନୀଙ୍କ ଶବ କାନ୍ଧରେ ବୋହି ୧୦ କି.ମି. ଯିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଆଜି କଂଗ୍ରେସ୍‌ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଭବାନୀପାଟଣା ଯାଇ ତଥ୍ୟ ସଂଗ୍ରହ କରିଛି। ବିଜେପି ମଧ୍ୟ ଘଟଣାର ଅନୁଧ୍ୟାନ କରିବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଛି। ଆଜି କଂଗ୍ରେସ୍‌ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ୬ ଜଣ ସଦସ୍ୟ ପୀଡିତ ଦାନ ମାଝିଙ୍କ […]

poltics

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 11:08 PM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପଟଣାରେ ଜଣେ ବ୍ୟକ୍ତି ମେଡିକାଲରୁ ପତ୍ନୀଙ୍କ ଶବ କାନ୍ଧରେ ବୋହି ୧୦ କି.ମି. ଯିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଆଜି କଂଗ୍ରେସ୍‌ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଭବାନୀପାଟଣା ଯାଇ ତଥ୍ୟ ସଂଗ୍ରହ କରିଛି। ବିଜେପି ମଧ୍ୟ ଘଟଣାର ଅନୁଧ୍ୟାନ କରିବା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଛି।

ଆଜି କଂଗ୍ରେସ୍‌ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ୬ ଜଣ ସଦସ୍ୟ ପୀଡିତ ଦାନ ମାଝିଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏପରି ଘଟଣାର ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ଶାଖା ପକ୍ଷରୁ ଘୋଡାଘାଟଠାରେ ରାସ୍ତାରୋକ କରାଯାଇଥିଲା। ଏଥିରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ପୂର୍ବତନ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କହିଛନ୍ତି, “ଆଦିବାସୀ ଲୋକ ପାଖରେ ଟଙ୍କା ନାହିଁ ବୋଲି ମେଡିକାଲରୁ ରାତି ଅଧରେ ଜୋର ଜବରଦସ୍ତ ବାହାର କରି ଦିଆଯାଉଛି। ଦାନଙ୍କୁ ତାଙ୍କ ପତ୍ନୀର ଶବକୁ କାନ୍ଧରେ ବୋହି ଆଣିବାକୁ ପଡିଛି। ଶାସନ ଗାଦିରେ ବସିବାକୁ ବିଜେଡି ସମ୍ପୂର୍ଣ୍ଣ ଅଯୋଗ୍ୟ ବୋଲି ପ୍ରମାଣ ହୋଇଛି। ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇ ଦେବା ଉଚିତ।”

ଭୁବନେଶ୍ୱରରେ ମଧ୍ୟ ଭବାନୀପାଟଣା ତାତି ଦେଖିବାକୁ ମିଳିଥିଲା। ମହିଳା କଂଗ୍ରେସ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ବିଜେପି ମଧ୍ୟ ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି। ଆଜି ବିଜେପି ପକ୍ଷରୁ ଭବାନୀପାଟଣାରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି।

ବିଜେପି ମଧ୍ୟ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରିଛି। ଆସନ୍ତାକାଲି ଏହି ଟିମ୍‌ ଭବାନୀପାଟଣା ଗସ୍ତ କରି ତଥ୍ୟ ସଂଗ୍ରାହ କରିବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, “ଏହି ଘଟଣା ଓଡ଼ିଶାର ଛବିକୁ ବାହାରେ ଖରାପ କରିଛି। ଲୋକଙ୍କ ଭାବନା ଭଙ୍ଗ ହୋଇଛି। ଶାସନରେ ଥିବା ବନ୍ଧୁମାନେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ।”

ଘଟଣାକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ଘଟଣା ଅତ୍ୟନ୍ତ ଦୁଃଖଦାୟକ। ବିରୋଧୀ ଦଳ ଭାବେ କଂଗ୍ରେସ ତାଙ୍କ ଭୂମିକା ନିଭାଉଛି। ହେଲେ କେନ୍ଦ୍ରମନ୍ତ୍ରୀ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ଉପରେ ଉତ୍ତର ଦେଇ ଆମେ ସମୟ ନଷ୍ଟ କରୁଛୁ।”

Related story