କନ୍ଧମାଳ: ୪ ମାସ ଜଳବନ୍ଦୀ ଜୀବନ କାଟନ୍ତି ରତାଖଣ୍ଡି ବାସିନ୍ଦା, ସାତ ସପନ ପାଲଟିଛି ପୋଲ

ଫୁଲବାଣୀ: କନ୍ଧମାଳ ଜିଲ୍ଳା ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର ପଞ୍ଚାୟତର ରତାଖଣ୍ଡି ଗାଁରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ଗାଁର ଚାରିପଟେ ସାଲୁଙ୍କି ନଦୀ ପ୍ରବାହିତ ହେଉଛି। ବର୍ଷା ଦିନ ଆସିଲେ ଏହି ନଦୀ ଗାଁ ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢାଇଥାଏ। ବର୍ଷା ଆସିଲେ ସାଲୁଙ୍କି ନଦୀ ଫୁଲି ଉଠିବା ସହ ପାହାଡର ଝର ପାଣି ମିଶି ପ୍ରାୟ ୧୫ ଫୁଟ ଉଚ୍ଚତାର ପ୍ରଖର ସ୍ରୋତରେ ନଦୀ ଜଳ ପ୍ରବାହିତ ହୋଇଥାଏ।  ଯାହାଫଳରେ […]

phulbani

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 05:08 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଳା ଟିକାବାଲି ବ୍ଲକ୍ ଅନ୍ତର୍ଗତ କଇଁଝର ପଞ୍ଚାୟତର ରତାଖଣ୍ଡି ଗାଁରେ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି। ଏହି ଗାଁର ଚାରିପଟେ ସାଲୁଙ୍କି ନଦୀ ପ୍ରବାହିତ ହେଉଛି। ବର୍ଷା ଦିନ ଆସିଲେ ଏହି ନଦୀ ଗାଁ ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢାଇଥାଏ। ବର୍ଷା ଆସିଲେ ସାଲୁଙ୍କି ନଦୀ ଫୁଲି ଉଠିବା ସହ ପାହାଡର ଝର ପାଣି ମିଶି ପ୍ରାୟ ୧୫ ଫୁଟ ଉଚ୍ଚତାର ପ୍ରଖର ସ୍ରୋତରେ ନଦୀ ଜଳ ପ୍ରବାହିତ ହୋଇଥାଏ।  ଯାହାଫଳରେ ୪ ମାସ ଧରି ଗ୍ରାମବାସୀମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଏହି ସମୟରେ ଗାଁର କୌଣସି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଭଗବାନଙ୍କ ଭରସାରେ ରହିବାକୁ ପଡୁଥିବା ରତାଖଣ୍ଡି ଗାଁର  ଅନିତା ପଟ୍ଟନାୟକ କହିଛନ୍ତି। ଖାଲି ସେତିକି ନୁହେଁ ବର୍ଷା ଦିନ ଆସିଲେ ପିଲାମାନଙ୍କ ପାଠ ପଢା ମଧ୍ୟ ଠପ୍ ହୋଇଯାଏ। ନଦୀ ପାର ହୋଇ ପିଲାମାନେ ସ୍କୁଲକୁ ଯାଇପାରି ନ ଥାନ୍ତି।

ଗାଁରେ ରହୁଥିବା  ବିପିଏଲ ହିତାଧିକାରୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା  ଚାଉଳ ଓ କିରୋସିନି  ଉପରେ ନିର୍ଭର କରିଥାନ୍ତି। ହେଲେ ବର୍ଷା ୪ ମାସ ଗାଁର ବିପିଏଲ୍ ହିତାଧିକାରୀ ସାଧାରଣ ବଣ୍ଟନ ବ୍ୟବସ୍ଥାର ଲାଭ ମଧ୍ୟ ପାଇ ପାରନ୍ତି ନାହିଁ।  ନଦୀ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରୁ ନଥିବାରୁ ବର୍ଷା ଦିନ ପୂର୍ବରୁ ଗାଁ ଲୋକେ ଖାଦ୍ୟ ସାମଗ୍ରୀ ମହଜୂତ ରଖିଥାନ୍ତି।

ନଦୀରେ ପୋଲ ନିର୍ମାଣ ପାଇଁ ଦୀର୍ଘ ଦିନ ହେବ  ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ  କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ବୋଲି ଗାଁର ରଞ୍ଜିତ କୁମାର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ଋତୁ ଆସିଲେ ବହୁ ନେତା ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି କିନ୍ତୁ ନିର୍ବାଚନ ସରିଲେ ନେତା ଓ ମନ୍ତ୍ରୀଙ୍କ ଦର୍ଶନ ମିଳେନାହିଁ। ତେଣୁ ଗତ ସାଧାରଣ ନିର୍ବାଚନରେ  ଗାଁ ଲୋକେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ତତ୍କାଳୀନ କନ୍ଧମାଳ ଜିଲ୍ଳାପାଳ ନିର୍ବାଚନ ସରିବା ପରେ ପୋଲ ନିର୍ମାଣ  ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଭୋଟ ବର୍ଜନରୁ ଓହରି ଥିଲେ।। କିନ୍ତୁ ନିର୍ବାଚନ ସରିବାର ବର୍ଷେ ବିତିଯାଇଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇନାହିଁ।

ଏନେଇ କନ୍ଧମାଳ ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ପଚାରିବାରୁ ସେ କହିଥିଲେ, ପୋଲ ନିର୍ମାଣ ପାଇଁ ଆଇଟିଡିଏ ଫୁଲବାଣୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ପୃଥକ୍ ପୃଥକ୍ ଭାବେ ପୋଲ ନିର୍ମାଣ ନେଇ ଏଷ୍ଟିମେଟ୍ ଓ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି। ଆଇଟିଡିଏ ପକ୍ଷରୁ ସେଠାରେ ଲୁହାର ଝୁଲା ପୋଲ କରାଯାଇ ପାରେ ଅବା ଗ୍ରାମ ଉନ୍ନୟନ ବିଭାଗ ତରଫରୁ ସେଠାରେ ଏକ ବଡ କଂକ୍ରିଟ୍ ପୋଲ ନିର୍ମାଣ କରାଯାଇପାରେ। ତେବେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଆସନ୍ତା ୧୬ ତମ ଜିଲ୍ଳା ଯୋଜନା କମିଟି ବୈଠକ ଓ ଜିଲ୍ଳା ପରିଷଦ ବୈଠକରେ ଏ ବାବଦରେ ଆଲୋଚନା କରାଯିବ ଏବଂ କେଉଁ ପ୍ରକାରର ପୋଲ ନିର୍ମାଣ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story