ନୂଆଦିଲ୍ଲୀ: ନୀତି ଆୟୋଗ ୨୦୧୯ ବର୍ଷ ପାଇଁ ‘ଇଣ୍ଡିଆ ଇନୋଭେସନ୍’ ସୂଚକାଙ୍କ ପ୍ରକାଶ କରିଛି। ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ‘ଇନୋଭେଟିଭ୍’ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି। ସବୁ ସମୟରେ ଏହି ରାଜ୍ୟରେ ରାଜନୀତିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଏହା ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ ଗତ ୨ ଦଶନ୍ଧି ଧରି ସ୍ଥିର ସରକାରର ଶାସନରେ ଥିବା ଓଡ଼ିଶା ଶ୍ରେଷ୍ଠ ୧୦ଟି ମଧ୍ୟରେ ବି ସ୍ଥାନ ପାଇନି। ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ୱାଦଶ ସ୍ଥାନରେ ରହିଛି। ତେବେ ଏନେବଲର୍ସ ଓ ପରଫର୍ମାନ୍ସ ରାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି।
ତାଲିକାରେ କର୍ଣ୍ଣାଟକା ପଛକୁ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର, ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ଶୀର୍ଷ ୧୦ଟିରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି। ଉତ୍ତର-ପୂର୍ବ ଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବାବେଳେ କେନ୍ଦ୍ର ଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ନିବେଶ ବା ଇନପୁଟ୍କୁ ଫଳାଫଳ ବା ଆଉଟପୁଟ୍ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତ୍ତରପ୍ରଦେଶ ରହିଛନ୍ତି। ଆଜି ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକ୍ନୋଲୋଜି ବିଭାଗ ସଚିବ ରେଣୁ ସ୍ୱରୂପ, ଆୟୁଷ ସଚିବ ବୈଦ୍ୟ ଜେଶ କୋଟେଚାଙ୍କ ଉପସ୍ଥିତିରେ ଏହି ସୂଚକାଙ୍କ ଜାରି କରାଯାଇଥିଲା।
ଡକ୍ଟର ରାଜୀବ କୁମାର ଏହି ଅବସରରେ କହିଥିଲେ, ଇନୋଭେସନ୍ ବ୍ୟବସ୍ଥା ଅନ୍ତର୍ଗତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଏହି ଇନୋଭେସନ୍ ସୂଚକାଙ୍କ ସମନ୍ୱୟ ପ୍ରତିଷ୍ଠା କରିବ ଏବଂ ଭାରତ ଏକ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଆଗକୁ ବଢ଼ିପାରିବ। ଅନ୍ୟପକ୍ଷରେ ଅଗଣିତ ଆହ୍ୱାନ ମଧ୍ୟରେ ବିଶ୍ୱ ଇନୋଭେସନ୍ କ୍ଷେତ୍ରରେ ନେତୃତ୍ୱ ନେବାଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଅମିତାଭ କାନ୍ତ ଏହି ଅବସରରେ କହିଥିଲେ। ସେହିଭଳି ରେଣୁ ସ୍ୱରୂପ କହିଥିଲେ ଯେ, କ୍ଲଷ୍ଟର ଆଧାରିତ ଇନୋଭେସନ୍କୁ ପ୍ରତିଦ୍ୱନ୍ଦ୍ୱିତାର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ। ଉଭୟ ନିବେଶ ଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ଇନୋଭେସନ୍ ପରିବେଶକୁ ଉନ୍ନତ କରିବାରେ ଉତ୍ତମ ଆରମ୍ଭ ବୋଲି ଆଶୁତୋଷ ଶର୍ମା କହିଥିଲେ। ବୈଦ୍ୟ କୋଟେଚା କହିଥିଲେ, ରାଜ୍ୟଗୁଡ଼ିକ ମଧ୍ୟରେ ମାନଦଣ୍ଡ ନିର୍ଦ୍ଧାରଣ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜରିଆରେ ସଂଘୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଗରେ ଏହି ସୂଚକାଙ୍କ ଏକ ଉତ୍ତମ ପ୍ରୟାସ। ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଇନୋଭେସନ୍ ପରିସଂସ୍ଥାନକୁ ଅନୁଧ୍ୟାନ କରାଯିବା ପରେ ଏହି ସୂଚକାଙ୍କ ପ୍ରକାଶ ପାଇଛି। ଦେଶରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ନିର୍ଦ୍ଦିଷ୍ଟ ଅଞ୍ଚଳର ଆର୍ଥିକ ବିକାଶ ନୀତି ପ୍ରସ୍ତୁତ କରିବା ଦିଗରେ ନୀତି ନିର୍ଦ୍ଧାରକମାନଙ୍କୁ ଏକ ସାମାଗ୍ରିକ ସାଧନ ପ୍ରଦାନ କରିବା ହେଉଛି ଏହି ସୂଚକାଙ୍କର ଉଦ୍ଦେଶ୍ୟ।
ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଏଗୁଡ଼ିକ ହେଲା ବୃହତ୍ ରାଜ୍ୟ, ଉତ୍ତର-ପୂର୍ବାଞ୍ଚଳ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ/ନଗର ରାଜ୍ୟ/କ୍ଷୁଦ୍ର ରାଜ୍ୟ। ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧି ଲାଗି ଇନୋଭେସନ୍ ଏକ ପ୍ରମୁଖ ବାହକ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିଦ୍ୱନ୍ଦ୍ୱିତା ସଂସ୍ଥାନକୁ ଜ୍ଞାନ ସହଯୋଗୀ ଭାବେ ନେଇ ନୀତି ଆୟୋଗ ପକ୍ଷରୁ ଭାରତ ଇନୋଭେସନ୍ ସୂଚକାଙ୍କ ୨୦୧୯ ପ୍ରକାଶ ପାଇଛି। ବ୍ୟାପକ ଗବେଷଣା ଏବଂ ବିଶ୍ଳେଷଣ ପରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି।
ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଇନୋଭେସନ୍ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ଇନୋଭେସନ୍ ପରିଦୃଶ୍ୟକୁ ଦେଖାଯାଇଛି। ଏହି ସୂଚକାଙ୍କ ମାଧ୍ୟମରେ ଦେଶର ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ପ୍ରଦେଶର ଇନୋଭେସନ୍ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି।
ଏହା ଜରିଆରେ ତିନୋଟି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟାସ କରାଯାଇଛି। ସେଗୁଡ଼ିକ ହେଲା ୧-ସୂଚକାଙ୍କ ଫଳାଫଳ ଆଧାରରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ରାଙ୍କ ପ୍ରଦାନ କରିବା, ୨-ସମ୍ଭାବନା ଓ ଆହ୍ୱାନ ଗୁଡ଼ିକୁ ବିବେଚନା କରିବା ଏବଂ ଇନୋଭେସନ୍ର ପ୍ରୋତ୍ସାହନ ଲାଗି ସରକାରୀ ନୀତି ପ୍ରସ୍ତୁତିରେ ସହାୟତା କରିବା। ଦୁଇଟି ସୋପାନ-ଏନେବଲର୍ସ ଓ ପରଫର୍ମାନ୍ସରେ ମିଳିଥିବା ହାରାହାରି ମାର୍କ ଆଧାରରେ ଭାରତ ଇନୋଭେସନ୍ ସୂଚକାଙ୍କ-୨୦୧୯ର ଫଳାଫଳ ପ୍ରକାଶ ପାଇଛି। ୫ଟି ସ୍ତମ୍ଭକୁ ନେଇ ସମର୍ଥକ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକର ଇନୋଭେସନ୍ ସାମର୍ଥ୍ୟକୁ ବିବେଚନା କରାଯାଇଛି।
ସେଗୁଡ଼ିକ ହେଲା ମାନବ ପୁଞ୍ଜି, ନିବେଶ, ଜ୍ଞାନ କର୍ମୀ, ବ୍ୟବସାୟିକ ପରିବେଶ ଏବଂ ସୁରକ୍ଷା ଓ ଆଇନଗତ ପରିବେଶ। ନିବେଶ ବା ଇନପୁଟ୍ ଦ୍ୱାରା ଦେଶକୁ ମିଳୁଥିବା ଲାଭକୁ ପ୍ରଦର୍ଶନ ସୋପାନ ଗ୍ରହଣ କରିଛି। ଏହାକୁ ଦୁଇଟି ସ୍ତମ୍ଭ ଯଥା ଜ୍ଞାନ ଫଳାଫଳ ଏବଂ ଜ୍ଞାନର ପ୍ରସାରରେ ବିଭକ୍ତ କରାଯାଇଛି।