ବିଜେଡି ସମାବେଶ ଉପରେ ‘କରୋନା’ ଭୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସର ଆତଙ୍କକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଜି ଘନଘନ ବୈଠକ କରିବା ସହ ପରାମର୍ଶନାମା ଜାରି କରୁଥିବାବେଳେ ମାର୍ଚ୍ଚ ୫ରୁ ୨୦ତାରିଖ ପର୍ଯ୍ୟନ୍ତ ବିଜେଡିର ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଶାସକ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଓ ନବୀନ ପଟ୍ଟନାୟକଙ୍କ ୨୦ବର୍ଷ ଶାସନର ପୂର୍ତ୍ତିକୁ ୧୫ଦିନ ଧରି ରାଜ୍ୟବ୍ୟାପୀ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ […]

bjd1

Manoranjan Sial
  • Published: Wednesday, 04 March 2020
  • , Updated: 04 March 2020, 09:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭାଇରସର ଆତଙ୍କକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଜି ଘନଘନ ବୈଠକ କରିବା ସହ ପରାମର୍ଶନାମା ଜାରି କରୁଥିବାବେଳେ ମାର୍ଚ୍ଚ ୫ରୁ ୨୦ତାରିଖ ପର୍ଯ୍ୟନ୍ତ ବିଜେଡିର ବିଭିନ୍ନ ରାଜନୀତିକ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଶାସକ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଓ ନବୀନ ପଟ୍ଟନାୟକଙ୍କ ୨୦ବର୍ଷ ଶାସନର ପୂର୍ତ୍ତିକୁ ୧୫ଦିନ ଧରି ରାଜ୍ୟବ୍ୟାପୀ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି। କିନ୍ତୁ କରୋନା ଭୟ ମଧ୍ୟରେ ଏବେ ବିଜେଡି କିଭଳି ନିଜର ରାଜନୀତିକ କାର୍ଯ୍ୟକ୍ରମ କରିବ ତାକୁ ନେଇ ଦଳୀୟ କର୍ମୀଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି।

କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଗାମୀ ହୋଲି ଉତ୍ସବ ପାଳନ କରିବ ନାହିଁ ବୋଲି ଘୋଷଣା କରିଛି। ଏପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ କହିଛନ୍ତି ଯେ, କରୋନା ରକ୍ତ ପରୀକ୍ଷା ପାଇଁ କଟକ ଏସିସିବି ମେଡିକାଲ ଓ ଆରଏମଆରସିରେ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ। କୌଣସି ସ୍ଥାନରେ ଲୋକମାନେ ଅଧିକ ସଂଖ୍ୟାରେ ଏକଜୁଟ ହୁଅନ୍ତୁ ନାର୍ହି। ଏପରିକି ବଡ଼ ସଭାସମିତି ଆୟୋଜନ କରାନଯାଉ। ହ୍ୟାଣ୍ଡସେକ୍ ଓ ଆଲିଙ୍ଗନ୍ ନକରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି। ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମଧ୍ୟ ଆଜି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସ୍କୁଲଗୁଡ଼ିକରେ କରୋନା ପ୍ରତିଷେଧକ ପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟରେ ୨୪ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲାଯିବା ସହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଗତକାଲି ମଧ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଡଭାଇଜରି ଜାରି କରି ସପିଂ ମଲ୍ ଅବା ଲୋକଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।

ତେବେ ଏସବୁ ମଧ୍ୟରେ ବିଜୁ ଜୟନ୍ତୀ ଓ ନିଜ ସରକାରର ସଫଳତା ବଖାଣିବା ପାଇଁ ବିଜେଡି ଆସନ୍ତାକାଲି କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୦ହଜାର ଲୋକଙ୍କ ସମାଗମ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ ଆଜି ଏଭଳି ସଭାସମିତି ଆୟୋଜନ ନକରିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ଶାସକ ବିଜେଡି କିଭଳି ଏହାକୁ ପାଳନ କରୁନି ଓ ଲୋକମାନଙ୍କ ଜୀବନକୁ ବିପଦକୁ ଠେଲି ଦେଉଛି ତାକୁ ମଧ୍ୟ ବିଭିନ୍ନ ମହଲରୁ ନାପସନ୍ଦ କରାଯାଉଛି। କେବଳ ସେତିକି ନୁହେଁ ମହିଳା ଦିବସରେ ରାଜ୍ୟବ୍ୟାପୀ ପ୍ରତି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବାକୁ ଦଳ ନିର୍ଦ୍ଦେଶ ଦେଇଛି। ତା’ଛଡ଼ା ସମସ୍ତ ବ୍ଲକରେ ଲୋକଙ୍କୁ ଏକଜୁଟ କରି ‘ଯୋଗ୍ୟତା କାର୍ଡ’ ବାଣ୍ଟିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସଭାସମିତିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏସବୁ କାର୍ଯ୍ୟକ୍ରମରେ ଅତିକମରେ ୫ରୁ ୧୦ହଜାର ମହିଳା ପ୍ରତି ନିର୍ବାଚନମଣ୍ଡଳୀରେ ଏକଜୁଟ ହେଲେ କରୋନା ଭଳି ମାରାତ୍ମକ ଭାଇରସ୍ ସହଜରେ ବ୍ୟାପିବାର ଆଶଙ୍କା ରହିଛି।

ତେଣୁ ବର୍ତ୍ତମାନ ପରିସ୍ଥିତିରେ ଏସବୁକୁ ଦୃଷ୍ଟିରେ ରଖି ବିଜେଡି ନିଜର ରାଜନୀତିକ ମହତ୍ୱାକାଂକ୍ଷା ଅବା ସଫଳତା ବଖାଣିବା ନିମନ୍ତେ ଏପରି ଆୟୋଜନରୁ ବିରତ ରହିବା ନିରୀହ ଲୋକମାନଙ୍କ ପାଇଁ ଶୁଭଙ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା।

Related story