ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଗଡ଼ିଲା ପ୍ରଥମ ଟ୍ରେନ୍

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଜି ଗଡ଼ିଛି ପ୍ରଥମ ଟ୍ରେନ୍। ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ନୂଆ ରେଳ ଲାଇନର ଉଦଘାଟନ କରିବା ସହିତ ଏଥରେ ପ୍ରଥମ ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହା ସହିତ ସେ ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନର ବି ଉଦଘାଟନ କରିଥିଲେ। ଏହି ଉତ୍ସବରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ୟାରୀମୋହନ ମହାପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ବୈଷ୍ଣବ ଚରଣ […]

train

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 01:35 PM IST

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଆଜି ଗଡ଼ିଛି ପ୍ରଥମ ଟ୍ରେନ୍। ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ନୂଆ ରେଳ ଲାଇନର ଉଦଘାଟନ କରିବା ସହିତ ଏଥରେ ପ୍ରଥମ ପାସେଞ୍ଜର ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହା ସହିତ ସେ ଖୋର୍ଦ୍ଧା ଓ ବେଗୁନିଆ ଷ୍ଟେସନର ବି ଉଦଘାଟନ କରିଥିଲେ।

ଏହି ଉତ୍ସବରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ୟାରୀମୋହନ ମହାପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ବୈଷ୍ଣବ ଚରଣ ପରିଡ଼ା, ରାଜ୍ୟ ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବେଗୁନିଆ ପର୍ଯ୍ୟନ୍ତ କାମ ଶେଷ ହୋଇଯାଇଛି। ତେଣୁ ଏବେ ଏହି ରେଳପଥରେ ଖୋର୍ଦ୍ଧା ଠାରୁ ବେଗୁନିଆ ପର୍ଯ୍ୟନ୍ତ ୩୨ କିଲୋମିଟର ଟ୍ରେନ୍ ଚଳାଚଳ କରିବ।

୧୯୪୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ସର୍ଭେ ହୋଇଥିଲେ ମଧ୍ୟ ଅର୍ଥ ମଞ୍ଜୁର ହୋଇଥିଲା ୧୯୯୩ ମସିହାରେ। ୨୦୦୧ରୁ ଜମି ଅଧିଗ୍ରହଣ ଆରମ୍ଭ ପରେ ୨୦୦୭ରୁ ଖୋର୍ଦ୍ଧା ପଟୁ ଆରମ୍ଭ ହୋଇଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନିର୍ମାଣ କାମ। ତେବେ ୨୮୯ କିଲୋମିଟର ଲମ୍ୱ ବିଶିଷ୍ଟ ଏହି ରେଳପଥର ଖୋର୍ଦ୍ଧା ପଟୁ ବେଗୁନିଆ ଯାଏଁ ମାତ୍ର ୩୨ କିଲୋମିଟର କାମ ସରିଛି ଓ ଆଜି ଏହା ଉଦଘାଟିତ ହୋଇଯାଇଛି। ତେଣୁ ବର୍ତ୍ତମାନ ପାଇଁ ଖୋର୍ଦ୍ଧାରୁ ବେଗୁନିଆ ପର୍ଯ୍ୟନ୍ତ ହିଁ ଟ୍ରେନ୍ ଚାଲିବ। ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ସଂପୂର୍ଣ୍ଣ ଭାବେ ଟ୍ରେନ୍ ଚଳାଚଳ କରିବା ପରେ ଖୋର୍ଦ୍ଧା ସମେତ ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏହା ଲାଇଫ୍ ଲାଇନ୍ ହେବ।

ଆଜି ଏହି ରେଳଲାଇନର ଉଦଘାଟନ କରି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ ଯେ ରେଳର ବିକାଶ ହେଲେ ହିଁ ଓଡ଼ିଶାର ବିକାଶ ହେବ। ଆଉ ଓଡ଼ିଶାର ବିକାଶ ନିହାତି ଜରୁରୀ। କାରଣ ଓଡ଼ିଶା ଭଳି ରାଜ୍ୟର ଉନ୍ନତି ହେଲେ ହିଁ ପୂରା ଦେଶର ଉନ୍ନତି ହେବ। ଓଡ଼ିଶା ଦେଶର ଅନେକ ସମସ୍ୟାକୁ ଦୂର କରିପାରିବ। ଖାସ୍ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ତାଙ୍କ ପ୍ରଥମ ପୂର୍ଣ୍ଣ ରେଳ ବଜେଟରେ ହିଁ ଓଡ଼ିଶାକୁ ପ୍ରାଧ୍ୟାନ୍ୟ ଦେଇଥିଲେ ଓ ୩,୪୦୦ କୋଟି ଟଙ୍କା ଅନୁଦାନ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର କାମ ରାଜସୁନାଖଳା ପର୍ଯ୍ୟନ୍ତ ଶେଷ ହୋଇଯିବ। ସେହିପରି ଅନୁଗୁଳ଼-ସୁକିନ୍ଦା, ତାଳଚେର-ପାରାଦୀପ ଲାଇନ ସଂପର୍କରେ ତାଙ୍କ ବିଭାଗ ଗୁରୁତ୍ୱର ସହିତ ବିଚାର କରୁଛି ବୋଲି ଶ୍ରୀ ପ୍ରଭୁ କହିଛନ୍ତି। ତା’ସହିତ ବେଗୁନିଆରେ ଏକ ସ୍କିଲ୍ ଡେଭଲପମେଣ୍ଟ୍ ସେଣ୍ଟର ଖୋଲାଯିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ।

ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥର ୫୦% ରାଜ୍ୟ ସରକାର ଦେବେ। ସେହିପରି ଦଶପଲ୍ଲା ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏହି ରେଳ ଲାଇନ ପାଇଁ ଆବଶ୍ୟକ ହେଉଥିବା ଜମି ସରକାର ମାଗଣାରେ ଯୋଗାଇ ଦେବେ। ଏହି ରେଳଲାଇନ୍ କାମ ପୂରା ହୋଇଗଲେ ଭୁବନେଶ୍ୱରରୁ ବଲାଙ୍ଗିରର ଦୂରତା କମିଯିବ। ପୁଣି ଏହି ରେଳଲାଇନ ଅନେକ ପଛୁଆ ଅଞ୍ଚଳ ଦେଇ ଯିବାକୁ ଥିବାରୁ ସେଠାକାର ଲୋକଙ୍କ ଯାତାୟତରେ ସୁବିଧା ହେବ ତଥା ସେହି ଅଞ୍ଚଳଗୁଡ଼ିକର ଆଥିର୍କ ସ୍ଥିତିରେ ଉନ୍ନତି ଆସିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ରେଳ ଯୋଗାଯୋଗ ହୋଇପାରିନଥିବା ଜିଲ୍ଲା- କେନ୍ଦ୍ରାପଡ଼ା, ଦେବଗଡ଼, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ ଆଦିକୁ ରେଳ ସଂଯୋଗ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳଲାଇନ ନିର୍ମାଣ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହାକୁ ରେଳ ବିଭାଗ ଗୁରୁତ୍ୱର ସହିତ ନେବାକୁ ସେ ଅନୁରୋଧ କରିବା ସହିତ ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ।

Related story