ପୁରୀ ଯୁବରାଜଙ୍କ ନାଁରେ ବୁଲୁଥିବା ଖବର ମିଛ

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀର ନୂଆ ଯୁବରାଜ ଭାବେ ଦର୍ଶାଇ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋ ସଂପୂର୍ଣ୍ଣ ବିଭ୍ରାନ୍ତିକର। ଯାହାକୁ ଆଜି ପୁରୀ ଶ୍ରୀନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାଇରାଲ୍ ଫଟୋଟି ୨୦୧୬ ମସିହାର ଓ ଏହା ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ସମୟର ବୋଲି ବି ସ୍ପଷ୍ଟ ହୋଇଛି । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏଭଳି ଗୁଜବକୁ ନାପସନ୍ଦ କରିଛନ୍ତି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା […]

432

Tapas Behera
  • Published: Thursday, 26 September 2019
  • , Updated: 26 September 2019, 08:58 PM IST

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀର ନୂଆ ଯୁବରାଜ ଭାବେ ଦର୍ଶାଇ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋ ସଂପୂର୍ଣ୍ଣ ବିଭ୍ରାନ୍ତିକର। ଯାହାକୁ ଆଜି ପୁରୀ ଶ୍ରୀନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭାଇରାଲ୍ ଫଟୋଟି ୨୦୧୬ ମସିହାର ଓ ଏହା ନୀଳଗିରିର ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କର ନିର୍ବନ୍ଧ ଉତ୍ସବ ସମୟର ବୋଲି ବି ସ୍ପଷ୍ଟ ହୋଇଛି । ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏଭଳି ଗୁଜବକୁ ନାପସନ୍ଦ କରିଛନ୍ତି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ଜଗନ୍ନାଥ ସଂସ୍କୃତି ଗବେଷକ।

ସୋଶାଲ୍ ମିଡିଆରେ ଘୂରି ବୁଲୁଥିବା ଏ ଫଟୋକୁ ନେଇ କୋଟି କୋଟି ଓଡ଼ିଆଙ୍କ ମନରେ ଉଙ୍କି ମାରିଛି ଅନେକ ଅସମାହିତ ପ୍ରଶ୍ନ, ନାନା କଳ୍ପନାଜଳ୍ପନା। କାରଣ ଫଟୋରେ ସମ୍ପୂର୍ଣ୍ଣ ରାଜକୀୟ ଠାଣିରେ ଥିବା ଯୁବକ ଜଣକ କୁଆଡ଼େ ହେଲେ ପୁରୀର ନୂଆ ଯୁବରାଜ। ଅର୍ଥାତ୍ ଭବିଷ୍ୟତର ଗଜପତି ମହାରାଜା ଏମିତି କିଛି ଲେଖା ଥାଇ ଏ ଭାଇରାଲ୍ ଫଟୋଟିକୁ ଯିଏ ଦେଖୁଛି କିଛି ସମୟ ଭଲକରି ଚାହୁଁଛି । ଆଉ ବିଶ୍ୱାସ ସେଇଥି ପାଇଁ ଅଧିକ ବଢୁଛି, କାରଣ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଖୋଦ୍ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଫଟୋ ସତ ହେଲେ ମଧ୍ୟ ଏହା ପଛର ଖବର ଗୁଜବ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ଫଟୋଟି ପ୍ରକୃତରେ ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜଙ୍କ ନିର୍ବନ୍ଧ ଉତ୍ସବ ସମୟର । ଯାହାକି ୨୦୧୬ ଡିସେମ୍ବରର ଜନ୍ମେଜୟଙ୍କ ନିକଟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଦେଓ ଓ ସେମାନଙ୍କ ରାଣୀ ବି ଉପସ୍ଥିତ ଅଛନ୍ତି । ହେଲେ କେହି ଖଳ ପ୍ରକୃତିର ବ୍ୟକ୍ତି ମୂଳ ଫଟୋରୁ ଢେଙ୍କାନାଳ ରାଜା-ରାଣୀଙ୍କୁ ବାଦ୍ ଦେଇ, ତଳେ ଜନ୍ମେଜୟଙ୍କୁ ପୁରୀର ନୂଆ ଯୁବରାଜ ବୋଲି ଲେଖି ସୋଶାଲ୍ ମିଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ ହୋଇଥିଲା । ଏହା ସଂପୂର୍ଣ୍ଣ ମିଛ ବୋଲି ପୁରୀ ଶ୍ରୀନଅର ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ନୀଳଗିରି ରାଜା ମଧ୍ୟ ଏହା ଖଳ ପ୍ରକୃତିର ଲୋକଙ୍କ କାମ ବୋଲି କହିଛନ୍ତି।

ଅସଲ କଥା ହେଲା ଯେହେତୁ ଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ପୁରୀ ଗଜପତିଙ୍କର ପୁତ୍ର ସନ୍ତାନ ନାହାଁନ୍ତି, ତେଣୁ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ସବୁବେଳେ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ଏମିତିକି ଖୋଦ୍ ଗଜପତି ମହାରାଜା ମଧ୍ୟ ଯେତେବେଳେ ବି ଏଭଳି ପ୍ରଶ୍ନ ଉଠିଛି, ତାହା ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା କହି ଏଡ଼ାଇ ଯାଇଛନ୍ତି । ତେବେ ଗଙ୍ଗବଂଶୀୟ ପରମ୍ପରା ବେଶ୍ ସ୍ପଷ୍ଟ ଓ ପୁତ୍ର ସନ୍ତାନ ନଥିବା ଗଜପତି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ବୋଲି ସେ ପୂର୍ବରୁ କହିସାରିଛନ୍ତି। ଏ ଭାଇରାଲ୍ ଫଟୋର ତଥ୍ୟ ତୁଚ୍ଛା ଗୁଜବ ବୋଲି ସ୍ପଷ୍ଟ ହେବା ପରେ ମହାନ୍ ଗଜପତି ପରମ୍ପରା ସହିତ ଖେଳ ଖେଳିବାର ଏଭଳି ଉଦ୍ୟମ ଯେମିତି ଆଗକୁ ନହୁଏ, ସରକାର ଯତ୍ନବାନ୍ ହେବା ଜରୁରୀ ହୋଇପଡ଼ିଛି।

Related story