Advertisment

ଗୁମୁରୀ କାନ୍ଦୁଛି ଡୁମୁରିଗୁଡ଼ା; ବିଡିଓଙ୍କ ପାଖରେ ନାହିଁ ଖବର

ଚାରି ପାଖରେ ଘଞ୍ଚ ପାହାଡ଼। ତାହାରି ଭିତରେ ରହିଛି ଡୁମୁରିଗୁଡ଼ା ଗାଁ। ଲମତାପୁଟ ବ୍ଲକ୍‌ ସଦର ମହକୁମାଠାରୁ ୩୦ କିମି ଗଲେ ପଡ଼ିଥାଏ ଏହି ଗାଁ। ୩୦ରୁ ଅଧିକ ଆଦିବାସୀ ପରିବାର ଗାଁରେ ବସବାସ କରୁଛନ୍ତି।

ଅଦ୍ୟତନ ହୋଇଛି
Dumuriguda

Dumuriguda

Advertisment

ନାହିଁ ନାହିଁର ଗାଁ ହେଉଛି ଡୁମୁରିଗୁଡ଼ା। ମାଳ ମାଳ ସମସ୍ୟାର ଜଞ୍ଜିରରେ ବାନ୍ଧି ହୋଇଛି ଡୁମୁରିଗୁଡ଼ା। ସେଥିପାଇଁ ଗୁମୁରୀ କାନ୍ଦୁଛି ଡୁମୁରିଗୁଡ଼ା। ସବୁଠାରୁ ମଜାଦାର କଥା ହେଉଛି ନାନା ସମସ୍ୟା ଭିତରେ ଘାଣ୍ଟି ହେଉଥିବା ଏହି ଗାଁ ସମ୍ପର୍କରେ ବିଡିଓଙ୍କ ପାଖରେ କୌଣସି ଖବର ନାହିଁ।

Advertisment

ଏହି ଗାଁଟି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ରହିଛି। ଗାଁ ଚାରି ପାଖରେ ରହିଛି ଘଞ୍ଚ ପାହାଡ଼। ଲମତାପୁଟ ବ୍ଲକ୍‌ ସଦର ମହକୁମାଠାରୁ ୩୦ କିମି ଗଲେ ପଡ଼ିଥାଏ ଏହି ଗାଁ। ୩୦ରୁ ଅଧିକ ଆଦିବାସୀ ପରିବାର ଗାଁରେ ବସବାସ କରୁଛନ୍ତି। ଏମାନେ ସାଧାରଣତଃ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ଭରଣ ପୋଷଣ କରୁଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ଗାଁ ସମସ୍ୟାର ଜଞ୍ଜିରରେ ବାନ୍ଧି ହୋଇ ରହିଛି। ନା ଗାଁକୁ ରାସ୍ତା ଅଛି ନା ଗାଁରେ ପାନୀୟ ଜଳ ବ୍ୟବସ୍ଥା ଅଛି। ସ୍କୁଲ ଓ ଚିକିତ୍ସାଳୟ ନାହିଁ। ଅଙ୍ଗନବାଡ଼ି କର୍ମୀ ଅଛନ୍ତି। ହେଲେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ।

ଡୁମୁରିଗୁଡ଼ା ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି, ତାହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଅତି ଦୟନୀୟ ସ୍ଥିତି। ଆବୁଡ଼ା ଖାବୁଡ଼ା ପଥୁରିଆ ଜଙ୍ଗଲୀ ରାସ୍ତା। ପୁଣି ପାଦେ ପାଦେ ଅଛି ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ। ଭାଗ୍ୟକୁ ଆଦରି ସେହି ରାସ୍ତା ଦେଇ ପ୍ରତିଦିନ ଲୋକମାନେ ଯିବା ଆସିବା କରୁଛନ୍ତି। ଏହି ଗାଁରୁ ୫ କିମି ଚାଲିବା ପରେ ପଡ଼େ ମୁଣ୍ଡାପୁଟ ଗାଁ। ତା’ପରେ ସେଠାରେ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ବିକଳ୍ପ ଦେଖିବାକୁ ପଡ଼ିବ।

Advertisment

ଡୁମୁରିଗୁଡ଼ା ଗାଁ ଦେଇ ବୋହି ଯାଇଛି ମୁଣ୍ଡଫଟା ନାଳ। ଏହି ପାହାଡ଼ି ନାଳରେ ବର୍ଷକ ବାର ମାସ ପାଣି ପ୍ରବାହିତ ହୋଇଥାଏ। ଗାଁରେ ନଳକୂପ ନଥିବାରୁ ଏହା ଲୋକଙ୍କର ପାଣିର ଆବଶ୍ୟକତା ପୂରଣ କରିଥାଏ। ହେଲେ ବର୍ଷା ଋତୁରେ ଏହି ନାଳ ଦେଇଥାଏ ନାନା ଯାତନା। ବର୍ଷା ଦିନରେ ନାଳରେ ଅଧିକ ପାଣି ପ୍ରବାହିତ ହୁଏ। ତେଣୁ ପୂରା ବର୍ଷା ଋତୁରେ ଗାଁଟି ବିଚ୍ଛିନ୍ନ ହୋଇରହିଯାଏ। 

Dumurigudaଗାଁର ମହିଳାମାନେ ନାଳରୁ ପାଣି ନେଉଛନ୍ତି

କେବଳ ଗମନାଗମନ ନୁହେଁ, ୩୦ ଆଦିବାସୀ ପରିବାର ବାସ କରୁଥିବା ଏହି ଗାଁରେ ସ୍କୁଲଟିଏ ନାହିଁ। ପାଠ ପଢ଼ିବାକୁ ପିଲାଏ ୫ କିମି ଦୂରରେ ଥିବା ସିକ୍ରେଲ୍‌ ବିଦ୍ୟାଳୟକୁ ଯାଉଛନ୍ତି। ତେବେ ଖରାପ ରାସ୍ତା ତଥା ଜଙ୍ଗଲୀ ଜୀବଜନ୍ତୁଙ୍କ ଭୟ ଯୋଗୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌କୁ ପଠାଉ ନାହାନ୍ତି। ଯେଉଁଥିପାଇଁ ବହୁ ପିଲା ପାଠପଢ଼ାରେ ଡୋରି ବାନ୍ଧି ପରିବାର ଲୋକଙ୍କୁ କାମରେ ସହଯୋଗ କରୁଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ଛୋଟଛୋଟ ପିଲାଙ୍କ ପାଇଁ ଗାଁରେ ଜଣେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ପାଇଛନ୍ତି। ହେଲେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର।

୨୦୨୪ ମସିହା ସୁଦ୍ଧା ଓଡ଼ିଶାରେ ଘରେ ଘରେ ଟ୍ୟାପ୍‌ ପାଣି ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଡୁମୁରିଗୁଡ଼ା ଗାଁରେ ଟ୍ୟାପ୍‌ ପାଣିର ପଦ ଚିହ୍ନ ନାହିଁ। ଟ୍ୟାପ୍‌ ପାଣି କ’ଣ, ଗାଁରେ ନଳକୂପ ଓ କୂଅ ନାହିଁ। ତେଣୁ ଗାଁ ଲୋକେ ପାଣି ମୁନ୍ଦାଏ ପାଇଁ ନାଳ ଉପରେ ନିର୍ଭର କରୁଛନ୍ତି।  

Dumurigudaଦୂରରୁ ଏମିତି ଦେଖାଯାଉଛି ଡୁମୁରିଗୁଡ଼ା ଗାଁ

ଗାଁ ଲୋକ ଭତ୍ତା ଓ ଅନ୍ୟାନ୍ୟ ସରକାରୀ ଯୋଜନାର ସୁବିଧା ପାଉଛନ୍ତି। ସେଥିପାଇଁ ସେମାନଙ୍କୁ ୧୫ କିମି ଦୂର ଚିକେନ୍‌ପୁଟ୍‌ ପଞ୍ଚାୟତ ଅଫିସ୍‌କୁ ଯିବାକୁ ପଡ଼ୁଛି। ଗାଁରେ କାହାରି ପାଖରେ ସାଇକେଲଟିଏ ନାହିଁ। ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକମାନେ ସାଇକେଲ୍‌ କିଣୁନଥିବା କହିଛନ୍ତି।

ଗାଁର ଚନ୍ଦ୍ରମା ଖରା କହିଛନ୍ତି, ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ପିଇବା ପାଇଁ ପାଣି ନାହିଁ। ନାଳ ପାଣି ପିଇ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ରୋଗରେ ଆକ୍ରାନ୍ତ ହେଲେ ରୋଗୀଙ୍କୁ ମେଡିକାଲ୍‌ ନେବା ପାଇଁ ଗାଁକୁ ଆମ୍ୱୁଲାନ୍ସ ଆସିପାରୁ ନାହିଁ। ରାସ୍ତା ନଥିବାରୁ ଏପରି ସମସ୍ୟା ହେଉଛି। କିନ୍ତୁ ଆମ କଥା କେହି ବୁଝୁନାହାନ୍ତି।

Dumurigudaଗାଁକୁ ଯିବା ବାଟରେ ଅଛି ଏହି ନାଳ

ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଅନେକ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ଡୁମୁରିଗୁଡା ଗାଁ ସମସ୍ୟା ସମ୍ପର୍କରେ ଲମତାପୁଟ ବିଡିଓଙ୍କ ପାଖରେ କୌଣସି ଖବର ନାହିଁ। କେବଳ ଗଣମାଧ୍ୟମରୁ ଏ ସମ୍ପର୍କରେ ଜାଣିବାକୁ ପାଇଛନ୍ତି ବୋଲି କହିଛନ୍ତି। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି ଲମତାପୁଟ ବିଡ଼ିଓ କର୍ଣ୍ଣଦେବ ସମାଦର କହିଛନ୍ତି।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe