କୁଡୁମୀ ଜାତିର ରଣ ହୁଙ୍କାର- ଆଜି ରେଳରୋକ, ଆଗକୁ ବନ୍ଦ ହେବ ଅଖଚକ

ବାରିପଦା(ମାଣିକ ଲାଲ ପାଣି): ‘କୁଡ଼ୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କର। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆମକୁ ଠକି ଚାଲିଛନ୍ତି। ଏପରି ବେଶି ଦିନ ଚାଲିବ ନାହିଁ। ପ୍ରତିବାଦରେ ଆଜି ରେଳରୋକ କରୁଛୁ । ଦରକାର ପଡ଼ିଲେ ଆଗକୁ ଅଖଚକ ସବୁ ବନ୍ଦ କରିଦେବୁ। ’ ପୁନଃ ଆଦିବାସୀ ତାଲିକାଭୁକ୍ତ ଦାବିରେ ଆଜି କୁଡୁମୀ ଜାତିର ଶତାଧିକ ଲୋକ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ରେଳରୋକ […]

train

  • Published: Tuesday, 20 September 2022
  • , Updated: 20 September 2022, 12:08 PM IST

ବାରିପଦା(ମାଣିକ ଲାଲ ପାଣି): ‘କୁଡ଼ୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କର। ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆମକୁ ଠକି ଚାଲିଛନ୍ତି। ଏପରି ବେଶି ଦିନ ଚାଲିବ ନାହିଁ। ପ୍ରତିବାଦରେ ଆଜି ରେଳରୋକ କରୁଛୁ । ଦରକାର ପଡ଼ିଲେ ଆଗକୁ ଅଖଚକ ସବୁ ବନ୍ଦ କରିଦେବୁ। ’ ପୁନଃ ଆଦିବାସୀ ତାଲିକାଭୁକ୍ତ ଦାବିରେ ଆଜି କୁଡୁମୀ ଜାତିର ଶତାଧିକ ଲୋକ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ରେଳରୋକ କରିବା ସହ ଏପରି ରଣହୁଙ୍କାର ଦେଇଛନ୍ତି।

ଫଳରେ ବାରିପଦାଠାରେ ବାଙ୍ଗିରିପୋଷି -ଭୁବନେଶ୍ୱର ସୁପର୍ ଫାଷ୍ଟ  ଏବଂ ବାରିପଦା -ସାଲିମାର କଲିକତା ଟ୍ରେନ୍  ଅଟକି ରହିଛି। କୁଡୁମୀ ସେନା , ଆଦିବାସୀ କୁଡୁମୀ ସମାଜ ଏବଂ ମିଳିତ କୁଡୁମୀ ସମାଜ ପରି ସଂଗଠନମାନେ ଭିନ୍ନ ଭିନ୍ନ ସ୍ଥାନରେ ଏହି ରେଳ ରୋକ କରିଛନ୍ତି।  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅଁଳା ଯୋଡ଼ିଠାରେ ମଧ୍ୟ ରେଳରୋକ କରାଯାଇଛି । ଫଳରେ ଶହ ଶହ ଯାତ୍ରୀ ହଇରାଣ ହେଉଛନ୍ତି।  ଏହି ଦାବି ପରିପ୍ରେକ୍ଷୀରେ ଆଜି ଓଡ଼ିଆ,ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ରାଜ୍ୟର କୁଡୁମୀ ସମ୍ପ୍ରଦାୟର ଲୋକମାନେ  ଭିନ୍ନ ଭିନ୍ନ ସ୍ଥାନରେ ରେଳରୋକ କରୁଛନ୍ତି।

ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟର ଲୋକମାନେ ପୂର୍ବରୁ ଆଦିବାସୀ ତାଲିକା ଭୁକ୍ତ ଥିଲେ । ହେଲେ ଏହି ତାଲିକାରୁ ବାଦ ଦେବା ପରେ ସେମାନେ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ପଡୁଛନ୍ତି । ଏ ନେଇ ଦୀର୍ଘ ଦିନରୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଦାବି ହୋଇ ଆସୁଛି। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି।

[caption id="attachment_767675" align="aligncenter" width="650"] ଭଞ୍ଜପୁର ଷ୍ଟେଶନରେ ଟ୍ରେନ ଅଟକି ରହିଛି।[/caption]

ଆଦିବାସୀ କୁଡ଼ୁମୀ ସମାଜର ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ମହାନ୍ତ କହିଛନ୍ତି, ‘ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶାରେ ଥିବା ୧୩ ଜାତି ମଧ୍ୟରୁ ୧୨ ଜାତିକୁ ୧୯୫୦ରେ ଆଦିବାସୀ ତାଲିକାଭୁକ୍ତ କରାଗଲା। ହେଲେ କୁଡ଼ୁମୀ ଜାତିକୁ ଏଥିରୁ ବାଦ ଦିଆଗଲା। ୭୨ ବର୍ଷ ହେଲା ଆମେ ଦାବି ରଖି ଆସୁଛୁ। ହେଲେ କେହି ଶୁଣୁ ନାହାନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆମକୁ ପ୍ରତିଶ୍ରୁତି ଦେଇ ବି ଠକି ଚାଲିଛନ୍ତି। ’

ଏଥିସହ ସେ କହିଛନ୍ତି, ୨୦୦୪ରେ ଯଶୀପୁରରେ ନବୀନ ପଟ୍ଟନାୟକ କହିଥିଲେ କୁଡ଼ୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବାକୁ କେନ୍ଦ୍ରକୁ ସୁପାରିଶ କରିବି। ହେଲେ ଏ ଯାଏ ତାହା ହୋଇପାରିନି । ତେଣୁ ଯେ ପର୍ଯ୍ୟନ୍ତ ସରକାର ଆମ କଥା ନ ଶୁଣିବେ, ଆଗାମୀ ଦିନରେ ରେଳରୋକ ତଥା ରାଜରାସ୍ତାକୁ ବ୍ଲକ କରିବୁ। ଏପରିକି ଦରକାର ପଡ଼ିଲେ ଆଗାମୀ ଦିନରେ ଅଖଚକ ସବୁ ବନ୍ଦ କରିବୁ।

ଏନେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି, ଆଦିବାସୀ ତାଲିକାଭୁକ୍ତ ପାଇଁ ଆମେ ଆନ୍ଦୋଳନ କରି ଆସୁଛୁ। ଏ ଦିଗରେ ମୁଁ ମୋ’ ସ୍ୱରକୁ ଅଧିକ ଶାଣିତ କରିବି।

Related story