ବିଜେଡିରୁ କୁସୁମଙ୍କ ଇସ୍ତଫା: କହିଲେ, ୫ ବର୍ଷ ଚାକର ଭଳି ଖଟାଇ ଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକେଟ୍ ଆଶା ଧୂଳିସାତ୍ ହେବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ। ଏପରିକି ବିଜେଡି ଛାଡ଼ିବେ ନାହିଁ ବୋଲି ବି କହିଥିଲେ। ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଏହି ସମୟରେ ସେ କାନ୍ଦି ପକାଇଥିଲେ। ପ୍ରାର୍ଥୀ ଚୟନରେ ଅସନ୍ତୋଷ […]

kusum1

Jitendra Garnayak
  • Published: Tuesday, 19 March 2019
  • , Updated: 19 March 2019, 12:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିକେଟ୍ ଆଶା ଧୂଳିସାତ୍ ହେବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି କୁସୁମ ଟେଟେ। ଦୁଇ ଦିନ ତଳେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ବେଳେ ସେ ଟିକେଟ୍ ପାଇବା ନେଇ ଆଶାବାଦୀ ଥିଲେ। ଏପରିକି ବିଜେଡି ଛାଡ଼ିବେ ନାହିଁ ବୋଲି ବି କହିଥିଲେ। ତେବେ ଆଜି ଗଣମାଧ୍ୟମ ସମ୍ମୁଖରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଏହି ସମୟରେ ସେ କାନ୍ଦି ପକାଇଥିଲେ।

ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି କୁସୁମ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇବେ ବୋଲି ଆଶା ରଖିଥିଲେ। ତେବେ ଦଳ ତାଙ୍କ ବଦଳରେ ଯୋଗେଶ ସିଂହଙ୍କୁ ଟିକେଟ୍ ଦେଇଛି। ଯୋଗେଶ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

କୁସୁମ ତାଙ୍କ ଅସନ୍ତୋଷ ଜାହିର କରି କହିଛନ୍ତି ଯେ ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଲା। କିନ୍ତୁ ଏବେ ପରିଣାମ ଏୟା। ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା କଥା ମିଛ।

କୁସୁମ ଦଳୀୟ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଲେଖିଛନ୍ତି,“ଯେଉଁ ବ୍ୟକ୍ତି ମଦ ବ୍ୟବସାୟ, କୋଇଲା ବେପାର ଓ ସ୍ଥାନୀୟ ଅଞ୍ଚଳର ପ୍ରତି ଅବହେଳା ବିରୋଧରେ ମୁଁ ବାରମ୍ବାର ସ୍ୱର ଉତ୍ତୋଳନ କରି ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି, ତାଙ୍କ ସପକ୍ଷରେ ମୁଁ ପ୍ରଚାର କରିପାରିବି ନାହିଁ। ତେଣୁ ମୁଁ ବିଜୁ ଜନତା ଦଳର ସମସ୍ତ ପଦବୀରୁ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରୁଛି।”

ସମର୍ଥକମାନଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ୨୦୧୯ ନିର୍ବାଚନ ସେ ଲଢ଼ିବେ ବୋଲି କହିଛନ୍ତି।

[caption id="attachment_355164" align="aligncenter" width="750"] ଯୋଗେଶ ସିଂହ, ବିଜେଡିର ସୁନ୍ଦରଗଡ଼ ବିଧାନସଭା ଆସନ ପ୍ରାର୍ଥୀ[/caption]

ଦୁଇ ଦିନ ତଳେ ବ୍ୟକ୍ତିଗତ କାରଣ ଦର୍ଶାଇ କୁସୁମ ଟେଟେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଗତ ମାସରେ କଂଗ୍ରେସର ପୂର୍ବତନ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗ ଦେବା ପୂର୍ବରୁ କୁସୁମଙ୍କୁ ଏହି ପଦ ଦିଆଯାଇଥିଲା। ଯୋଗେଶ ବିଜେଡିରେ ମିଶିବା ନେଇ ସେ ଅସନ୍ତୁଷ୍ଟ ଥିଲେ। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପଦ ଦିଆଯାଇଥିଲା।

ଏହି ପଦରୁ ଇସ୍ତଫା ଦେବା ପରେ କୁସୁମ କହିଥିଲେ ଯେ ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ସେ ବିଧାୟକ ନ ହୋଇ ମଧ୍ୟ ତାଙ୍କ ଅଞ୍ଚଳରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ତାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛନ୍ତି। ଏପରିକି ସେ ବିଜେଡିରୁ ଟିକେଟ୍ ପାଇବା ନେଇ ଗ୍ରୀନ୍‌ସିଗ୍‌ନାଲ୍ ପାଇଥିବା କହିଥିଲେ।

ସୂଚନାଯୋଗ୍ୟ, ୨୦୧୪ରେ କୁସୁମ ଟେଟେ ବିଜେଡି ଟିକେଟ୍‌ରେ ସୁନ୍ଦରଗଡ଼ରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ଯୋଗେଶ ସିଂହଙ୍କଠାରୁ ୧୨,୫୮୪ ଖଣ୍ଡ ଭୋଟ୍‌ରେ ହାରି ଯାଇଥିଲେ। କଂଗ୍ରେସ ପ୍ରାର୍ଥୀ ଭାବେ ଯୋଗେଶ ଯୋଗେଶ ୬୬,୧୩୮ଟି ଭୋଟ୍ ପାଇଥିବା ବେଳେ କୁସୁମ ୫୩,୫୫୪ଟି ଭୋଟ୍ ପାଇଥିଲେ।

Related story