ସାଢ଼େ ୫ବର୍ଷରେ ଅସଲ ଖିଲାଡ଼ିଙ୍କୁ ଧରିନପାରିବା ପଛରେ ଚାପ ନା ଚକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୬ ବର୍ଷ ପରେ ପୁଣି ତାଜା ହୋଇଛି ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା । କାରଣ ଦୀର୍ଘ ୫ ବର୍ଷର ଅନୁସନ୍ଧାନ ଅବଧି ଭିତରେ କ୍ରାଇମ୍‌ବ୍ରାଞ୍ଚ ଅସଲ ଖିଲାଡ଼ିଙ୍କ ପାଖରେ ତ ପହଞ୍ଚିପାରିନି । ବରଂ ଅକଳରେ ପଡ଼ି ତଦନ୍ତ ସାରିବାକୁ ଲୋକାୟୁକ୍ତଙ୍କୁ ମାଗିଛି ଆହୁରି ୬ ମାସ ସମୟ। ସେପଟେ ଜଙ୍ଗଲ ଜମି ଭିତର ଦେଇ ସେତେବେଳେ ଯେଉଁ ବେଆଇଇନ୍ ରାସ୍ତା ନିର୍ମାଣ ହେଉଥିଲା, ତାହା କାହା ଇସାରାରେ ଚାଲିଥିଲା ଓ […]

r-908

Tapas Behera
  • Published: Thursday, 19 December 2019
  • , Updated: 19 December 2019, 07:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୬ ବର୍ଷ ପରେ ପୁଣି ତାଜା ହୋଇଛି ବହୁଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା । କାରଣ ଦୀର୍ଘ ୫ ବର୍ଷର ଅନୁସନ୍ଧାନ ଅବଧି ଭିତରେ କ୍ରାଇମ୍‌ବ୍ରାଞ୍ଚ ଅସଲ ଖିଲାଡ଼ିଙ୍କ ପାଖରେ ତ ପହଞ୍ଚିପାରିନି । ବରଂ ଅକଳରେ ପଡ଼ି ତଦନ୍ତ ସାରିବାକୁ ଲୋକାୟୁକ୍ତଙ୍କୁ ମାଗିଛି ଆହୁରି ୬ ମାସ ସମୟ। ସେପଟେ ଜଙ୍ଗଲ ଜମି ଭିତର ଦେଇ ସେତେବେଳେ ଯେଉଁ ବେଆଇଇନ୍ ରାସ୍ତା ନିର୍ମାଣ ହେଉଥିଲା, ତାହା କାହା ଇସାରାରେ ଚାଲିଥିଲା ଓ କଥା ପଦାକୁ ନଆସିବା ପଛରେ କାହାର ରହିଛି ଚକ୍ରାନ୍ତ, ତାହା ବି ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି।

ବୁଦୁ ବୁଦିକା ଜଙ୍ଗଲ ସାଙ୍ଗକୁ ଅଧାଗଢ଼ା ପାଚେରି । ଆଉ ସେମିତି ଅଛି ପାଦଚଲା ରାସ୍ତା । ଭୁବନେଶ୍ୱର ଉପକଣ୍ଠ ଘଙ୍ଗାପାଟଣାର ଇଏ ସେହି ଚର୍ଚ୍ଚିତ ଜମି ଯାହାକୁ ନେଇ ୬ବର୍ଷ ତଳେ ସୃଷ୍ଟି ହୋଇଥିଲା ହଇଚଇ । ଅଭିଯୋଗ ଆସିଥିଲା, ଶାସକ ଦଳର ନେତା ଓ ସରକାରୀ କର୍ମଚାରୀଙ୍କ ସଲାସୁତରାରେ ହଡ଼ପ୍ ହୋଇଛି କୋଟି ଟଙ୍କାର ମୂଲ୍ୟବାନ ଜମି । ଓଟିଭିରେ ଏହାର ପର୍ଦ୍ଦାଫାସ୍ ପରେ ୨୦୧୪ ଅଗଷ୍ଟରେ କ୍ରାଇମବାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ୨ମାସରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା, ହେଲେ ସାଢେ ପାଞ୍ଚ ବର୍ଷ ପରେ ବି ଅସଲ ଖିଲାଡିଙ୍କ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ । ଆରମ୍ଭରୁ କେତେ ଜଣ ନିରୀହ ଆଦିବାସୀଙ୍କୁ ଗିରଫ ସହ କିଛି ପ୍ରଶାସନିକ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ସବୁ ଠପ୍ । ଏଣେ ମାମଲା ଲୋକାୟୁକ୍ତଙ୍କ ପାଖକୁ ଯିବା ପରେ ଅକଳରେ ପଡ଼ି ତଦନ୍ତ ସାରିବାକୁ ଆହୁରୀ ୬ ମାସ ମାଗିଛି କ୍ରାଇମବ୍ରାଞ୍ଚ।

କ୍ରାଇମବାଞ୍ଚ ରିପୋର୍ଟ ଅନୁଯାୟୀ, ୨୦୧୪ ମସିହାରେ ଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନତିରେ ଦୁଇଟି ସଂସ୍ଥାଙ୍କ ନାଁରେ ଆସିଥିଲା ଅଭିଯୋଗ। ଗୋଟିଏ ଗୋକର୍ଣ୍ଣେଶ୍ୱର ଟ୍ରଷ୍ଟ। ଯାହାର ଟ୍ରଷ୍ଟି ଶାସକଦଳର ବିଧାୟକ ପ୍ରଣବ ବଳବନ୍ତ ରାୟ। ଅନ୍ୟଟି ବିଜେପି ନେତା କନକର୍ଦ୍ଧନଙ୍କ ଝିଅଙ୍କ ନିଭ୍ରିତ୍ତି ଏକ୍ସପୋର୍ଟ କମ୍ପାନୀ । ଉଭୟ ସଂସ୍ଥାଙ୍କ ନାଁରେ ପ୍ରାୟ ୧୨ ଏକର ଜମି କିଣାଯାଇଛି। ହେଲେ କିଣିବା ସମୟରେ ଜମିର ସ୍ଥିତି କଣ ଥିଲା ? ଏ ଜମି ବିକ୍ରି ଯୋଗ୍ୟ ନଥିଲା ବେଳେ ଏସଂସ୍ଥା ଦ୍ୱୟ ଜମି କିଣିଲେ କେମିତି  ତାହା ଏଯାଏଁ ଅସ୍ପଷ୍ଟ ହୋଇଛି।

ବଡ଼ କଥା ହେଲା, ସେତେବେଳେ ଉକ୍ତ ଜମିରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ରସ୍ତା ନିର୍ମାଣ ହୋଇଥିଲା ସେ ନେଇ କିନ୍ତୁ ଲୋକାୟୁକ୍ତଙ୍କୁ ଦିଆଯାଇଥିବା ରିପୋର୍ଟରେ ପଦୁଟିଏ ବି ନାହିଁ । ତେଣୁ ଏଠି ପ୍ରଶ୍ନ, ଜଙ୍ଗଲ ଜମି ଭିତର ଦେଇ ଯେଉଁ ବେଆଇନ୍ ରାସ୍ତା ନିର୍ମାଣ ହେଉଥିଲା, ତାହା କାହା ଇସାରାରେ ଚାଲିଥିଲା ଓ ସେକଥା ପଦାକୁ ନଆସିବା ପଛରେ କାହାର ରହିଛି ଚକ୍ରାନ୍ତ।

Related story