ଆଇନ ଶୃଙ୍ଖଳା ଓ ସ୍କୁଲବନ୍ଦ ଝଡ଼, ଗୃହ ୯ ଥର ମୁଲତବୀ: ଆସନ୍ତାକାଲି ହେବ ଆଲୋଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଗୃହ ଝଡ଼ ସୃଷ୍ଟି ହୋଇଥିଲା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ଦୁଇ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଦାବି କରିବା ଯୋଗୁ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା ଓ ଗୃହ ୯ଥର ମୁଲତବୀ ରହିଥିଲା। ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍କୁଲବନ୍ଦ ପ୍ରସଙ୍ଗରେ ଆସନ୍ତାକାଲି ବିସ୍ତୃତ ଆଲୋଚନା ନିମନ୍ତେ ସରକାର ରାଜି ହୋଇଥିବା ଜଣାପଡ଼ିଛି। ଆଜି […]

assemble

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଗୃହ ଝଡ଼ ସୃଷ୍ଟି ହୋଇଥିଲା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଏହି ଦୁଇ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଦାବି କରିବା ଯୋଗୁ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା ଓ ଗୃହ ୯ଥର ମୁଲତବୀ ରହିଥିଲା। ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ସ୍କୁଲବନ୍ଦ ପ୍ରସଙ୍ଗରେ ଆସନ୍ତାକାଲି ବିସ୍ତୃତ ଆଲୋଚନା ନିମନ୍ତେ ସରକାର ରାଜି ହୋଇଥିବା ଜଣାପଡ଼ିଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ସ୍କୁଲବନ୍ଦ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ ଯେ, ରାଜ୍ୟରେ ଦୁଇଟିଯାକ ହାଜତମୃତ୍ୟୁ ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ଆଇଏଏସ୍ ଓ ଆଇପିଏସ୍ ଅଫିସରମାନଙ୍କୁ ଏ ସରକାର ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ଥିବା ଭଳି ଅନୁଭବ ହେଉନାହିଁ। ବଲାଙ୍ଗିରରେ ଘରେ ପଶି ଦୁବୃର୍ତ୍ତମାନେ ୬ଜଣଙ୍କୁ ମାରିଦେଲେ। ମହିଳାଙ୍କୁ ଯିଏ ଅସମ୍ମାନ କରୁଛି ବିଜେଡି ସରକାର ତାକୁ ଘଣ୍ଟ ଘୋଡ଼ାଉଛି। ଏଭଳି ସ୍ଥିତିରେ ଲୋକେ କିପରି ରାଜ୍ୟରେ ରହିବେ ବୋଲି ସେ ପ୍ରଶ୍ନ କରିଥିଲେ। ତେଣୁ ତୁରନ୍ତ ଏହି ପ୍ରସଙ୍ଗକୁ ମୋସନ୍ ଆକାରରେ ଆଲୋଚନା କରିବା ନିମନ୍ତେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି। ସରକାର କିଛି କରୁନାହାନ୍ତି। ଶାନ୍ତିର ରାଜ୍ୟ ଓଡ଼ିଶା ହୋଇଥିବାବେଳେ ଏବେ ଧୀରେଧୀରେ ତା’ର ଅବନତି ହେଉଛି। ସେ ସୁନ୍ଦରଗଡ଼ ହାଜତମୃତ୍ୟୁ ପାଇଁ ସେଠାର ଜିଲ୍ଲା ଏସପିଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ ପୁରୀ ଏସପିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସେହିପରି ବିଜେଡି ବିଧାୟକ ଅମରପ୍ରସାଦ ଶତପୀ କହିଥିଲେ ଯେ ଏହି ଘଟଣା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ତେଣୁ ଏହା ଉପରେ ଆଲୋଚନା ସମ୍ଭବପର ନୁହେଁ।ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ବ୍ୟକ୍ତ କରିଥିଲେ।

ସଦସ୍ୟମାନଙ୍କ ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ବିରୋଧୀଦଳ ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି। ଏହା ଉପରେ ଆଲୋଚନାର ସୁଯୋଗ ରହିଛି। ମାତ୍ର ବିରୋଧୀ ଦଳ ନେତା ଶ୍ରୀ ନାଏକ ଏହି ପ୍ରସଙ୍ଗରେ ଆଲୋଚନା ମୋସନ ଆକାରରେ କରାଗଲେ ସମସ୍ତ ସଦସ୍ୟ ଭାଗ ନେବାର ସୁଯୋଗ ପାଇବେ କହି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ବିରୋଧୀ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଗୃହ ୧୫ମିନିଟ୍ ଲେଖାଏଁ ୨ଥର ମୁଲତବୀ ହେବାପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଅପରାହ୍ନ ୩ଟାରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ଗୃହରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ। ଗୃହକୁ ଦ୍ୱିତୀୟ ପର୍ଯ୍ୟାୟରେ ବାରମ୍ବାର ମୁଲତବୀ କରିଥିଲେ। ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ସରକାରୀ ଦଳ ମୁଖ୍ୟ ସଚେତକ ସ୍କୁଲବନ୍ଦ ପ୍ରସଙ୍ଗରେ ପ୍ରସ୍ତାବ ଆଣିବେ ଓ ଏହା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅବଗତ କରିଛନ୍ତି।

Related story