ଜେଲ୍ ଗଲେ, ସସ୍‌ପେଣ୍ଡ ହେଲେ; ଶେଷରେ ଆନ୍ଦୋଳନ ସ୍ଥଗିତ କଲେ ଓକିଲ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି ଉଗ୍ର ଆନ୍ଦୋଳନ। ଗିରଫ ହେଲେ, ଲାଇସେନ୍ସ ସସ୍‌ପେଣ୍ଡ ବି ହେଲା। ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା, ହଙ୍ଗାମା ଘଟଣାରେ ୧୬ ଆଇନଜୀବୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଲା ସମ୍ବଲପୁର ପୁଲିସ୍। ଓକିଲଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ପୁଲିସ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ୍ ଆଜି ଏଭଳି ଆକ୍ସନ ମୁଡ଼୍‌ରେ ଆସିଛି। ସେପଟେ ସୁପ୍ରିମକୋର୍ଟଙ୍କ ଛାଟ ପରେ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ମଧ୍ୟ ଆନ୍ଦୋଳନରେ ସଂପୃକ୍ତ ଆଉ ୧୪ […]

lawrr

  • Published: Tuesday, 13 December 2022
  • , Updated: 13 December 2022, 09:05 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି ଉଗ୍ର ଆନ୍ଦୋଳନ। ଗିରଫ ହେଲେ, ଲାଇସେନ୍ସ ସସ୍‌ପେଣ୍ଡ ବି ହେଲା। ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା, ହଙ୍ଗାମା ଘଟଣାରେ ୧୬ ଆଇନଜୀବୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଲା ସମ୍ବଲପୁର ପୁଲିସ୍। ଓକିଲଙ୍କ ଆନ୍ଦୋଳନକୁ ନେଇ ରାଜ୍ୟ ପୁଲିସ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ସମ୍ବଲପୁର ପୁଲିସ୍ ଆଜି ଏଭଳି ଆକ୍ସନ ମୁଡ଼୍‌ରେ ଆସିଛି। ସେପଟେ ସୁପ୍ରିମକୋର୍ଟଙ୍କ ଛାଟ ପରେ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ମଧ୍ୟ ଆନ୍ଦୋଳନରେ ସଂପୃକ୍ତ ଆଉ ୧୪ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଛି। ଗତକାଲି ୨୯ ଜଣ ଓକିଲଙ୍କ ଲାଇସେନ୍ସ ସସ୍‌ପେଣ୍ଡ ହୋଇଥିଲା ବେଳେ ଆଜି ଆହୁରି କଡ଼ା ଆଭିମୁଖ୍ୟ ଦେଖାଇଛି ବାର କାଉନ୍‌ସିଲ ଅଫ୍ ଇଣ୍ଡିଆ(ବିସିଆଇ)। ସେପଟେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ମିଳିଛି। ଆନ୍ଦୋଳନ ସ୍ଥଗିତ ରଖିବା ସହ କମିଟି ପକ୍ଷରୁ ସୁପ୍ରିମକୋର୍ଟ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ସମ୍ବଲପୁର ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍‌କୁ ନେଇ ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ବି ଗିରଫ କରାଯିବ। ଅପରପକ୍ଷେ ଓକିଲଙ୍କ ଗିରଫଦାରି ପରେ ଉତ୍ତେଜନା ଆଶଙ୍କାରେ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କେବଳ କୋର୍ଟ ପରିସରରେ ଅଛନ୍ତି ୧୭ ପ୍ଲାଟୁନ୍ ଫୋର୍ସ। ସେହିପରି କଚେରି ଛକରେ ୧୪୪ ଧାରା ଜାରି କରାଯାଇଛି।

ସୂଚନା ମୁତାବକ, ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର ଏତଲା ଅନୁୟାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଗତକାଲି ହଙ୍ଗାମାର ଭିଡିଓ ଫୁଟେଜ୍ ଆଧାରରେ ଜିଲ୍ଲା ଓକିଲ ସଂଘର ସମସ୍ତ ଆଇନଜୀବୀଙ୍କ ଲାଇସେନ୍ସ ମଧ୍ୟ ସାମୟିକ ସସ୍‌ପେଣ୍ଡ କରିଛି ବାର୍ କାଉନ୍‌ସିଲ୍।

ତେବେ ରେଜିଷ୍ଟ୍ରାର ଏବଂ ଷ୍ଟେଟ୍ ବାର୍ କାଉନ୍‌ସିଲର ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିସିଆଇ ପକ୍ଷରୁ ପ୍ରେସ୍ ରିଲିଜରେ କୁହାଯାଇଛି। ଅନ୍ୟପଟେ ନିଲମ୍ବିତ ଓକିଲ ଯେଭଳି କୌଣସି କୋର୍ଟ କାର୍ଯ୍ୟରେ ଭାଗ ନେଇ ନପାରିବେ ସେନେଇ ସମସ୍ତ କୋର୍ଟଙ୍କୁ ଅବଗତ କରାଇବା ପାଇଁ ସମ୍ବଲପୁର ଜିଲ୍ଲା ଦୌରାଜଜ୍‌ ରେଜିଷ୍ଟ୍ରାରଙ୍କୁ ବିସିଆଇ ଅନୁରୋଧ ବି କରିଛି।

ତେବେ ପୁଲିସ୍ ଓ ବିସିଆଇର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ଓକିଲ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାର ଓ ଅଶୋକ କୁମାର ଦାସ କହିଛନ୍ତି, ହକ୍ ପାଇଁ ଆନ୍ଦୋଳନ କରୁଛୁ, ଆବଶ୍ୟକ ହେଲେ ଜେଲ୍ ଭରୋ କରିବୁ। ଆମକୁ ଓଡ଼ିଶା ବାର୍ କାଉନ୍‌ସିଲ୍ ଲାଇସେନ୍ସ ଦେଇଥିବାରୁ ବିସିଆଇ ଯାହା କରିଛି ତା’ର ନ୍ୟାୟିକ ତର୍ଜମା କରାଯିବ। ପଶ୍ଚିମଓଡ଼ିଶାରେ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବାରମ୍ବାର ବିସ୍ତୃତ ପ୍ରସ୍ତାବ ମାଗିଥିଲେ ମଧ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ଫଳରେ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ।

ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି, ଆମ ନିଜ ଭିତରେ ବିବାଦ ରହିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମଓଡ଼ିଶାବାସୀ ଏକାଠି ହୋଇ କାମ କଲେ ନିଶ୍ଚୟ କାମ ହେବ।

ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ଏହି ମାମଲାର ଶୁଣାଣି ରହିଛି। ରାଜ୍ୟ ପୁଲିସ୍ ଡିଜି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋର୍ଟରେ ହାଜର ହେବେ। ଓକିଲ ଆନ୍ଦୋଳନକୁ ପ୍ରତିହତ କରିବାରେ ପୁଲିସ୍‌ ବିଫଳତା ପାଇଁ ଗତକାଲି ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ କଡ଼ା ଭର୍ସନା କରିବା ସହ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ବେଂଚ ପ୍ରତିଷ୍ଠା ପାଇଁ ଦୁର୍ବାର ଆନ୍ଦୋଳନ କରୁଥିବା ଓକିଲଙ୍କୁ ଝଟ୍‌କା ଲାଗିଛି। ବିଭିନ୍ନ କୋର୍ଟରେ ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କରାଗଲେ, ସ୍ଥାୟୀ ବେଂଚର ସେତେଟା ଆବଶ୍ୟକତା ପଡ଼ିବ ନାହିଁ ବୋଲି ରେଜିଷ୍ଟ୍ରାର ଜେନେରାଲ ସତ୍ୟାପାଠରେ ଦର୍ଶାଇଛନ୍ତି। ଯାହା ପରେ ବେଂଚ ପ୍ରତିଷ୍ଠା ଆଶା ଏକ ପ୍ରକାର ମଉଳି ଯାଇଛି।

ଅନ୍ୟପକ୍ଷରେ ମାତ୍ର ୪ ଦିନ ତଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ୍ ରିଜୁଜୁ ଏ ପ୍ରସଙ୍ଗରେ ସଂସଦରେ ଲିଖିତ ଉତ୍ତର ରଖିଛନ୍ତି। ଏଥିରେ ସେ ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି। ଏ ସଂପର୍କରେ ହାଇକୋର୍ଟ ସହ ଆଲୋଚନା କରି କେଉଁ କେଉଁ ସ୍ଥାନରେ ବେଂଚ ସ୍ଥାପନ ହେବ ବିସ୍ତୃତ ପ୍ରସ୍ତାବ ଦେବାକୁ କୁହାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଉତ୍ତର ମିଳିନାହିଁ।

ଏହା ପୂର୍ବରୁ ମଧ୍ୟ  ଗତ ଏପ୍ରିଲ୍ ୨୦ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିସ୍ତୃତ ପ୍ରସ୍ତାବ ମାଗିଥିଲେ। ସେହିପରି ଗତ ଅକ୍ଟୋବରରେ ରାଜ୍ୟ ସରକାରଙ୍କ ସହ ପଶ୍ଚିମ ଓଡ଼ିଶା ବାର୍ ଆସୋସିଏସନ୍‌ ସେଣ୍ଟ୍ରାଲ୍ ଆକସନ୍ କମିଟି ଆଲୋଚନା କରିଥିଲା। ଯେଉଁଥିରେ ସମ୍ବଲପୁରଠାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାର ଅଧିକାଂଶ ଓକିଲ ସଂଘ ଚାହୁଁଥିବା ଦର୍ଶାଯାଇଥିଲା। ତେଣୁ ଏ ନେଇ ସଂପୂର୍ଣ୍ଣ ତଥା ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ନିବେଦନ କରିଥିଲା କମିଟି। ଏସବୁ ସତ୍ତ୍ୱେ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଏପଟେ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନଥିବାରୁ ଓକିଲମାନେ ଆନ୍ଦୋଳନ ଜାରି ରଖିଥିଲେ।

ଏଥିଯୋଗୁଁ ଲୋକେ ଆଇନ ସେବାରୁ ବଂଚିତ ହେଉଥିବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ନଚେତ୍ ଓକିଲମାନଙ୍କ ବାର୍ ଲାଇସେନସ୍ ବାତିଲ ହେବ ବୋଲି କହିଥିଲେ। ଯାହାକୁ ନେଇ ଚାଲିଛି ମହାଭାରତ। ଆଉ ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ଗୋଟିଏ ପଟେ ରାଜ୍ୟରେ ଓକିଲ ଆନ୍ଦୋଳନ ତୀବ୍ର ହେଲେ ଏହାକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖୁଛନ୍ତି। ସେପଟେ କିନ୍ତୁ ବେଂଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ବିସ୍ତୃତ ପ୍ରସ୍ତାବ ମାଗିଲେ ଚୁପ୍ ରହୁଛନ୍ତି। ଅର୍ଥାତ ଏକ ପ୍ରକାର ଡବଲ୍ ଗେମ୍ ଖେଳୁଛନ୍ତି ସରକାର।

ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହାର ଜବାବ ରଖି କହିଛନ୍ତି, ବ୍ଲେମ୍ ଗେମ୍ ଖେଳିଲେ ହେବନି। ସର୍ବସମ୍ମତି କ୍ରମେ ପଦକ୍ଷେପ ନେଲେ ସବୁକିଛି ହୋଇପାରିବ।

Related story