ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଆଜି ଦେଶର ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଷଷ୍ଠ ସ୍ଥାନରେ ଓଡ଼ିଶା ରହିଥିବାବେଳେ ଦେଶର ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାର ୪% ରୋଗୀ ଏବେ ରାଜ୍ୟରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ ରହିଛି। ରାଜ୍ୟରେ ଏବେ ଦୈନିକ ପ୍ରାୟ ସାଢ଼େ ୩ହଜାରରୁ ୪ହଜାର ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବାବେଳେ ଆଜିସୁଦ୍ଧା ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତ ୩୪,୧୬୩ଜଣ(ଆକ୍ଟିଭ) ରୋଗୀ ରହିଛନ୍ତି। ମାତ୍ର ତଦନୁପାତରେ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ବେଡ୍ ଅଭାବ ଥିବା ଜଣାପଡ଼ିଛି। ରାଜ୍ୟର ୪୮ଟି କୋଭିଡ଼ ହସ୍ପିଟାଲରେ ୭୩୨୮ଟି ସାଧାରଣ ବେଡ୍ ଓ ୭୧୦ଟି ଆଇସିୟୁ ବେଡ୍ ଥିବାବେଳେ ଏବେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏହାର ପ୍ରାୟ ୪ଗୁଣ ଛୁଇଁଲାଣି। ଯାହାକି ରାଜ୍ୟ ସରକାରଙ୍କ କୋଭିଡ୍ ନିୟନ୍ତ୍ରଣ ଓ ଚିକିତ୍ସା ଭିତ୍ତିଭୂମିର ବାସ୍ତବ ଚିତ୍ରକୁ ପଦାରେ ପକାଇଛି।
ସରକାରଙ୍କ କୋଭିଡ୍ (ଡ୍ୟାସବୋର୍ଡ) ୱେବସାଇଟ୍ ଅନୁସାରେ, ଆଜି ୩୭୭୭ଜଣ ନୂଆ ସଂକ୍ରମିତ ରୋଗୀଙ୍କୁ ମିଶାଇ ରାଜ୍ୟର ମୋଟ ୩୪,୧୬୩ଜଣ ରୋଗୀ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି ଓ ମୋଟ ମୃତ୍ୟୁ ସଂଖ୍ୟା ୬୧୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସମଗ୍ର ରାଜ୍ୟରେ ମୋଟ ୪୮ଟି କୋଭିଡ୍ ହସ୍ପିଟାଲ ଥିବାବେଳେ ସେଠାରେ ଜେନେରାଲ ବେଡ୍ ଓ ଆଇସିୟୁକୁ ମିଶାଇ ମୋଟ ୮୦୩୦ଟି ରହିଛି। ଏସବୁ ହସ୍ପିଟାଲର ବେଡ୍ ତୁଳନାରେ ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୪ଗୁଣରୁ ଅଧିକ ଅଧିକ ରହିଛି। ସେହିପରି ରାଜ୍ୟର ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ୧୭୮ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟ କରୁଛି ଓ ଏଥିରେ ୨୧୦୫୯ଟି ବେଡ୍ ମଧ୍ୟ ରହିଛି । ଉଭୟ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଥିବା ବେଡ୍ ସଂଖ୍ୟାକୁ ମିଶାଇଲେ ତାହା ଅତିବେଶୀରେ ପ୍ରାୟ ୨୯ହଜାର ହେଉଛି। ଏସବୁ ବେଡକୁ ମିଶାଇଲେ ମୋଟ ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ବି ୫ହଜାର କମ୍। ଏବେ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ଏକ ବଡ଼ ସମସ୍ୟା ହୋଇଛି।
ଅପରପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ଆକ୍ଟିଭ କେସର ତଥ୍ୟ ଅନୁସାରେ ସମଗ୍ର ଦେଶର ୯ଟି ରାଜ୍ୟରେ ଏବେ ୭୪% ଆକ୍ଟିଭ ରୋଗୀ ଅଛନ୍ତି। ସବୁଠାରୁ ଅଧିକ ମହାରାଷ୍ଟ୍ରରେ ୨୮%, କର୍ଣ୍ଣାଟକରେ ୧୧%, ଆନ୍ଧ୍ରପ୍ରଦେଶରେ ୧୦%, ୟୁପିରେ ୭%, ତାମିଲନାଡୁରେ ୫% ଓ ଓଡ଼ିଶାରେ ୪% ଆକ୍ଟିଭ ରୋଗୀ ଅଛନ୍ତି। ତେଲେଙ୍ଗାନା, ଆସାମ ଓ ଛତିଶଗଡ଼ରେ ୩% ଲେଖାଏ ଆକ୍ଟିଭ ରୋଗୀ ରହିଥିବାବେଳେ ବାକି ରାଜ୍ୟଗୁଡ଼ିକରେ ୨୬% ଆକ୍ଟିଭ ରୋଗୀ ଅଛନ୍ତି।
ସେହିପରି ସୁସ୍ଥ ହେଉଥିବା ଦେଶର ସର୍ବାଧିକ ୫ଟି ରାଜ୍ୟ ତାଲିକାରେ ମଧ୍ୟ ଓଡ଼ିଶା ନାହିଁ। ଏହି ୫ଟି ରାଜ୍ୟରେ ୬୦% ରୋଗୀ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ୧୯.୭%, ତାମିଲନାଡୁରେ ୧୨.୩%, ଆନ୍ଧ୍ରପ୍ରଦେଶରେ ୧୨ପ୍ରତିଶତ, କର୍ଣ୍ଣାଟକରେ ୯.୨% ଓ ଉତ୍ତରପ୍ରଦେଶରେ ୬.୩% କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି।
ପ୍ରଶ୍ନ ଉଠୁଛି, ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ ଏବେ ଯେ କୌଣସି ରୋଗୀଙ୍କ ଚିକିତ୍ସା ନିମନ୍ତେ କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରୁଥିବାବେଳେ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ଆଗକୁ ପାର୍ବଣ ଋତୁ ଓ ବିଧାନସଭା ଉପନିର୍ବାଚନ ଥିବାରୁ କୋଭିଡ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାର ଉଦାହରଣ ମଧ୍ୟ ଗତକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର କର୍ମୀ ସମ୍ମିଳନୀରେ ମିଳିସାରିଛି। କୋଭିଡ୍ କଟକଣାକୁ ବେଖାତିର କରି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୩ଟି ବ୍ଲକରେ ବିଜେଡି ନିଜର କର୍ମୀ ସମ୍ମିଳନୀ ଆଳରେ ୧୫୦ରୁ ୨୫୦ଜଣ କର୍ମୀଙ୍କୁ ଏକଜୁଟ କରାଇଥିଲା। ଯେଉଁଠି ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଭଳି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା।
ତେଣୁ ସରକାର ଏବେଠୁ କଠୋର ପଦକ୍ଷେପ ନନେଲେ ଆଗାମୀ ଦିନରେ ସାଧାରଣ ଲୋକ ଚିକିତ୍ସା ସୁବିଧା ପାଇବାରୁ ବଂଚିତ ହେବାଭଳି ସଙ୍ଗୀନ ପରିସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।