ନେତ୍ରୀଙ୍କ ଥଇଥାନ ପାଇଁ ବିଜେଡିରେ ବଢ଼ିଲା ଚାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ପାଳି ସରକାର ଗଠନ ପରଠୁ ଦଳର ମହିଳା ସଦସ୍ୟମାନେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ପାଇଁ ଚାହିଁ ବସିଛନ୍ତି। ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଜାତୀୟସ୍ତରରେ ବିଜେଡି ଓକିଲାତି କରିବା ସହ ଏହାକୁ ଭୋଟ୍ ହାତେଇବାର ମାଧ୍ୟମ ଭାବେ ଉପଯୋଗ କରିଥିବାରୁ ଏବେ ଦଳର ନେତ୍ରୀମାନେ ବିଭିନ୍ନ ପଦପଦବୀ ହାତେଇବା ପାଇଁ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି। […]

bjd

Manoranjan Sial
  • Published: Thursday, 15 August 2019
  • , Updated: 15 August 2019, 10:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପଞ୍ଚମ ପାଳି ସରକାର ଗଠନ ପରଠୁ ଦଳର ମହିଳା ସଦସ୍ୟମାନେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ପାଇଁ ଚାହିଁ ବସିଛନ୍ତି। ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଜାତୀୟସ୍ତରରେ ବିଜେଡି ଓକିଲାତି କରିବା ସହ ଏହାକୁ ଭୋଟ୍ ହାତେଇବାର ମାଧ୍ୟମ ଭାବେ ଉପଯୋଗ କରିଥିବାରୁ ଏବେ ଦଳର ନେତ୍ରୀମାନେ ବିଭିନ୍ନ ପଦପଦବୀ ହାତେଇବା ପାଇଁ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି। ଦଳର ମହିଳା ସଂଗଠନର ମୁଖିଆ ମିନତୀ ବେହେରାଙ୍କୁ ପରିବର୍ତ୍ତନ ପାଇଁ ସଜବାଜ ହେଉଥିବା ବିଜେଡି ଏବେ ୧୦ରୁ ୧୨ଜଣ ଦଳୀୟ ନେତ୍ରୀଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିପାରେ ବୋଲି ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏବେ ରାଜ୍ୟ ମହିଳା କମିଶନରେ ଅଧ୍ୟକ୍ଷାଙ୍କୁ ମିଶାଇ ମୋଟ ୬ଜଣ ଦଳୀୟ ନେତ୍ରୀଙ୍କୁ ଥଇଥାନ କରାଯିବ। ଏବେ ସେଠାରେ ସଦସ୍ୟା ଥିବା ସ୍ନେହାଞ୍ଜଳି ମହାନ୍ତି ଓ କୁସୁମ ରଥଙ୍କ କାର୍ଯ୍ୟକାଳ ଚଳିତମାସ ୨୦ତାରିଖରେ ଶେଷ ହେବ। ଏହି ଦୁଇଜଣଙ୍କ କାର୍ଯ୍ୟକାଳ ସରିବା ସହ ମହିଳା କମିଶନ ସମ୍ପୂର୍ଣ୍ଣ ଖାଲି ହୋଇଯିବ। ସେହିପରି ରାଜ୍ୟ ସମାଜମଙ୍ଗଳ ବୋର୍ଡ, ମହିଳା ସମବାୟ ନିଗମ, ଖାଦ୍ୟ କମିଶନ, ରାଜ୍ୟ ଚଳଚ୍ଚିତ୍ର ନିଗମ, ପ୍ରସ୍ତାବିତ ନୂଆ ରାଜ୍ୟ ଯୋଜନା ବୋର୍ଡ ଓ ଲୋକାୟୁକ୍ତରେ ଦଳୀୟ ନେତ୍ରୀମାନଙ୍କୁ ଥଇଥାନ କରିବା ପାଇଁ ଏବେ ବିଜେଡି ବିଚାର କରୁଥିବା ଜଣାପଡ଼ିଛି। ତା’ଛଡ଼ା ନିର୍ବାଚନ ସମୟରେ ଦଳ ପାଇଁ ପରିଶ୍ରମ କରିଥିବା ଟିକେଟ୍ ଆଶାୟୀ କିଛି ଦଳୀୟ ନେତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଜଣେ କିମ୍ବା ଦୁଇଜଣ ମହିଳାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ଥଇଥାନ ମଧ୍ୟ କରାଯାଇପାରେ।

ସୂଚନା ଅନୁସାରେ ଲୋକାୟୁକ୍ତରେ ଜଣେ ମହିଳା ସଦସ୍ୟଙ୍କୁ ନିଯୁକ୍ତି ଦେବାର ପ୍ରାବଧାନ ଥିବାରୁ ସେଠାରେ ଦଳୀୟ ନେତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ଥଇଥାନ କରାଯିବାର ସମ୍ଭାବନା ରହିଛି। ଶ୍ରୀମତୀ ମହାପାତ୍ର ଦୀର୍ଘବର୍ଷ ଧରି ରାଜ୍ୟ ସରକାରଙ୍କ ଶିଶୁ ଓ ଭିନ୍ନକ୍ଷମ କମିଶନରେ କାର୍ଯ୍ୟ କରିସାରିଛନ୍ତି। ଶ୍ରୀମତୀ ମହାପାତ୍ରଙ୍କ ବ୍ୟତୀତ ଦଳର ବରିଷ୍ଠ ମହିଳା ନେତ୍ରୀ ଯଥା ସିପ୍ରା ମଲ୍ଲିକ, ଶ୍ରୀମୟୀ ମିଶ୍ର, ମିନତୀ ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ସୁଲତା ଦେଓ, ସୁଲୋଚନା ଦାସ, ସ୍ନିଗ୍ଧା ପାଣିଗ୍ରାହୀ, ମାମି ମିଶ୍ର, ଆରତୀ ସିଂ, ଅନସୂୟା ମାଝୀ, ବାସନ୍ତୀ ମାଝୀ, ସଞ୍ଜୁ ମହାନ୍ତି, ବାସନ୍ତୀ ମହାପାତ୍ର, କଲ୍ୟାଣୀ ନାୟକ, କନକଲତା କଣ୍ଠ ଓ ଅନିମା କହଁରଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରାଯିବାର ସମ୍ଭାବନା ରହିଛି।

ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସରକାରୀ ପଦପଦବୀରେ ଥଇଥାନ ହେବା ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ଲବି କରୁଥିବାବେଳେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଏମାନଙ୍କ ମଧ୍ୟରୁ କିଛି ଦଳୀୟ ନେତ୍ରୀଙ୍କ ନାଁ କୁ ଶର୍ଟଲିଷ୍ଟ କରିଥିବା ଜଣାପଡ଼ିଛି।

Related story