ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତପାଣ୍ଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତପାଣ୍ଠି। ୧୩ଟି ବ୍ଲକରେ ଖର୍ଚ୍ଚ ନହୋଇ ପଡ଼ିରହିଛି ୫୧ କୋଟି ଟଙ୍କା। ଯେଉଁ କିଛି ସ୍ଥାନରେ ଖର୍ଚ୍ଚ ହେଉଛି, ତାର ବିନିଯୋଗ ପ୍ରମାଣପତ୍ର ମଧ୍ୟ ଦାଖଲ ହେଉନି। ତା’ସହିତ ଅଯଥାରେ ଅପଚୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏହି ବାସ୍ତବତାର ପର୍ଦ୍ଦାଫାସ କରିଛି ଲୋକାଲ୍ ଫଣ୍ଡ ଅଡିଟ୍‌। ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ବିରୋଧୀ। ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଧାୟକ ଲାଲବିହାରୀ ହିମିରିକାଙ୍କ ହାତପାଣ୍ଠିରୁ ଆରମ୍ଭ ହୋଇଥିଲା ସ୍ଥାନୀୟ […]

LOCAL-FUND-AUDIT-REPORT-SHOWS-MLA-LAD-FUND-MONEY-LYING-UNSPENT

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 08:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତପାଣ୍ଠି। ୧୩ଟି ବ୍ଲକରେ ଖର୍ଚ୍ଚ ନହୋଇ ପଡ଼ିରହିଛି ୫୧ କୋଟି ଟଙ୍କା। ଯେଉଁ କିଛି ସ୍ଥାନରେ ଖର୍ଚ୍ଚ ହେଉଛି, ତାର ବିନିଯୋଗ ପ୍ରମାଣପତ୍ର ମଧ୍ୟ ଦାଖଲ ହେଉନି। ତା’ସହିତ ଅଯଥାରେ ଅପଚୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଏହି ବାସ୍ତବତାର ପର୍ଦ୍ଦାଫାସ କରିଛି ଲୋକାଲ୍ ଫଣ୍ଡ ଅଡିଟ୍‌। ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ବିରୋଧୀ।

ରାୟଗଡ଼ା ଜିଲ୍ଲା କାଶୀପୁରରେ ବିଧାୟକ ଲାଲବିହାରୀ ହିମିରିକାଙ୍କ ହାତପାଣ୍ଠିରୁ ଆରମ୍ଭ ହୋଇଥିଲା ସ୍ଥାନୀୟ ମାଉସୀ ମାଆ ମନ୍ଦିରର କାମ। ୪ ବର୍ଷ ତଳେ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏହା ସରୁନାହିଁ। କେବଳ ପିଲରରେ ସୀମିତ ରହିଛି ମନ୍ଦିର ନିର୍ମାଣ।

ସେହିପରି ଜଗତିସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର କଣ୍ଟାପଡ଼ାରେ ନିର୍ମାଣଧୀନ ବାପୁଜୀ କମ୍ୟୁନିଟି ସେଣ୍ଟର ୨୦୧୪ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ କାମ ସରୁନାହିଁ। ଅଧାପନ୍ତରିଆ ଭାବେ ପଡିରହିଛି କମ୍ୟୁନିଟି ସେଣ୍ଟର। ବିଧାୟକ ରବି ସେଠୀଙ୍କ କାର୍ଯ୍ୟକାଳ ୫ ବର୍ଷ ସରିଗଲା ପରେ ମଧ୍ୟ ସରିପାରିଲାନି କମ୍ୟୁନିଟି ସେଣ୍ଟର ନିର୍ମାଣ କାର୍ଯ୍ୟ।

ଲୋକାଲ ଫଣ୍ଡ ଅଡିଟ୍‌ ରିପୋର୍ଟରେ ଏସବୁ ଅଧାପନ୍ତିରିଆ ପ୍ରକଳ୍ପର ଚିତ୍ର ସହ ତଥ୍ୟ ଆସିଛି । ୨୦୧୨ରୁ ୧୭ ଭିତରେ ବିଧାୟକଙ୍କ ହାତପାଣ୍ଠିରୁ ନିର୍ମାଣ ଚାଲିଥିବା ଏମିତି ୨୮ ପ୍ରକଳ୍ପ ଅଧା ହୋଇ ପଡ଼ିଛି। ଯାହା ଆଉ ସଂପୂର୍ଣ୍ଣ ହେବାର ସମ୍ଭାବନା ନାହିଁ। ଏସବୁ କାମରେ ଅଯଥା ବ୍ୟୟ ହୋଇଛି ୩୧ ଲକ୍ଷ ୮୯ ହଜାର ଟଙ୍କା।

ବିଧାୟକଙ୍କ ପାଣ୍ଠିରୁ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲେ ମଧ୍ୟ ୨୬ ଟି ପ୍ରକଳ୍ପର କାମ ସରିପାରିନାହିଁ। ଏସବୁ ପ୍ରକଳ୍ପ ବାବଦକୁ ୪୫ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ୨୦୧୨ରୁ ୧୭ ମସିହା ଭିତରେ ୧୩ଟି ବ୍ଲକରେ ବିଭିନ୍ନ ପ୍ରକଳ୍ପ ପାଇଁ ବିଧାୟକମାନେ ୯୦ କୋଟି ଟଙ୍କା ଦେଇଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି ୩୮ କୋଟି। ୫୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିବା ଅଡିଟ୍ ରିପୋର୍ଟରେ ଦର୍ଶାଇଛି।

ଆଶ୍ଚର୍ଯ୍ୟର କଥା ଚମ୍ପୁଆ ବ୍ଲକ ପାଇଁ ମାତ୍ର ୩ କୋଟି ୮୬ ଲକ୍ଷ ଆବଣ୍ଟନ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୫ କୋଟି ୩୦ ଲକ୍ଷ। ଏଭଳି ଅନିୟମିତତା ଯୋଗୁ ଅନ୍ୟ ପ୍ରକଳ୍ପର କାମ ବାଧାପ୍ରାପ୍ତ ହେଲା ବୋଲି ଅଡିଟ୍‌ରେ କୁହାଯାଇଛି। କେବଳ ଏତିକି ନୁହେଁ, ଏହି ୫ ବର୍ଷ ଭିତରେ ୧୩ ବ୍ଲକରେ ହୋଇଥିବା କାମ ମଧ୍ୟରୁ ୮ କୋଟି ୬୬ ଲକ୍ଷ ଟଙ୍କାର ୟୁସି (ବିନିଯୋଗ ପ୍ରମାଣ ପତ୍ର) ଦାଖଲ କରାଯାଇ ନାହିଁ। ଟଙ୍କା ଖର୍ଚ୍ଚ ନ ହେବା ଓ ୟୁସି ନ ଦିଆଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ସରକାରଙ୍କ ନିଷ୍କ୍ରିୟତା ପାଇଁ ବିଧାୟକଙ୍କ ହାତପାଣ୍ଠି ବିନିଯୋଗ ହୋଇପାରୁ ନାହିଁ। ଯାହାଫଳରେ ହାତପାଣ୍ଠି ପଡ଼ି ରହୁଛି। କାମରେ ଲାଗି ପାରୁନାହିଁ।”

କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି-“ଆଉ ୧୫ ଦିନ ପରେ ଆଚରଣବିଧି ଲାଗୁ ହୋଇଯିବ। ହେଲେ ମୁଁ ମୋ ବିଧାୟକ ପାଣ୍ଠି ଖର୍ଚ୍ଚ କରିପାରୁନାହିଁ। କାରଣ ହାତପାଣ୍ଠି ଖର୍ଚ୍ଚ କରିବାର ଚାବିକାଠି ରହୁଛି ଜିଲ୍ଲା ପ୍ରଶାସନ ପାଖରେ। ସରକାରଙ୍କ ଅବହେଳା ପାଇଁ ସାଧାରଣ ଲୋକେ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି।”

ବିଜେଡି ବିଧାୟକ ବଳଭଦ୍ର ମାଝୀ କହିଛନ୍ତି-“ବିଧାୟକମାନେ ଚାହିଁଲେ, ସେମାନଙ୍କ ହାତପାଣ୍ଠିକୁ ଖର୍ଚ୍ଚ କରିପାରିବେ। କେବେବି ଏଥିରେ ସନ୍ଦେହ କରାଯାଇପାରିବ ନାହିଁ।”

ନିଜ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାମ ତଥା ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ବିଧାୟକଙ୍କୁ ନିଜ ହାତପାଣ୍ଠି ବାବଦକୁ ୧ କୋଟି ଲେଖାଁଏ ଟଙ୍କା ଦିଆଯାଏ। ତେବେ ଏହି ଟଙ୍କା ଯଥେଷ୍ଟ ହେଉନି ବୋଲି ଅଭିଯୋଗ କରି ସବୁ ଦଳର ବିଧାୟକ କିଛି ମାସ ତଳେ ଏହାକୁ ୫ କୋଟି କରିବାକୁ ବିଧାନସଭାରେ କଥା ଉଠାଇଥିଲେ। ଏବେ ପ୍ରଶ୍ନ, ଯଦି ଏକ କୋଟି ଖର୍ଚ୍ଚ ହେବାରେ ଏତେ କେଁ, ତେବେ ୫ କୋଟି ମିଳିଲେ କଣ ହେବ?

Related story