ଚୌଦ୍ୱାର (ପ୍ରକାଶ କୁମାର ନାୟକ): ଭଲ ପାଇ ଜୀବନ ସାଥୀ କରିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କୁ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଦଣ୍ଡ। ଜେଲ୍ ଗଲା ପରେ ଅନୁତାପ କଲେ। ଆଉ ଏବେ ଯାହାକୁ ଧୋକା ଦେଇଥିଲେ, ତା’ ହାତ ଧରିଲେ। ତାଙ୍କୁ ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କଲେ। ଚୌଦ୍ୱାର ସର୍କଲ୍ ଜେଲ୍ ପରିସରରେ ଆଜି ପଡିଛି ହାତଗଣ୍ଠି। ଦୁଇ ପରିବାର ଓ ଜେଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଦେଇଛନ୍ତି ଅଂଶୁମାନ।
ପୂରା ଘଟଣାଟି ଏମିତି। କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା ପିଠାପଡ଼ା ଗାଁର ପୁରୋସ୍ତମ ସେଠୀଙ୍କ ଝିଅ ଚିନ୍ମୟୀ ସାଲେପୁର କଟରୋପା ଅଞ୍ଚଳର ଅଂଶୁମାନ ମଲ୍ଲିକଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବେ ବୋଲି କଥା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଅଂଶୁମାନ ଠକି ଦେଇଥିଲେ। ଚିନ୍ମୟୀଙ୍କୁ ଧରାଛୁଆଁ ଦେଇନଥିଲେ। ଅନ୍ୟ ସ୍ଥାନରେ ବିବାହ କରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କ ଚିନ୍ମୟୀ ଜାଣିପାରି ବିବାହ କରିବାକୁ ଅଂଶୁମାନକୁ ନିବେଦନ କରିଥିଲେ। ମାତ୍ର ସେ ପ୍ରତ୍ୟାକ୍ଷାନ କରିଥିଲେ। ଯାହାକୁ ନେଇ ଗାଁରେ ବୈଠକ ବସିଥିଲା। ମାତ୍ର କୌଣସି ସୁଫଳ ବାହାରି ପାରିଲା ନାହିଁ।
ଇତି ମଧ୍ୟରେ ଅଂଶୁମାନ ପାଇଁ ପରିବାର ଲୋକେ ଝିଅ ଖୋଜାରେ ଲାଗି ପଡ଼ିଥିଲେ। ଅଂଶୁମାନଙ୍କ ପରିବାରଠାରୁ ନିରାଶ ହୋଇ ଚିନ୍ମୟୀଙ୍କ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଥାନାରେ ଲଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଂଶୁମାନଙ୍କୁ ୨୦୨୦ ମସିହା ନଭେମ୍ବର ମାସରେ ଗିରଫ କରିଥିଲା। ଅଂଶୁମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା। ମାମଲା ସ୍ପେଶାଲ୍ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା। ଏହାରି ଭିତରେ ଚିନ୍ମୟୀ ନାବାଳିକାରୁ ସାବାଳିକା ହୋଇଯାଇ ଥିଲେ। ଅଂଶୁମାନ ମଧ୍ୟ ନିଜର କର୍ମ ପାଇଁ ଅନୁତାପ କଲେ। ଚିନ୍ମୟୀକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
ଗୁରୁବାର କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଆଜି ଚୌଦ୍ୱାର ଜେଲ୍ରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଦୁଇ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିଲା ବିବାହ। ଆଉ ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଭରିଥିଲେ ଅଂଶୁମାନ। ପ୍ରମିକାରୁ ସାତ ଜନମର ସାଥୀ ହେଲେ ଚିନ୍ମୟୀ।
https://youtu.be/Y7hVtXVtBn8