ସୁନା-ଚାନ୍ଦି ଆଭୂଷଣରେ ଝଟକୁଛି ଦ୍ୱୈତନଗରୀ ପୂଜା ମଣ୍ଡପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନାଚାନ୍ଦିର ଆଭୂଷଣରେ ଝଲସି ଉଠୁଛି ମା’ ଦୁର୍ଗାଙ୍କ କମନୀୟ ରୂପ। ମସ୍ତକରୁ ପାଦ ଯାଏଁ ଆଚ୍ଛାଦିତ ହୋଇଛି ସୁନା ଚାନ୍ଦିର ଭଳିକି ଭଳି ଗହଣା। ଦ୍ୱୈତନଗରୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରାୟ ୬୦ କେଜି ସୁନା ଓ ୧୦୦ କ୍ୱିଣ୍ଟାଲ୍‌ ଚାନ୍ଦି ଗହଣାରେ ଝଟକୁଛନ୍ତି ମା’ ଦୁର୍ଗା। ଏ ବର୍ଷ ସିଲ୍‌ଭର ସିଟି କଟକରେ ୨୭ଟି ଚାନ୍ଦି ଓ ୧୦ଟି ସ୍ଥାନରେ ଶୋଭା ପାଉଛି ମା’ଙ୍କ ସୁନା ମୁକୁଟ। ଭୁବନେଶ୍ୱର ସହିଦ ନଗର […]

maa-durga-glittering-in-gold-and-silver

Manoranjan Sial
  • Published: Monday, 07 October 2019
  • , Updated: 07 October 2019, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନାଚାନ୍ଦିର ଆଭୂଷଣରେ ଝଲସି ଉଠୁଛି ମା’ ଦୁର୍ଗାଙ୍କ କମନୀୟ ରୂପ। ମସ୍ତକରୁ ପାଦ ଯାଏଁ ଆଚ୍ଛାଦିତ ହୋଇଛି ସୁନା ଚାନ୍ଦିର ଭଳିକି ଭଳି ଗହଣା। ଦ୍ୱୈତନଗରୀର ବିଭିନ୍ନ ପୂଜା ମଣ୍ଡପରେ ପ୍ରାୟ ୬୦ କେଜି ସୁନା ଓ ୧୦୦ କ୍ୱିଣ୍ଟାଲ୍‌ ଚାନ୍ଦି ଗହଣାରେ ଝଟକୁଛନ୍ତି ମା’ ଦୁର୍ଗା। ଏ ବର୍ଷ ସିଲ୍‌ଭର ସିଟି କଟକରେ ୨୭ଟି ଚାନ୍ଦି ଓ ୧୦ଟି ସ୍ଥାନରେ ଶୋଭା ପାଉଛି ମା’ଙ୍କ ସୁନା ମୁକୁଟ। ଭୁବନେଶ୍ୱର ସହିଦ ନଗର ପୂଜା ମଣ୍ଡପରେ ମାଆଙ୍କ ମଥାରେ ଶୋଭା ପାଉଛି ଅଢ଼େଇ କେଜିର ସୁନା ମୁକୁଟ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି ହୋଇଛି।

ଶାରଦୀୟ ଦୁର୍ଗାପୂଜାରେ ରୌପ୍ୟ ନଗରୀ କଟକର ବିଶେଷ ଆକର୍ଷଣ ମା’ଙ୍କ ଚାନ୍ଦି ମେଢ଼ ସାଙ୍ଗକୁ ସୁନା ଅଳଙ୍କାର। ସୁନା-ଚାନ୍ଦି ମେଢ଼ର ଏହି ଲଢେଇରେ ସବୁଠୁ ଆଗରେ ରହିଛି ଚୌଧୁରୀ ବଜାର ପୂଜା କମିଟି। ଏଠାରେ ମେଢ଼ରେ ଅଢେଇ କ୍ୱିଣ୍ଟାଲ ଚାନ୍ଦି ସହ ମା’ଙ୍କ ଆଭୂଷଣ ଲାଗି ବ୍ୟବହାର ହୋଇଛି ୩୫ କିଲୋ ସୁନା। ରାଣୀହାଟ ପୂଜା ମଣ୍ଡପରେ ୫ କ୍ୱିଣ୍ଟାଲ ଚାନ୍ଦି ସାଙ୍ଗକୁ ମୁକୁଟ ଓ ଗହଣା ପାଇଁ ଲାଗିଛି ୫ କେଜି ଓଜନର ସୁନା। ମଙ୍ଗଳାବାଗ ମେଢ଼ରେ ୩ କ୍ୱିଣ୍ଟାଲ ଚାନ୍ଦି ସହ ବ୍ୟବହାର ହୋଇଛି ୮ କେଜିର ସୁନା। ଏଠାରେ ଏଥର ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରିଛନ୍ତି ପୂଜା କମିଟି କର୍ତ୍ତୃପକ୍ଷ।

ତାରକସି ସହରରେ ସୁନା-ଚାନ୍ଦିର ଏହି ଟ୍ରେଣ୍ଡରେ ଏଥର ନୂଆକରି ସାମିଲ ହୋଇଛନ୍ତି ଛତ୍ରବଜାର, ବିଡ଼ାନାସୀ ଓ ଗଙ୍ଗାମନ୍ଦିର ମଣ୍ଡପ। ଏହି ତିନି ମଣ୍ଡପରେ ପ୍ରଥମ ଥର ପାଇଁ ହୋଇଛି ଚାନ୍ଦିମେଢ଼।

ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏହି ମାନିଆ। ପୂର୍ବରୁ ଚାନ୍ଦି ମେଢ଼ କରୁଥିବା ସହିଦ ନଗର ପୂଜା କମିଟି ଏବର୍ଷ ପ୍ରଥମ କରି ମା’ଙ୍କ ପାଇଁ ତିଆରି କରିଛି ଅଢେଇ କେଜି ଓଜନର ସୁନା ମୁକୁଟ। ଯାହାକି ଏଥର ପୂଜାର ମୁଖ୍ୟ ଆକର୍ଷଣ ହୋଇଛି। ସେହିଭଳି ରାଜଧାନୀର ପୁରୁଣା ଷ୍ଟେସନ ବଜାର ମଣ୍ଡପରେ ଚାନ୍ଦି ମେଢ଼ରେ ୨୦୭ କେଜି ରୁପା ଓ ମା’ଙ୍କ ମୁକୁଟ ପାଇଁ ଦେଢ଼ କେଜିର ସୁନା ବ୍ୟବହାର ହୋଇଛି।

କଟକରେ ଚଳିତବର୍ଷ ପ୍ରାୟ ୧୬୭ ମଣ୍ଡପରୁ ୨୭ଟିରେ ଶୋଭା ପାଉଛି ଚାନ୍ଦି ମେଢ। ସେହିଭଳି ୧୦ଟି ମଣ୍ଡପରେ ସୁନାରେ ଛାଉଣି ହୋଇଛି ମା’ଙ୍କ ମୁକୁଟ ସହ ଅନ୍ୟ ଅଳଙ୍କାର ସାଙ୍ଗକୁ ପାର୍ଶ୍ୱ ଦେବାଦେବୀଙ୍କ ଆଭୂଷଣ। ଆକଳନ ଅନୁସାରେ ଦ୍ୱୈତନଗରୀ ପୂଜା ମଣ୍ଡପଗୁଡ଼ିକରେ ପ୍ରାୟ ୧୦୦ କ୍ୱିଣ୍ଟାଲ୍ ରୁପା ଓ ୬୦ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର ବ୍ୟବହୃତ ହୋଇଛି।

Related story