ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ଖୋଲିପାରିଲାନି ମାଆ ମଝିଘରିଆଣୀ ମନ୍ଦିର

ରାୟଗଡା (ମନୋଜ ପାତ୍ର): ରାୟଗଡାର ଅଧିଷ୍ଠାତ୍ରୀ  ଦେବୀ ମାଆ ମଝି ଘରିଆଣୀ ମନ୍ଦିର ଆଜି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହା ସତ୍ତ୍ୱେ ଆଜି ମାଆଙ୍କ ମନ୍ଦିର ଖୋଲିପାରିଲା ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରକୁ ଦୋଷ ଠେଲିଛି ମନ୍ଦିର ପ୍ରଶାସନ। ସେପଟେ ଦୀର୍ଘ ୩ ମାସ ପରେ ମାଆଙ୍କୁ ଦର୍ଶନ କରିନପାରି ବହୁ ସମୟ ଧରି ଛିଡ଼ା ହୋଇ ଫେରିଛନ୍ତି ଭକ୍ତ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମହାମାରୀ […]

Maa Majhighariani

Manoranjan Sial
  • Published: Friday, 13 August 2021
  • , Updated: 13 August 2021, 05:46 PM IST

ରାୟଗଡା (ମନୋଜ ପାତ୍ର): ରାୟଗଡାର ଅଧିଷ୍ଠାତ୍ରୀ  ଦେବୀ ମାଆ ମଝି ଘରିଆଣୀ ମନ୍ଦିର ଆଜି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହା ସତ୍ତ୍ୱେ ଆଜି ମାଆଙ୍କ ମନ୍ଦିର ଖୋଲିପାରିଲା ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ ଉପରକୁ ଦୋଷ ଠେଲିଛି ମନ୍ଦିର ପ୍ରଶାସନ। ସେପଟେ ଦୀର୍ଘ ୩ ମାସ ପରେ ମାଆଙ୍କୁ ଦର୍ଶନ କରିନପାରି ବହୁ ସମୟ ଧରି ଛିଡ଼ା ହୋଇ ଫେରିଛନ୍ତି ଭକ୍ତ। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମହାମାରୀ କରୋନା ପାଇଁ ଦୀର୍ଘ ୩ ମାସ ଧରି ମାଆ ମଝିଘରିଆଣୀ ମନ୍ଦିର ବନ୍ଦ ରହିଥିଲା। ଆଜି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ରାୟଗଡ଼ା ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର ମନ୍ଦିର ପରିଚାଳନା କମିଟି, ପୂଜକ ଓ ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହି ନିୟମ ଅନୁସାରେ ଆଜି କରୋନା କଟକଣା ଭିତରେ ମନ୍ଦିର  ଖୋଲିବାର ଥିଲା। ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାର ଶହଶହ ସଂଖ୍ୟାରେ ଭକ୍ତ ମାଆଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଦୀର୍ଘ ସମୟ ଧରି ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ହେଲେ ମନ୍ଦିର ଖୋଲିଲା ନାହିଁ। ମନ୍ଦିର ପ୍ରଶାସନ ମନା କରିଦେବା ଯୋଗୁ ଭକ୍ତମାନେ ନିରାଶ ହୋଇ ଫେରିଛନ୍ତି। ମନ୍ଦିର ସାନିଟାଇଜ ହୋଇ ନଥିବା ଦର୍ଶାଇ ଶ୍ରଦ୍ଧାଳୁଙ୍କୁ ଫେରାଇ ଦିଆଯାଇଥିଲା।

ମାଆଙ୍କୁ ଦର୍ଶନ କରିନପାରି ଭକ୍ତମାନେ ଫେରିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛି ମନ୍ଦିର ପରିଚାଳନା କମିଟି। ଜିଲ୍ଲା ପ୍ରଶାସନ ତରବରିଆ ଭାବେ ଗୁରୁବାର ରାତିରେ ମନ୍ଦିର ଖୋଲିବାକୁ ନିର୍ଦ୍ଦେଶନାମା ଜାରି  କରିଛି। ଏଥିପାଇଁ ଆମେ ପ୍ରସ୍ତୁତ ହୋଇ ପାରିନାହୁଁ ବୋଲି ସେବାୟତମାନେ କହିଛନ୍ତି। ତେବେ ଆଗାମୀ ଦୁଇତିନି ଦିନ ମଧ୍ୟରେ ପ୍ରସ୍ତୁତି ସରିବା ପରେ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାରୁ ପ୍ରକାଶ, କରୋନା କୋପ କମିବା ପରେ ରାଜ୍ୟରେ ଅଧିକାଂଶ ଧର୍ମାନୁଷ୍ଠାନ ଖୋଲିଗଲାଣି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ଦର୍ଶନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ରାୟଗଡାର  ଅଧିଷ୍ଠାତ୍ରୀ  ଦେବୀ ମାଆ ମଝିଘରିଆଣୀ ମନ୍ଦିର ଖୋଲିନାହିଁ। ଯାହାକୁ ନେଇ ଭକ୍ତଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

Related story