ଭୁବନେଶ୍ୱର:(ସୁଜାତା ସାବତ ପାଢୀ) କି ଗାଁ କି ସହର । ସବୁଠି ଚାଲିଛି ମା’ ଆଦିଶକ୍ତିଙ୍କ ପୂଜା । ଏଥିରୁ ବାଦ୍ ପଡିନି ଆମ ରାଜଧାନୀ ଭୁବନେଶ୍ଵର । ସ୍ମାର୍ଟ ସହର ରେ ବିଭିନ୍ନ ସାହି ଓ କଲୋନୀରେ ଚାଲିଛି ମା' ମଙ୍ଗଳାଙ୍କ ପୂଜା । ଏନେଇ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ଶଙ୍କ, ହୁଳହୁଳି ଭଜନ କୀର୍ତ୍ତନରେ ସବୁଠି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଚୈତ୍ର ମାସରେ ପଡୁଥିବା ମଙ୍ଗଳବାର ଗୁଡିକର ବିଶେଷ ମହତ୍ତ୍ଵ ରହିଛି । ଚୈତ୍ର ମାସର ଉଦୁଉଦିଆ ଖରାରେ ପଣା ପିଇବା ପାଇଁ ମା’ ନଗର ଭ୍ରମଣରେ ଆସନ୍ତି ।
ଭକ୍ତମାନେ ବାଟରେ ମା’ଙ୍କର ଉଦ୍ଦେଶ୍ୟରେ ପଣା ସମର୍ପଣ କରି ଅଧିଆ ପଡନ୍ତି। ମଙ୍ଗଳମୟୀ ମା’ ସମସ୍ତଙ୍କୁ ଘଣ୍ଟ ଘୋଡାଇ ରଖିଥାଆନ୍ତୁ ବୋଲି ଆଶିଷ ଭିକ୍ଷା କରନ୍ତି । ବାଙ୍କିରେ ଚର୍ଚ୍ଚିକା , ଯାଜପୁରର ବିରଜା, କାକଟପୁର ମଙ୍ଗଳା, ସମ୍ବଲପୁରରେ ସମଲେଇ ଏମିତି ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ମା’ଙ୍କର ପୂଜା ହେଉଛି । ହେଲେ ଚୈତ୍ର ମାସରେ ମା’ଙ୍କର ନଗର ଭ୍ରମଣ ଓ ପଣା ବଣ୍ଟନ ଅତ୍ୟନ୍ତ ନିଆରା । କ୍ଷୀର, କଦଳୀ, ସାକର, ନଡିଆ, କୋରାଖଇ,ସାତ ରକମର ଫଳରେ ପଣା ପ୍ରସ୍ତୁତି ହୁଏ । ସାଙ୍ଗକୁ ଦହି ପଣା ମଜା । ଲେମ୍ବୁ ପତ୍ର, ଆମ୍ବ ଅଦା ଓ କଞ୍ଚା ଲଙ୍କା ମିଶ୍ରଣରେ ପ୍ରସ୍ତୁତ ଦହି ପାଣି ପିଇବା ସାଙ୍ଗକୁ ଆସର ଜମେ ।