“ସବୁ ପେଡ଼ି ଖୋଲିଛୁ ବୋଲି ଆଜି ଏ ଦଶା ଭୋଗୁଛୁ”

ସାଲେପୁର(ମନୋଜ ଆଚାର୍ଯ୍ୟ): “ଆମର କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। ଆର୍‌ଟିଆଇରେ ତଥ୍ୟ ମଗାଇବାରୁ ରାଜନୈତିକ ଆକ୍ରୋଶର ଶିକାର ହେଲୁ। ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ମୋ’ ବାପାଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ପୁଲିସ ଓ ପ୍ରଶାସନକୁ ସୁରକ୍ଷା ମାଗିଥିଲୁ। ହେଲେ କେହି ସୁରକ୍ଷା ଦେଲେନି। ସବୁ ପେଡ଼ି ଖୋଲିଛୁ ବୋଲି ଆଜି ଏ ଦଶା ଭୋଗୁଛୁ।” ନିଜର ତଥା ନିଜ ପରିବାର ପ୍ରତି ବିପଦ ଥିବା କହି ଏପରି ଭାବେ ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି […]

ramakanta

Niharika Rout
  • Published: Wednesday, 06 January 2021
  • , Updated: 06 January 2021, 03:32 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): “ଆମର କାହା ସହ ବ୍ୟକ୍ତିଗତ ଶତ୍ରୁତା ନାହିଁ। ଆର୍‌ଟିଆଇରେ ତଥ୍ୟ ମଗାଇବାରୁ ରାଜନୈତିକ ଆକ୍ରୋଶର ଶିକାର ହେଲୁ। ଦୁର୍ନୀତିର ପର୍ଦ୍ଦାଫାସ କରିବାରୁ ମୋ’ ବାପାଙ୍କୁ ହତ୍ୟା କରାଯାଇଛି। ପୂର୍ବରୁ ପୁଲିସ ଓ ପ୍ରଶାସନକୁ ସୁରକ୍ଷା ମାଗିଥିଲୁ। ହେଲେ କେହି ସୁରକ୍ଷା ଦେଲେନି। ସବୁ ପେଡ଼ି ଖୋଲିଛୁ ବୋଲି ଆଜି ଏ ଦଶା ଭୋଗୁଛୁ।” ନିଜର ତଥା ନିଜ ପରିବାର ପ୍ରତି ବିପଦ ଥିବା କହି ଏପରି ଭାବେ ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି ହତ୍ୟାର ଶିକାର ହୋଇଥିବା ମହାଙ୍ଗା ବିଜେପି ନେତା କୁଳମଣି ବରାଳଙ୍କ ପୁଅ ରମାକାନ୍ତ।

ରମାକାନ୍ତଙ୍କ କହିବା ଅନୁସାରେ, “ଆମ ଜୀବନ ପ୍ରତି ବିପଦ ଥିବା ନେଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମହାଙ୍ଗା ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଥିଲୁ। ହେଲେ କେହି ଶୁଣିଲେ ନାହିଁ। ଆମ ପରିବାର ପ୍ରତି ଏବେବି ବିପଦ ଟଳିନି। ପୁଲିସ୍‌କୁ ସୁରକ୍ଷା ପାଇଁ ନିବେଦନ କରିଛୁ।”

ସେ ଆହୁରି କହିଛନ୍ତି, “ଆମର କାହା ସହ ବ୍ୟକ୍ତିଗତ କିଛି କଳି ନଥିଲା। ବାପା ଜଣେ ରାଜନୈତିକ ବ୍ୟକ୍ତି ଥିଲେ। ସେ ୨ ଥର ସରପଞ୍ଚ, ଥରେ ସମିତି ସଭ୍ୟ ଓ ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ମୁଁ ଥରେ ସରପଞ୍ଚ ଥିଲି। ଏବେ ସମିତିସଭ୍ୟ ଅଛି। ଏହା ରାଜନୈତିକ ହିଂସା। ବିଭିନ୍ନ ତଥ୍ୟ ଆରଟିଆଇରେ ମାଗୁଥିବାରୁ ଆମେ ରାଜନୈତିକ ଆକ୍ରୋଶର ଶିକାର ହେଲୁ।”

ରମାକାନ୍ତଙ୍କ କହିବାନୁଯାୟୀ, ”ପୁଲିସ୍‌ ଗିରଫ କରିଥିବା କ୍ଷିତିଶ ଆଚାର୍ଯ୍ୟଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନ ଥିଲା। କ୍ଷିତିଶ ଗୋଟିଏ ବିଜୁ ପକ୍କା ଘର ହାତେଇଥିଲେ। ସେ ତାହା ପାଇବାକୁ ଯୋଗ୍ୟ ନ ଥିଲେ। ହେଲେ ତାଙ୍କ ଘର ନିକଟରେ ଚାଳ ଘର ଥିବା ଜଣେ ବ୍ୟକ୍ତିଙ୍କୁ ଘର ମିଳି ନ ଥିଲା। ଆରଟିଆଇରେ ତଥ୍ୟ ମାଗିବାରୁ ବେଆଇନ ଭାବେ କ୍ଷିତିଶଙ୍କୁ ଘର ଦିଆଯାଇଥିବା ଜଣାପଡ଼ିଥିଲା। ଏହାବ୍ୟତୀତ ଘର ନ କରି ସମ୍ପୂର୍ଣ୍ଣ ବିଲ୍‌ ପଇଠ କରାଯାଇଥିବା ଜଣାପଡ଼ିଥିଲା। ଟଙ୍କା ପାଇବାର ବର୍ଷେ ପରେ କାନ୍ଥ ଉଠୁଥିବା ବେଳେ କବାଟଝରକା ଲାଗି  ନ ଥିଲା। ଯାହାକି ସମ୍ପୂର୍ଣ୍ଣ ନିୟମ ବିରୋଧୀ।  ଏନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅବଗତ କଲୁ। କିନ୍ତୁ ଏହାପରେ ମନ୍ତ୍ରୀ  କ୍ଷିତିଶଙ୍କୁ ପଞ୍ଚାୟତର ବିଜୁ ସଭାପତି କଲେ। ସବୁ କିଛି ମନ୍ତ୍ରୀଙ୍କ ଜାଣତରେ ହୋଇଛି। ଯଦି ସୁରକ୍ଷା ଦେବାକୁ ଚାହୁଁଛନ୍ତି, ମନ୍ତ୍ରୀଙ୍କ ପିଏଙ୍କ ଫୋନ୍‌ ଟ୍ୟାପିଂ କରନ୍ତୁ । ସବୁ ପେଡ଼ି ଖୋଲିଛୁ ବୋଲି ଆଜି ଏ ଦଶା ଭୋଗୁଛୁ।”

ସୂଚନାଯୋଗ୍ୟ, କୁଳମଣୀ ବରାଳ ହତ୍ୟା ମାମଲାରେ ସମୁଦାୟ ୧୩ ଜଣଙ୍କ ନାଁରେ ତାଙ୍କ ପୁଅ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି।

ଗତକାଲି ଦିନରେ ମାମଲାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଏବଂ ନୃତ୍ତଙ୍ଗ ଗାଁର କ୍ଷୀତୀଶ ଆଚାର୍ଯ୍ୟ ଓ ଲଳିତ ମୋହନ ବରାଳଙ୍କୁ ଗିରଫ କରିଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ କୈଳାସ ଖଟୁଆ।ଙ୍କୁ ଗିରଫ କରିଛି।

ଏତଲା ଅନୁଯାୟୀ ପୁଲିସ୍ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ତଦନ୍ତ ସମୟରେ ଗିରଫ କରିଥିଲା। ତେବେ ଏବେବି ଏତଲାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୯ ଜଣଙ୍କୁ ଗିରଫ କରିପାରିନି ପୁଲିସ୍‌। ‌ତେବେ ଏମାନେ କାହିଁକି ଓ କେଉଁ କାରଣ ପାଇଁ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ହତ୍ୟା କଲେ, ସେ ନେଇ ପୁଲିସ୍ କୌଣସି ସୂଚନା ଦେଇନି । ଏହା ରାଜନୈତିକ ଶତ୍ରୁତା ନା କାହା ଇଙ୍ଗିତରେ ଏହି ଜଘନ୍ୟ କାଣ୍ଡ ଘଟାଇଲେ ଅପରାଧୀ ତାହା ସ୍ପଷ୍ଟ ହୋଇନି।

ଗତ ଶନିବାର ସନ୍ଧ୍ୟା ବେଳେ କୁଳମଣି ଓ ତାଙ୍କ ସହଯୋଗୀ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କୁଳମଣିଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ଼ ମେଡିକାଲ୍‌ରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମାହାଙ୍ଗାରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲା ବିଜେପି। ସ୍ଥିତି ବିଗୁଡ଼ୁଥିବା ଦେଖି ମାମଲାର ତଦନ୍ତ ପାଇଁ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ୱରେ ୫ଟି ଟିମ୍‌ ଗଠନ କରାଯାଇଥିଲା।

Related story