ଫେସ୍‌ବୁକ୍‌ରୁ ଚିହ୍ନା, କିନ୍ତୁ ଆଗକୁ ବଢ଼ି ନ ଥିଲା ସମ୍ପର୍କ: ମଧୁ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା):  “ଗତ ନଭେମ୍ବରରେ ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା ସମ୍ପର୍କ। ହେଲେ ତାହା ବେଶି ଆଗକୁ ବଢ଼ି ନ ଥିଲା। କିନ୍ତୁ କୃଷ୍ଣଚନ୍ଦ୍ରଙ୍କର ଅଧିକ ଆଶା ଥିଲା। ଏଥିଲାଗି ସେ ବାରମ୍ବାର ଫୋନ୍‌ କରିବା ସହ ମେସେଜ୍‌ ମଧ୍ୟ ପଠାଉଥିଲେ।”  ଏକଥା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଜଗତସିଂହପୁର ଜିଲ୍ଲା ଦାଆଗାଁରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁ। ଗତକାଲି ରାତିରେ ପୁଲିସ୍‌ର ଏକ ଟିମ୍‌ କଟକ କାଠଗଡ଼ାସାହିକୁ ଯାଇ ମଧୁଙ୍କୁ ପଚରାଉଚରା କରିଥିଲା। […]

jsg-1-1

Niharika Rout
  • Published: Tuesday, 08 October 2019
  • , Updated: 08 October 2019, 01:00 PM IST

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା):  “ଗତ ନଭେମ୍ବରରେ ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା ସମ୍ପର୍କ। ହେଲେ ତାହା ବେଶି ଆଗକୁ ବଢ଼ି ନ ଥିଲା। କିନ୍ତୁ କୃଷ୍ଣଚନ୍ଦ୍ରଙ୍କର ଅଧିକ ଆଶା ଥିଲା। ଏଥିଲାଗି ସେ ବାରମ୍ବାର ଫୋନ୍‌ କରିବା ସହ ମେସେଜ୍‌ ମଧ୍ୟ ପଠାଉଥିଲେ।”  ଏକଥା ପୁଲିସ୍‌ ସମ୍ମୁଖରେ କହିଛନ୍ତି ଜଗତସିଂହପୁର ଜିଲ୍ଲା ଦାଆଗାଁରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧୁ।

ଗତକାଲି ରାତିରେ ପୁଲିସ୍‌ର ଏକ ଟିମ୍‌ କଟକ କାଠଗଡ଼ାସାହିକୁ ଯାଇ ମଧୁଙ୍କୁ ପଚରାଉଚରା କରିଥିଲା। ଏହାପରେ ଅଧିକ ପଚରାଉଚରା ଲାଗି ତାଙ୍କୁ ପୁଲିସ୍‌ ଜଗତସିଂହପୁର ଆଣିଛି।

ପଚରାଉଚରା ବେଳେ ଗତ ଶନିବାର ଘଟିଥିବା ଘଟଣା ସମ୍ପର୍କରେ ମଧ୍ୟ କହିଛନ୍ତି ମଧୁ। ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେ କହିଛନ୍ତି ଯେ ଗତ ଶନିବାର କୃଷ୍ଣଚନ୍ଦ୍ର ତାଙ୍କୁ ଫୋନ୍‌ କରି ଦାଆଗାଁ ଆସିବାକୁ କହିଥିଲେ। ହେଲେ ଘରେ କାମ ଥିବାରୁ ସେ ଆସି ପାରିବିନି ବୋଲି କହିଥିଲେ।

ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ ମଧୁ ନ ଆସିବାରୁ କୃଷ୍ଣଚନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସଦର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି।

ଏସ୍‌ଡିପିଓ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ମଧୁଙ୍କ ବିରୋଧରେ ସେପରି କିଛି ଠୋସ୍‌ ପ୍ରମାଣ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ କୃଷ୍ଣ ନିଜ ଶରୀରରେ କିଛି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।”

ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କାଞ୍ଚନପୁର ବୋକାଖାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଗତ ଶନିବାର ଅହମ୍ମଦାବାଦ ଯାଉଥିବା କହି ଘରୁ ବାହାରି ଆସିଥିଲେ। ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନାର ଦାଆଗାଁରେ ତାଙ୍କୁ ସେହିଦିନ ରାତିରେ ଜୀବନ୍ତ ଜାଳି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ଖବର ପ୍ରସାରିତ ହେବା ପରେ ତାଙ୍କ ପରିବାର ଲୋକେ ଜଗତସିଂହପୁର ଆସିଥିଲେ। ମଧୁ ଷଡ଼ଯନ୍ତ୍ର କରି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ତାଙ୍କରି ଏତଲା ଆଧାରରେ ଗତକାଲି ଅପରାହ୍ନରେ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ସମ୍ପୃକ୍ତ ମହିଳାଙ୍କ ଦାଆଗାଁସ୍ଥିତ  ଘରକୁ ଯାଇ ତାଙ୍କ ବାପା ଓ ଦୁଇ ଭଉଣୀଙ୍କୁ ପଚରାଉଚରା କରିଥିଲା । ପରେ ସେମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିବା ପରେ ଦୁଇ ଭଉଣୀଙ୍କୁ ଛାଡି ଦେଇଥିଲା। ତେବେ ତାଙ୍କ ବାପାଙ୍କୁ ଏବେବି ପୁଲିସ୍ ଥାନାରେ ରଖିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କ ଅଭିଯୋଗକୁ ଭିତ୍ତି କରି ବାଲିକୁଦା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

 

Related story