ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମାମଲା ବୁଢ଼ିଆଣୀ ଜାଲରେ ଛନ୍ଦି ହେବାରେ ଲାଗିଛି। ମାମଲାର ଗୁମର ଖୋଲୁନଥିବା ବେଳେ ଆଜି ପ୍ରଥମ ଥର ପାଇଁ ପାରଳାଖେମୁଣ୍ଡି ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ପରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଲାଙ୍ଗିର ନେଇ ଯାଇଥିବା କାର୍ ଚାଳକ ପ୍ରମୋଦ ସାହୁଙ୍କୁ ଜେରା କରାଯାଇଛି। ତାଙ୍କ ପରେ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡାଙ୍କୁ ଜାରା କରାଯାଇପାରେ। ସେଥିପାଇଁ ପାରଳାଖେମୁଣ୍ଡି ଥାନାରେ ପହଞ୍ଚି ସାରିଲେଣି ମମତା ପଣ୍ଡା।
ଗୁରାଣ୍ଡି ଥାନାଧିକାରୀ ମମତା ପଣ୍ଡା ହେଉଛନ୍ତି ବିଦ୍ୟାଙ୍କ ସମ୍ପର୍କୀୟ ବୋଲି ପୂର୍ବରୁ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ ହୋଇଥିଲା। କେବଳ ମମତାଙ୍କ ପାଇଁ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ୱୁଲାନ୍ସ ଅଧା ରାସ୍ତାରେ ଅଟକିଥିଲା। ସେପଟେ ଦୁର୍ଘଟଣା ପରଠାରୁ ମମତାଙ୍କୁ ବିଦ୍ୟାଭାରତୀଙ୍କ ପାଖେ ପାଖେ ଦେଖିବାକୁ ମିଳୁଥିଲା। ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ ଆରମ୍ଭ କରି ମେଡ଼ିକାଲ୍ ପର୍ଯ୍ୟନ୍ତ। ସେପଟେ ପାରଳାଖେମୁଣ୍ଡି ଥାନା ପୁଲିସ ସୌମ୍ୟଙ୍କ କ୍ୱାର୍ଟର୍ସ ଯାଞ୍ଚ କରୁଥିବା ବେଳେ ସେଠାରେ ୟୁନିଫର୍ମରେ ମାମତା ଉପସ୍ଥିତ ଥିବା ଆଲୋଚନା ହେଉଛି।
ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ସରକାରୀ କ୍ୱାର୍ଟରରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।