ବଲାଙ୍ଗିର/କଣ୍ଟାବାଞ୍ଜି(ଘଟେଶ୍ୱର/ଅନ୍ତିମ): ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଶ୍ରଦ୍ଧା ହତ୍ୟାକାଣ୍ଡ ପରି ଆଉ ଏକ ବର୍ବରକାଣ୍ଡ ଓଡ଼ିଶାରେ ଘଟିଛି। ପାର୍ଟନର ସହ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସୈତାନ ପ୍ରେମିକ ଘଟାଇଛି ଜଘନ୍ୟକାଣ୍ଡ। ପ୍ରଥମେ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ସମ୍ପୃକ୍ତ ଅଭିଯୁକ୍ତ ଓ ତା’ ସାଥୀକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ପୂରା ଘଟଣାଟି ଏମିତି। ଛତିଶଗଡ଼ କୋର୍ବା ଜିଲ୍ଲାର ତନୁ କୁରେ ଆକ୍ସିସ୍ ବ୍ୟାଙ୍କର ଜଣେ କର୍ମଚାରୀ। ସେ ରାୟପୁର ଅଞ୍ଚଳର ସଚିନ ଅଗ୍ରୱାଲ୍ଙ୍କୁ ପ୍ରେମ କରୁଥିଲେ। ଗତ ୨୧ ତାରିଖରେ ଉଭୟ ଏକ କାର୍ରେ ରାୟପୁରରୁ ବାହାରିଥିଲେ। ସେମାନେ ମହାଶମୁଣ୍ଡା ଯିବା ପାଇଁ ପ୍ଲାନ୍ କରିଥିଲେ। ମାତ୍ର ରାସ୍ତାରେ ନିଜର ନିଷ୍ପତ୍ତି ବଦଳାଇ ଓଡ଼ିଶା ଆସୁଥିଲେ। ତେବେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡ ଅତିକ୍ରମ କରିବା ପରେ ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଯୁକ୍ତିତର୍କ ଭିତରେ ତନୁଙ୍କୁ ତାଙ୍କ ପ୍ରେମିକ ସଚିନ ମାଡ଼ ମାରିଥିଲେ। ପରେ ତାଙ୍କୁ ନିଜ ବନ୍ଧୁକରେ ଫାୟାରିଂ କରିଥିଲେ। ଫଳରେ କାର ଭିତରେ ତନୁଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସଚିନଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ତା’ପରେ ସଚିନ ମୃତଦେହକୁ ଧରି ତୁରେଇକେଲା କଲେଜ ନିକଟସ୍ଥ କାଜ ଜଙ୍ଗଲକୁ ନେଇ ଆସିଥିଲେ। ସେଠାରେ ସେ ମୃତଦେହକୁ ପୋଡ଼ି ଦେଇଥିଲେ। ପରେ ସେଠାରେ କଣ୍ଟାବାଞ୍ଜି ପଳାଇ ଯାଇଥିଲେ। ସେଠାରେ ସେ ତାଙ୍କ ବନ୍ଧୁ ସୁରଜ ଅଗ୍ରୱାଲଙ୍କୁ ନିଜର ବନ୍ଧୁକ ଦେଇ ଚମ୍ପଟ ମାରିଥିଲା।
୨୪ ତାରିଖରେ ଦରପୋଡ଼ା ମୃତଦେହ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ଦିଗରୁ ତଦନ୍ତ କରି ଅଭିଯୁକ୍ତ ସଚିନକୁ ଗୁରୁବାର ଗିରଫ କରିଛି। ଅନ୍ୟପକ୍ଷରେ ସଚିନଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।