ଆଠଗଡ଼(ନୀଳକଣ୍ଠ ଦୋରା): ସ୍ୱାମୀଙ୍କ ତଣ୍ଟିକାଟିଦେଲା ଦ୍ୱିତୀୟ ସ୍ତ୍ରୀ! ଏପରି ଅଭିଯୋଗ କଟକ ଜିଲ୍ଲା ଆଠଗଡ଼ରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡ଼ର ମଙ୍ଗୁଳି ନାୟକ ବାସ କରନ୍ତି। ସେ ପ୍ରଥମେ ବାହା ହୋଇଥିଲେ। ତାଙ୍କର ଏବେ ଛୋଟିଆ ଝିଅଟିଏ ରହିଛି। ଏହା ସତ୍ତ୍ୱେ ମଙ୍ଗୁଳି ପ୍ରେମ କରି ରୀନାଙ୍କୁ ବିବାହ କରିଥିଲେ। ବିବାହ ପରେ ରୀନାଙ୍କୁ ନିଜ ଘରକୁ ଆଣିଥିଲା। ଯାହାକୁ ତାଙ୍କ ପ୍ରଥମ ସ୍ତ୍ରୀ ବିରୋଧ କରିଥିଲେ। ସେଥିପାଇଁ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ହସ୍ତକ୍ଷେପ କରିଥିଲେ ମଙ୍ଗୁଳି। ଠିକ୍ ଏହି ସମୟରେ ରୀନା ଏକ ଧାରୁଆ ଛୁରୀରେ ମଙ୍ଗୁଳିଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ଆଠଗଡ଼ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଦ୍ୱିତୀୟ ପତ୍ନୀ ରୀନାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।