ବାରିପଦା (ମାଣିକଲାଲ ପାଣି): ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ ଓ ୧୦ ହଜାର ଜରିମାନା ଦଣ୍ଡାଦେଶ ହୋଇଛି। ଜରିମାନା ଅନାଦେୟ ହେଲେ ତାକୁ ଅଧିକ ୩ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ବାରିପଦା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି।
୨୦୧୫ ମସିହା ଜୁନ୍ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଶୁକ୍ରା ସିଂ ଜଣେ ୮ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବା ବାହାନାରେ ଡାକିନେଇ ଦୁଷ୍କର୍ମ କରିଥିଲା। ପରେ ତାକୁ ସେଠାରେ ଛାଡ଼ି ପଳାଇ ଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଶୁକ୍ରା ସିଂକୁ ଗିରଫ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୬ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।