ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି।
ଚତୁର୍ଥ କଳିଙ୍ଗ ସାହିତ୍ୟ ମହୋତ୍ସବରେ ଆଜିର ଆଲୋଚନାଚକ୍ର ଥିଲା ‘ଦୈବିକ ପ୍ରଗଳଭତା: ପ୍ରଜ୍ଞାନ, ଆନନ୍ଦ ଓ ରୂପାନ୍ତରଣ’। ଏଥିରେ ସମ୍ଭାଷଣ ପ୍ରଦାନ କରି ଶ୍ରୀ ଦାସ କହିଛନ୍ତି-“ଦୈବିକ ପ୍ରଗଳଭତା ଏକ ପରାଶକ୍ତି ଓ ନିଜକୁ ଦେଖିବାର ଅନୁଭବ। ଏହାର ଧର୍ମ, ସଂପ୍ରଦାୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଅନୁଭବ ଜଣେ ବ୍ୟକ୍ତିଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଦେଇଥାଏ।”
ମନୋଜ ଦାସଙ୍କ ସହିତ ଏହି ମଞ୍ଚରେ ସୀତାକାନ୍ତ ମହାପାତ୍ର, ରାମାକାନ୍ତ ରଥ, ପ୍ରତିଭା ରାୟଙ୍କ ପରି ଓଡ଼ିଆ ସାହିତ୍ୟର ପ୍ରମୁଖ ବ୍ୟକ୍ତିତ୍ଵଗଣ ଯୋଗଦେଇଥିଲେ। ସୀତାକାନ୍ତ ମହାପାତ୍ର ନିଷ୍କାମ ଜ୍ଞାନ ଓ କର୍ମ ସହିତ ଭକ୍ତି ଭାବ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ପ୍ରତିଭା ରାୟ କହିଥିଲେ, ସାରଳାଙ୍କଠାରୁ ଆରମ୍ଭ କରି ରମାକାନ୍ତ ରଥ ଯାଏଁ, ଫକିର ମୋହନ ସେନାପତିଙ୍କଠାରୁ ଆରମ୍ଭ କରି ମନୋଜ ଦାସଙ୍କ ଯାଏଁ ସମସ୍ତ ଶ୍ରେଷ୍ଠ ସାହିତ୍ୟିକଙ୍କ କୃତିର ଉତ୍ସ ହେଉକି ଆଧ୍ୟାତ୍ମବାଦ। ଓଡ଼ିଆ ଭାଷାର ସାର୍ଥକ ସ୍ରଷ୍ଟା ଯେପରି ଲୋପ ନ ପାଆନ୍ତୁ ଓ ସେଥିପ୍ରତି ଯୁବପିଢି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏହି ଅବସରରେ କବି ରମାକାନ୍ତ ରଥ କହିଛନ୍ତି।
ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରଥମ ଦିବସରେ ସାହିତ୍ୟକୃତି ମନ୍ଥନ, ଭକ୍ତିବାଦ, ପଞ୍ଚସଖା ସାହିତ୍ୟ, ଲେଖକଙ୍କ ସହିତ ଆଲୋଚନା, ସୁଫି ସଙ୍ଗୀତ ପରିବେଷଣ ଆଦି ସାତଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।