ଆବାସକୁ ନେଇ ଆରମ୍ଭରୁ ଗୋଳମାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭରୁ ଗୋଳମାଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ପଂଚାୟତ ଅଫିସ୍‌ ବାହାରେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଲଗାଯିବା ପରେ ଆଜି ପ୍ରଥମ ଦିନରୁ ହିଁ ଉତ୍ତେଜନା ପ୍ରକାଶ ପାଇଛି। କେଉଁଠି ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କ ନାଁ ଥିବା ନଜରକୁ ଆସିଥିବା ବେଳେ ଆଉ କେଉଁଠି ସରକାରୀ ଚାକିରିଆଙ୍କ ପତ୍ନୀଙ୍କ ନାଁ ବି ଚିଠା ତାଲିକାରେ ସ୍ଥାନ ପାଇଛି। ସେପଟେ ୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ […]

BJP

  • Published: Monday, 16 January 2023
  • , Updated: 16 January 2023, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭରୁ ଗୋଳମାଳ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ। ପଂଚାୟତ ଅଫିସ୍‌ ବାହାରେ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଲଗାଯିବା ପରେ ଆଜି ପ୍ରଥମ ଦିନରୁ ହିଁ ଉତ୍ତେଜନା ପ୍ରକାଶ ପାଇଛି। କେଉଁଠି ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କ ନାଁ ଥିବା ନଜରକୁ ଆସିଥିବା ବେଳେ ଆଉ କେଉଁଠି ସରକାରୀ ଚାକିରିଆଙ୍କ ପତ୍ନୀଙ୍କ ନାଁ ବି ଚିଠା ତାଲିକାରେ ସ୍ଥାନ ପାଇଛି। ସେପଟେ ୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟରେ ଥିବା ହିତାଧିକାରୀଙ୍କ ନାଁ ଏବେକାର ଚିଠା ତାଲିକାରେ ନାହିଁ। ସରକାରୀ ବିଧିବ୍ୟବସ୍ଥାରେ ଏଭଳି ଗଫଲତି ଦେଖି ତାତିଛି ବିଜେପି। ଯୋଗ୍ୟ ଲୋକଙ୍କୁ ଘର ନମିଳିଲେ ନବୀନ ନିବାସ ଘେରାଉ ହେବ ବୋଲି ଦଳ ଚେତାବନୀ ଦେଇଛି।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ମିଳିଛି ପ୍ରାୟ ସାଢେ ନଅ ଲକ୍ଷ ଘର। ସେସବୁକୁ ବାଣ୍ଟିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ପଂଚାୟତ ଅଫିସ୍‌ରେ ଲାଗିଛି ସମ୍ଭାବ୍ୟ ହିତାଧିକାରୀଙ୍କ ଲିଷ୍ଟ। ନିଜ ନାଁକୁ ତାଲିକାରେ ଖୋଜୁଛନ୍ତି ଆଶାୟୀ। ତେବେ ଚିଠା ତାଲିକାକୁ ନେଇ ଆରମ୍ଭରୁ ଉପୁଜିଛି ଗୋଳମାଳିଆ ସ୍ଥିତି। ଯେମିତି ବାଲେଶ୍ୱର ସଦର ବ୍ଲକ୍ ଓଡଙ୍ଗି ପଂଚାୟତରେ ଲାଗିଥିବା ହିତାଧିକାରୀ ଲିଷ୍ଟରେ ଦେଖାଦେଇଛି କେଁ। ଗୋଟିଏ ପରିବାରର ଦୁଇ ଜଣଙ୍କ ନାଁ ରହିଛି ତାଲିକାରେ। ଲିଷ୍ଟ୍‌ରେ ନାବାଳକଙ୍କ ନାଁ ଥିବା ବି ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ ସରକାରୀ ଚାକିରିଆଙ୍କ ପତ୍ନୀଙ୍କ ନାଁ ବି ସାମ୍ଭାବ୍ୟ ତାଲିକାରେ ଥିବା କୁହାଯାଉଛି। ସେପଟେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଆଇତିପୁର ପଂଚାୟତରେ ଚିଠା ତାଲିକା ଲାଗିବା ପରେ ସୃଷ୍ଟି ହୋଇଛି ଟେନ୍‌ସନ୍। ତାଲିକା ପ୍ରସ୍ତୁତିରେ ଅନିୟମିତତା ଥିବା ଅଭିଯୋଗ କରି ପଂଚାୟତ ଅଫିସ୍‌ରେ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ।

ସେହିପରି ବିପଦସଙ୍କୁଳ ଘରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ବ୍ଲକ ଚଣ୍ଡେଶ୍ଵର ପଞ୍ଚାୟତ କୃଷ୍ଣପୁର ଗାଁ’ର ଦୁଃଖୀ ରାଉତ ଓ ଦାରୁ ଗାଁ’ର ଟିକିନା ଦେଇ ପୁଣି ଥରେ ଆବାସ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ୨୦୧୮-୧୯ ମସିହାରେ ସେମାନେ ଆବାସ ପାଇବା ପାଇଁ ଯୋଗ୍ୟ ବୋଲି ୱେଟିଂ ତାଲିକାରେ ନାଁ ଥିଲା। ହେଲେ ଏବେ ପ୍ରକାଶ ପାଇଥିବା ଲିଷ୍ଟରେ ତାଙ୍କ ନାଁ ନାହିଁ। ଯାହାକୁ ନେଇ ସେମାନେ ଚକିତ। ତାଲିକାରୁ ସେମାନଙ୍କ ନାଁ କଟିଲା କେମିତି ଓ ଆଉ କାଟିଲା କିଏ, ତାକୁ ନେଇ ସେ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।

ସେହିପରି ବାପା, ମା’ ଚାଲି ଯିବା ପରେ ଏକ ବିପଦସଙ୍କୁଳ ଘରେ ରହୁଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଛାମୁଣ୍ଡା ପଞ୍ଚାୟତ ଗୋଳାବନ୍ଧ ଗ୍ରାମର ଦିବ୍ୟାଙ୍ଗ ମତୀ ନାୟକ ମଧ୍ୟ ଆବାସ ପାଇବା ତାଲିକାରୁ ବଞ୍ଚିତ। ତାଙ୍କ ମାଟି ଘରକୁ ହାତୀ ଭାଙ୍ଗି ଦେବା ପରେ ସେ ଏବେ ନିରାଶ୍ରୟ। କେବଳ ଏ ସ୍ଥାନଗୁଡ଼ିକ ନୁହଁ, ରାଜ୍ୟର ଅନ୍ୟାନ୍ୟ ଅଂଚଳରୁ ବି ସମାନ ଅଭିଯୋଗ ଆସିବାରେ ଲାଗିଛି।

ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ବାକ୍ସରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଅଭିଯୋଗ କରାଯାଇପାରିବ। ପରେ ଗ୍ରାମସଭାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

ଅଭିଯୋଗକାରୀ ରତିକାନ୍ତ ନାୟକ କହିଛନ୍ତି, ଲଗା ଯାଇଥିବା ହିତାଧିକାରୀ ତାଲିକାରେ ଅନେକ ଲୋକ ପୂର୍ବରୁ ଏହି ଯୋଜନାରେ ପକ୍କାଘର ପାଇଛନ୍ତି। ନାବାଳକ ଓ ଚାକିରିଆ ପରିବାର ବି ଘର ପାଇବାକୁ ଯୋଗ୍ୟ ବୋଲି ତାଲାକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଯେଉଁମାନେ ଗରିବ ଓ ପାଇବାକୁ ଯୋଗ୍ୟ ସେମାନଙ୍କୁ ଦିଆଯାଉ।

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଲୋକେ ଏନେଇ ଅଭିଯୋଗ କରିବା ପରେ ବ୍ଲକସ୍ତରରେ ଗଠିତ ହୋଇଥିଲା ଟିମ୍‌ ଏହାର ଯାଞ୍ଚ କରିବ। ପରେ ସାନି ତାଲିକା ପ୍ରକାଶ ପାଇବ। ସରକାରଙ୍କ ନିର୍ଦ୍ଦେଶ ପରେ ଆବାସ ବଣ୍ଟନ କରାଯିବ।

ତେବେ ମାଗଣା ଚାଉଳ ପରେ ଏବେ ପିଏମ୍ ଆବାସ ଯୋଜାନରେ ଘର ବାଣ୍ଟିବା ନେଇ ତେଜିଛି ରାଜନୀତି। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨୦୧୮-୧୯ ପ୍ରୋଭିଜନାଲ୍ ୱେଟିଂ ଲିଷ୍ଟରେ ଥିବା ପ୍ରାୟ ଦେଢ ଲକ୍ଷ ଲୋକଙ୍କ ନାଁ ଏବେକାର ଚିଠା ତାଲିକାରୁ ବାଦ୍ ଦିଆଯାଇଛି। ସେହି ତାଲିକାକୁ ରେଫରାଲ୍ ଭାବେ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ସେହିପରି ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଯେଉଁମାନେ ଅଭିଯୋଗ କରିବେ ସେମାନଙ୍କ ନାଁ ଗୁପ୍ତ ରଖାଯାଉ, ନହେଲେ ଗାଁ ଗାଁରେ ଗଣ୍ଡଗୋଳ ହେବ। ତା’ସହ ପଂଚାୟତ ବଦଳରେ ବ୍ଲକରେ ଅଭିଯୋଗ ବାକ୍ସ ଖୋଲାଯାଉ ବୋଲି ସେ କହିଛନ୍ତି।

ସେହିପରି ପିଏମ୍ ଆବାସ ଯୋଜନାରେ କେବଳ ଆବାସ ଯୋଜନାର ଲୋଗୋ ଲଗାଇବାକୁ ବିଜେପି ପୁଣି ଥରେ ଦାବି କରିଛି। ସ୍ୱଚ୍ଛତାର ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ବ୍ୟାପକ ଆନ୍ଦୋଳନ ହେବ, ଆଉ ନବୀନ ନିବାସ ଘେରାଉ ହେବ ବୋଲି ଚେତାବାନୀ ଦେଇଛି ବିଜେପି।

ଏସବୁ ଅଭିଯୋଗର ଜବାବ ରଖି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆବାସ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯାଉଛି। ଏନେଇ ଗାଇଡ୍‌ଲାଇନ୍ ହୋଇଛି। ଯେଉଁମାନେ ନବୀନ ନିବାସ ଘେରାଉ କରିବାକୁ କହୁଛନ୍ତି, ସେମାନେ ଅଯଥା ରାଜନୀତି କରୁଛନ୍ତି।

ଏସବୁ ଅକ୍ଷେପ ପ୍ରତିଆକ୍ଷେପ ଭିତରେ ଆବାସ ଯୋଜନା ଲୋଗୋକୁ ନେଇ ବି ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ। ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ଏବେ ତାହା ଦେଖିବାର କଥା।

Related story