ଓଡ଼ିଶାରେ ମାତୃ ମୃତ୍ୟୁହାର ଏବେବି ଉଦବେଗଜନକ, ଷଷ୍ଠ ସର୍ବାଧିକ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ମହିଳାଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଥିଲେ ମଧ୍ୟ ସେମାନଙ୍କ ଜୀବନ ରକ୍ଷା ଦିଗରେ ଆଶାନୁରୂପ ପଦକ୍ଷେପ ନେବାରେ ସକ୍ଷମ ହୋଇପାରିନି। ମହିଳାମାନେ ଗର୍ଭବତୀ ହେବାପରଠୁ ପ୍ରସବ ପର୍ଯ୍ୟନ୍ତ ସେମାନଙ୍କ ଯତ୍ନ ନେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରିଥିବାବେଳେ ଗର୍ଭବତୀଙ୍କ ପାଇଁ ‘ମମତା’ ଯୋଜନାକୁ ବିଜେଡି ସରକାର ସମଗ୍ର ଦେଶ ପାଇଁ ମଡେଲ୍ ବୋଲି ଦାବି କରୁଛି । […]

woman1

Ordigital Desk
  • Published: Friday, 11 March 2022
  • , Updated: 11 March 2022, 10:15 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ମହିଳାଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଥିଲେ ମଧ୍ୟ ସେମାନଙ୍କ ଜୀବନ ରକ୍ଷା ଦିଗରେ ଆଶାନୁରୂପ ପଦକ୍ଷେପ ନେବାରେ ସକ୍ଷମ ହୋଇପାରିନି। ମହିଳାମାନେ ଗର୍ଭବତୀ ହେବାପରଠୁ ପ୍ରସବ ପର୍ଯ୍ୟନ୍ତ ସେମାନଙ୍କ ଯତ୍ନ ନେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରିଥିବାବେଳେ ଗର୍ଭବତୀଙ୍କ ପାଇଁ ‘ମମତା’ ଯୋଜନାକୁ ବିଜେଡି ସରକାର ସମଗ୍ର ଦେଶ ପାଇଁ ମଡେଲ୍ ବୋଲି ଦାବି କରୁଛି । ତଥାପି ଦୀର୍ଘ ୨୨ବର୍ଷ ମଧ୍ୟରେ ଓଡ଼ିଶାରେ ନା ଚିକିତ୍ସା ସୁବିଧା ଭିତ୍ତିଭୂମିରେ ଆଖିଦୃଶିଆ ସୁଧାର ଆସିଛି ନା ମହିଳା ଅକାଳ ମୃତ୍ୟୁକୁ ଦ୍ରୁତ ଗତିରେ ରୋକିବାରେ ସକ୍ଷମ ହେଉଛି । ଭାରତ ସରକାରଙ୍କ ଦ୍ୱାରା ଜାରି ସଦ୍ୟ ରିପୋର୍ଟ ଅନୁସାରେ ଓଡ଼ିଶା ଏବେବି ସର୍ବାଧିକ ମାତୃ ମୃତ୍ୟୁହାର ମାମଲାରେ ଦେଶର ଷଷ୍ଠ ସ୍ଥାନରେ ରହିଛି । ଆସାମ, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ ଓଡ଼ିଶା ରହିଛି ।

ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଭାରତରେ ମାତୃ ମୃତ୍ୟୁହାର-୨୦୧୭-୧୯’କୁ ନେଇ ଆଜି ସ୍ୱତନ୍ତ୍ର ବୁଲେଟିନ ଜାରି ହୋଇଛି । ଏହି ରିପୋର୍ଟ ଅନୁସାରେ, ଭାରତରେ ମାତୃ ମୃତ୍ୟୁହାର ଅନୁପାତ ହାରାହାରି ଏକ ଲକ୍ଷ ମହିଳାରେ ୧୦୩ ଥିବାବେଳେ ଆସାମରେ ଏକଲକ୍ଷ ପ୍ରସବରେ ୨୦୫ଜଣ ମହିଳା, ଉତ୍ତରପ୍ରଦେଶରେ ୧୬୭ଜଣ, ମଧ୍ୟପ୍ରଦେଶରେ ୧୬୩ଜଣ, ଛତିଶଗଡ଼ରେ ୧୬୦ଜଣ, ରାଜସ୍ଥାନରେ ୧୪୧ଜଣ ଓ ଓଡ଼ିଶାରେ ଏକଲକ୍ଷ ମହିଳାରେ ୧୩୬ଜଣ ମା’ ପ୍ରସବକାଳୀନ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ତେବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଏହି ମୃତ୍ୟୁ ଏକ ଲକ୍ଷରେ ମାତ୍ର ୫୮, ତେଲେଙ୍ଗାନାରେ ୫୬, ଝାଡ଼ଖଣ୍ଡରେ ୬୧ ଓ ପଶ୍ଚିମବଙ୍ଗରେ ୧୦୯ଜଣ ରହିଛି । ୨୦୧୪-୧୬ ରିପୋର୍ଟରେ ଓଡ଼ିଶାରେ ମାତୃ ମୃତ୍ୟୁହାର ଅନୁପାତ ଏକ ଲକ୍ଷରେ ୧୮୦ ଥିବାବେଳେ ୨୦୧୫-୧୭ରେ ଏହା ୧୬୮କୁ ଓ ୨୦୧୬-୧୮ରେ ୧୫୦କୁ ହ୍ରାସ ପାଇଥିଲା । ଯାହାକି ୨୦୧୭-୧୯ରେ ୧୩୬କୁ କମିଛି । ଅର୍ଥାତ ୧୪ ପଏଣ୍ଟ ହ୍ରାସ ପାଇଛି । ତେବେ ପୂର୍ବବର୍ଷ ତୁଳନାରେ ଏହି ହ୍ରାସ ଅନୁପାତ ଚଳିତଥର କମ୍ ରହିଥିଲେ ମଧ୍ୟ ଓଡ଼ିଶା ସରକାର ନିଜସ୍ୱ ପ୍ରଚାର ନିଶା ଛାଡ଼ି ପାରିନାହାନ୍ତି ।

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଗଣମାଧ୍ୟମକୁ ଏକ ପ୍ରେସ୍ ରିଲିଜ୍ ଦେଇ କହିଛନ୍ତି ଯେ, ମାତୃ ସ୍ୱାସ୍ଥ୍ୟ ସେବାରେ ସୁଧାର ଯୋଗୁ ଓଡ଼ିଶାରେ ମାତୃ ମୃତ୍ୟୁହାର ଅନୁପାତ ଉଲ୍ଲେଖନୀୟ ହ୍ରାସ ପାଇଛି । ୨୦୧୬-୧୮ରେ ଏହା ୧୫୦ ଥିବାବେଳେ ଚଳିତ ୨୦୧୭-୧୯ରେ ଏହା ୧୩୬କୁ କମିଛି । ଯାହାକି ସମଗ୍ର ଦେଶରେ ପଂଚମ ସର୍ବାଧିକ ହ୍ରାସ । ମାତୃ ମୃତ୍ୟୁହାର ହ୍ରାସ ପାଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ‘ସମ୍ପୂର୍ଣ୍ଣା’ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରାଯାଉଛି । ଜନନୀ ସୁରକ୍ଷା ଯୋଜନା, ଲକ୍ଷ୍ୟ, ବିସ୍ତୃତ ଆର୍ବୋସନ କେୟାର ସର୍ଭିସ, ଏମସିପି କାର୍ଡ ବଣ୍ଟ, ନିରାପଦ ମାତୃତ୍ୱ ବୁକଲେଟ୍‌, ଅଙ୍ଗନବାଡ଼ି ଦ୍ୱାରା ଆଗୁଆ ପଞ୍ଜିକରଣ, ଲେବର ରୁମଗୁଡ଼ିକରେ ମାନରେ ଗୁଣାତ୍ମକ ସୁଧାର, ମା’ ଓ ନବଜାତ ଶିଶୁକୁ କିଟ୍ ପ୍ରଦାନ ଆଦି ମାଧ୍ୟମରେ ରାଜ୍ୟରେ ମାତୃ ମୃତ୍ୟୁହାର ହ୍ରାସ କରାଯାଉଛି ବୋଲି ଡାକ୍ତର ପାଣିଗ୍ରାହୀ ସ୍ପଷ୍ଟୀକରଣ ଦେଇଛନ୍ତି ।

Related story