ପାଠପଢ଼ା ଫି’ ଦେବାକୁ ଧାନ କାଟୁଛନ୍ତି ଡାକ୍ତରୀ ଛାତ୍ର

ବାଲିଗୁଡ଼ା(ଅଜିତ୍ ନାୟକ): ଡାକ୍ତରୀ ପଠପଢ଼ା ଫି’ ଦେବାକୁ ଧାନ କାଟୁଛନ୍ତି, ଦିନ ମଜୁରିଆ ଭାବେ ମୂଲ ବି ଲାଗୁଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗାଡ଼ାର ଆଦିବାସୀ ମୂଲକରେ ଜଣେ ଡାକ୍ତରୀ ଛାତ୍ରଙ୍କ ଏଭଳି ସଂଘର୍ଷ ଏବେ ସବୁଠି ଅଲୋଚନାର ବିଷୟ ହୋଇଛି। ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିଲେ ହେଁ ଏହି ଆଦିବାସୀ ଛାତ୍ର ଜଣକ ଏ ସବୁରୁ ବଞ୍ଚିତ। ପରିବାରର ଆର୍ଥିକ ସ୍ଥିତି […]

Ephu

  • Published: Tuesday, 06 December 2022
  • , Updated: 06 December 2022, 09:13 PM IST

ବାଲିଗୁଡ଼ା(ଅଜିତ୍ ନାୟକ): ଡାକ୍ତରୀ ପଠପଢ଼ା ଫି’ ଦେବାକୁ ଧାନ କାଟୁଛନ୍ତି, ଦିନ ମଜୁରିଆ ଭାବେ ମୂଲ ବି ଲାଗୁଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗାଡ଼ାର ଆଦିବାସୀ ମୂଲକରେ ଜଣେ ଡାକ୍ତରୀ ଛାତ୍ରଙ୍କ ଏଭଳି ସଂଘର୍ଷ ଏବେ ସବୁଠି ଅଲୋଚନାର ବିଷୟ ହୋଇଛି। ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିଲେ ହେଁ ଏହି ଆଦିବାସୀ ଛାତ୍ର ଜଣକ ଏ ସବୁରୁ ବଞ୍ଚିତ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ତାଙ୍କୁ ଏବେ ପାଠପଢ଼ା ସାଙ୍ଗକୁ ପରିବାର ଗୁଜୁରାଣ ନିମନ୍ତେ କଡ଼ା ପରିଶ୍ରମ କରିବାକୁ ପଡ଼ୁଛି।

ଏହି ଡାକ୍ତରୀ ଛାତ୍ର ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଂଚାୟତର ବାଗ୍ରାମିଲା ଗ୍ରାମର ଇଫୁ ମଳିକ। ଚଳିତ ବର୍ଷ ସେ ନିଟ‌୍‍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଡାକ୍ତରୀ ପାଠ ପଢିବା ଲାଗି କୋରାପୁଟ ସହିଦ‌୍‍ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ନାମ ଲେଖାଇଛନ୍ତି। କିନ୍ତୁ ପାଠ ପଢିବା ଲାଗି ଆବଶ୍ୟକ ଅର୍ଥ ଯୋଗାଡ ଲାଗି ସେ ଗ୍ରାମର ଅନ୍ୟ ମହିଳାମାନଙ୍କ ସହ ମିଶି ବିଲରେ ଧାନ କାଟିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ବି କରୁଛନ୍ତି।

ସେ ଏମବିବିଏସ‌୍‍ ପ୍ରଥମ ବର୍ଷର ଛାତ୍ର। କେତେବେଳେ ସେ ଶ୍ରମିକ ସାଜି ବିଲରେ ଧାନ କାଟୁଛନ୍ତି ତ, ଆଉ କେତେବେଳେ ଘର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ପାଠପଢ଼ିବା ବେଳେ ପାଖରେ ବସିଛନ୍ତି ତାଙ୍କର ବୃଦ୍ଧ ମାଆ ଓ ବାପା। ପୁଅର ମୁଣ୍ଡକୁ ଆଉଁଷି ଦେଉଛନ୍ତି। ହେଲେ ପୁଅର ଭବିଷ୍ୟତ ନେଇ ଉଭୟ ବାପା ମାଆ ଚିନ୍ତାରେ ରହିଛନ୍ତି। କାହିଁକି ନା ସେମାନେ ଏବେ ବୟସର ଅପରାହ୍ନରେ ପହଞ୍ଚି ସାରିଲେନି। କାମଦାମ କରିବା ଲାଗି ଶରୀରରେ ତାଙ୍କ ଶରୀରରେ ଆଉ ଯୁ ନାହିଁ। ପୁଅ ପାଠ ପଢି କିଭଳି ନିଜ ଗୋଡ଼ରେ ଠିଆ ହେବ ସେନେଇ ଉଭୟ ଚିନ୍ତିତ।

ଇଫୁଙ୍କ ଘରେ ତାଙ୍କ ବାପା, ମା’ଙ୍କ ବ୍ୟତୀତ ବଡ ଭାଇ ଓ ଛୋଟ ଭଉଣୀ ମଧ୍ୟ ରୁହନ୍ତି। କେହି ମଧ୍ୟ ରୋଜଗାରିଆ ନୁହଁନ୍ତି। ଏଭଳି ପରିସ୍ଥିତିରେ ଇଫୁ ହାରି ଯାଇନାହାନ୍ତି। ଅହରହ ନିଜର ସଂଗ୍ରାମ ଜାରି ରଖିଛନ୍ତି। ବଡ କଷ୍ଟରେ ଟଙ୍କା ଯୋଗାଡ଼ କରି ମେଡିକାଲ କଲେଜରେ ଆଡମିସନ ଫି’ ଦେଇଛନ୍ତି। ହେଲେ ଆଗକୁ ପଢିବା ଲାଗି ତାଙ୍କ ପାଖରେ ପଇସା ନାହିଁ। ତେଣୁ ସେ ବି ଚିନ୍ତାରେ।

[caption id="attachment_787322" align="aligncenter" width="650"] ଘର ଆଗରେ ପରିବାର ସହ କାମ କରୁଥିବା ଡାକ୍ତରୀ ଛାତ୍ର ଇଫୁ।[/caption]

ଇଫୁ କହିଛନ୍ତି, ଯେନତେନ ଯୋଗାଡ଼ଯନ୍ତ୍ର କରି ମେଡିକାଲ କଲେଜରେ ପାଠପଢ଼ିବାକୁ ଆଡ୍‌ମିସନ କରି ଦେଇଛି। ହେଲେ ଆଗକୁ ୫ ବର୍ଷ ପାଠପଢ଼ିବାକୁ ପଡ଼ିବ। ଏଥିପାଇଁ ପ୍ରତିବର୍ଷ ରିଆଡମିସ ଫି’ ସାଙ୍ଗକୁ ହଷ୍ଟେଲ ଫି’, ମେସ୍ ଫି’, ଯାତାୟତ ଖର୍ଚ୍ଚ, ବହି ଓ ପାଠପଢ଼ା ଉପକରଣ କିଣିବା ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ନା ତାଙ୍କ ପାଖରେ ଏତେ ଟଙ୍କା ଅଛି, ନା ପରିବାର ପାଖରେ। ବାପା, ମା’ ବୃଦ୍ଧ। ସେମାନଙ୍କୁ ସହାୟତା ଆବଶ୍ୟକ। ତେଣୁ ଏଭଳି ପରିସ୍ଥିତିରେ ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା କଲେ ସେ ଡାକ୍ତରୀ ପଢ଼ି ଡାକ୍ତର ହୋଇପାରନ୍ତେ। ଏଥିସହ ସମସ୍ତ ଆଦିବାସୀ ଓ ଗରିବ ଲୋକଙ୍କ ସେବା କରିପାରିବାର ଲକ୍ଷ୍ୟ ସଫଳ କରିପାରନ୍ତେ।

ତାଙ୍କ ମା’ ଦେହୁରୀ ମଳିକ ଓ ବାପା ଟ୍ରେସକା ମଳିକ କହିଛନ୍ତି, ଅଭାବ ଅନାଟନ ଭିତରେ ପୁଅ କେବେ ବି ପାଠ ପଢାରେ ଅବହେଳା କରିନି। ଜଣେ ମେଧାବୀ ଛାତ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାଟ୍ରିକ ହେଉ ଅବା ଯୁକ୍ତ ଦୁଇ। ଉଭୟ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଷ ନିଟ‌୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ସମସ୍ତ ଅଞ୍ଚଳବାସୀଙ୍କ ଉଦାହରଣ ହୋଇ ଉଭା ହୋଇଛନ୍ତି। ତେବେ ଆଗକୁ କେମିତି ପାଠପଢ଼ି ନିଜ ଗୋଡ଼ରେ ଠିଆ ହେବ ବୁଦ୍ଧିବାଟ ଦେଖାଯାଉନି। ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ସହାଯ୍ୟ କଲେ ପୁଅ ପାଠପଢ଼ି ପାରନ୍ତା ଓ ଆଗକୁ ସମସ୍ତଙ୍କ ସେବା କରିପାରନ୍ତା।

Related story