ମାଲକାନଗିରି (ଜିତେନ୍ଦ୍ର ବେଉରା); ୩ ବର୍ଷ ପୂର୍ବେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଜାପାନିଜ ଏନ୍ସେଫାଲାଇଟିସ୍ ରୋଗରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଦୁଃଖ ମନରୁ ନ ଲିଭୁଣୁ ପୁଣି ଥରେ ଦେଖାଦେଲାଣି ଅଜଣା ରୋଗ ଆତଙ୍କ। ଏଥର ୧୫ ଦିନରେ ଆଖି ବୁଜିଲେଣି ୬ ଶିଶୁ। ଆହୁରି ୭ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ କାଲିମେଳା ବ୍ଲକ MV-୭୯ ତାମନପପାଲିରେ ପହଞ୍ଚିଛନ୍ତି ଡାକ୍ତରୀ ଦଳ। କୋରାପୁଟ୍ ମେଡିକାଲରୁ ଯାଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥମାନଙ୍କ ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ଗୁରୁତରମାନଙ୍କୁ ଏବେ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଡାକ୍ତରୀ ଦଳ ଗାଁରେ ୭ ଦିନ ରହି ଅସୁସ୍ଥମାନଙ୍କ ଚିକିତ୍ସା କରିବେ। ଡାକ୍ତଙ୍କ କହିବାନୁଯାୟୀ, ପାଗ ପରିବର୍ତ୍ତନ ହେତୁ ଶିଶୁଙ୍କୁ ଏପରି ଜ୍ୱର ହେଉଛି। ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ଆସିଲେ କାରଣ ଜଣାପଡ଼ିବ।
ସୂଚନାଯୋଗ୍ୟ ଯେ, ଗତ ୧୫ ଦିନ ଭିତରେ ୧ ବର୍ଷରୁ କମ୍ ବୟସର ଶିଶୁମାନେ ଜ୍ୱରରେ ଆକ୍ରାନ୍ତ ହେବା ସହ ସେମାନଙ୍କଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲା। ଶିଶୁଙ୍କୁ ଜ୍ୱର, କାଶ, ଥଣ୍ଡା ଏବଂ ବାରମ୍ବାର ବାନ୍ତି ହେଉଥିଲା । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ୭ ଜଣ ଆକ୍ରାନ୍ତ ହୋଇଛନ୍ତି।
ଏହି ଅଜଣା ରୋଗ ବ୍ୟାପିବା ହେତୁ ତାମନପାଲି ସମେତ ଆଖପାଖ ଗାଁରେ ମଧ୍ୟ ଭୟର ବାତାବରଣ ଖେଳି ଯାଇଛି।