ଖଟି ଖଟି ଟଙ୍କା ପାଇଁ ପାସବୁକ୍ ଚେକ୍ କରୁଛନ୍ତି , ହେଲେ ମିଳୁନି

ରାୟଗ଼ଡା/ସମ୍ବଲପୁର(ଓଡ଼ିଶା ରିପୋର୍ଟର) : ହାତରେ ଜବ୍‌କାର୍ଡ, ବ୍ୟାଙ୍କ ପାସବୁକ୍ । ମଜୁରୀ ଖଟି ଟଙ୍କା ଆସିବ ଆସିବ ବୋଲି ବର୍ଷେ ହେଲା ଚାହିଁ ବସିଛନ୍ତି। ପାସବୁକ୍ ଚେକ୍ କରୁଛନ୍ତି  । ହେଲେ ଟଙ୍କା  ମିଳିବାର ନାଁ ଗନ୍ଧ ନାହିଁ । ଗରିବ ଖଟିଖିଆଙ୍କ ପ୍ରାପ୍ୟକୁ ଚପେଇ ଯେମିତି ଭୂଆଁ ବୁଲେଇ ଚାଲିଛି ବ୍ୟବସ୍ଥା । ମନରେଗାରେ ମାଟି କାମ କରିଥିବା ସମ୍ବଲପୁର ମାନେଶ୍ୱର ବ୍ଲକ୍ ଖିଣ୍ଡା ଗାଁର ଏ ଶ୍ରମିକଙ୍କ କାହାଣୀ କିଛି ଏମିତି।  ୨୦୨୦ ମାର୍ଚ୍ଚରୁ […]

5gn

Tapas Behera
  • Published: Monday, 23 August 2021
  • , Updated: 23 August 2021, 07:53 PM IST

ରାୟଗ଼ଡା/ସମ୍ବଲପୁର(ଓଡ଼ିଶା ରିପୋର୍ଟର) : ହାତରେ ଜବ୍‌କାର୍ଡ, ବ୍ୟାଙ୍କ ପାସବୁକ୍ । ମଜୁରୀ ଖଟି ଟଙ୍କା ଆସିବ ଆସିବ ବୋଲି ବର୍ଷେ ହେଲା ଚାହିଁ ବସିଛନ୍ତି। ପାସବୁକ୍ ଚେକ୍ କରୁଛନ୍ତି  । ହେଲେ ଟଙ୍କା  ମିଳିବାର ନାଁ ଗନ୍ଧ ନାହିଁ । ଗରିବ ଖଟିଖିଆଙ୍କ ପ୍ରାପ୍ୟକୁ ଚପେଇ ଯେମିତି ଭୂଆଁ ବୁଲେଇ ଚାଲିଛି ବ୍ୟବସ୍ଥା । ମନରେଗାରେ ମାଟି କାମ କରିଥିବା ସମ୍ବଲପୁର ମାନେଶ୍ୱର ବ୍ଲକ୍ ଖିଣ୍ଡା ଗାଁର ଏ ଶ୍ରମିକଙ୍କ କାହାଣୀ କିଛି ଏମିତି।  ୨୦୨୦ ମାର୍ଚ୍ଚରୁ ଜୁନ୍ ୩ ମାସ କାଳ ଗାଁଠୁ ଦୂର  ଖେଳ ପଡ଼ିଆରେ ମାଟି କାମ କରିଥିଲେ ଏମାନେ। ସୂଚନାଫଳକ କହୁଛି ୫ ଲକ୍ଷ ଟଙ୍କାରେ ବିକଶିତ ହୋଇଛି ଖେଳ ପଡ଼ିଆ ।  ଶ୍ରମିକଙ୍କ ଅଭିଯୋଗ କାମ ଚାଲିଥିଲା ବେଳେ ଅଳ୍ପ କିଛି ଟଙ୍କା ମିଳିଥିଲା । ହେଲେ ସରିଗଲା ପରେ କାମ କରାଇଥିବା ଗ୍ରାମ ସାଥୀଠୁ ଆରମ୍ଭ କରି  ଜିଆରଏସ୍, ଜେଇ କେହି ବି ଧରା ଛୁଆଁ ଦେଉ ନାହାନ୍ତି  । ଶ୍ରମିକଙ୍କ ଜବ୍‌କାର୍ଡକୁ ବି ଠିକାଦାର ନେଇଯାଇଥିବାର ଅଭିଯୋଗ ବି ହୋଇଛି । ହେଲେ ଏନେଇ କେହି ବି ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ସମ୍ବଲପୁର ଏମ୍ଏନ୍ଆର୍ଜିଏସ୍ ଲୋକପାଳ କହିଛନ୍ତି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନର ସୁପାରିଶ ହେବ।

ରାୟଗ଼ଡା ଜିଲ୍ଲା ସଦର ବ୍ଲକ୍ ଲେଲିବାଡ଼ି ଗାଁର ଶ୍ରମିକଙ୍କ ଅବସ୍ଥା ଓ ଅଭିଯୋଗ ତ ଆହୁରି ସାଂଘାତିକ । ମନରେଗାରେ ରାସ୍ତା କାମ କରିବାର ୫ ବର୍ଷ ପରେ ବି ଏମାନଙ୍କୁ କୁଆଡ଼େ କାଣୀ କଉଡ଼ିଟିଏ ମିଳିନି। ଅଭିଯୋଗ ଅନୁଯାୟୀ, ୨୦୧୫-୧୬ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗାଁରେ ୯ ଶହ ମିଟରର ରାସ୍ତା କାମ ପାଇଁ ୫ ଜଣଙ୍କୁ ଶ୍ରମିକ ନେତା ଭାବେ ଚୟନ କରାଯାଇଥିଲା । ସେମାନେ ୬୦ରୁ ଅଧିକ ଶ୍ରମିକଙ୍କୁ ଲଗାଇ ରାସ୍ତା ତିଆରି କରାଇଥିଲେ । ହେଲେ କାମ ସରିବାର ୫ ବର୍ଷ ପରେ  ନା ମଜୁରୀ ଓ ସାମଗ୍ରୀ ବାବଦ ବିଲ୍ ମଂଜୁର ହେଉଛି, ନା ଶ୍ରମିକଙ୍କୁ ଟଙ୍କା ମିଳୁଛି । ଏପରିକି ବିଲ୍ ପାସ୍ ପାଇଁ ଲାଞ୍ଚ ଦିଆଯିବାର ଅଭିଯୋଗ ବି କରିଛନ୍ତି ଶ୍ରମିକ ନେତା । ସେପଟେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କହିବା କଥା ବିଡିଓଙ୍କୁ ଏନେଇ ତଦନ୍ତ ପାଇଁ କୁହାଯାଇଛି, ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ।

ସମସ୍ୟା ଯେଉଁଠି ଥାଉ ନା କାହିଁକି, ରକ୍ତ-ଝାଳ ବୁହାଇ କାମ କରିଥିବା ମେହନତୀ ମଣିଷଟି ତାର ପ୍ରାପ୍ୟ ପାଇଁ ବର୍ଷେ, ୫ ବର୍ଷ ଅପେକ୍ଷା କରିବ କାହିଁକି? କୋଭିଡ୍ କଷଣ ବେଳେ ସେମାନଙ୍କ ପିଲାଛୁଆ ଚଳୁଥିବେ କେମିତି? କିଏ ଏଥିପାଇଁ ଉତ୍ତରଦାୟୀ?

Related story