କରୋନା କଟକଣା ମାନିଲେନି ଆଇନ ମନ୍ତ୍ରୀ ଓ ସୂଚନା ମନ୍ତ୍ରୀ, ଦଣ୍ଡ ଦେବ କିଏ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ସର୍ବାଧିକ ୧୦ଟି କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ସାମିଲ ହେବାପରେ ବି ରାଜ୍ୟ ସରକାରଙ୍କ ଚେତା ପଶୁନି। ରାଜ୍ୟର ଆଇନ ମନ୍ତ୍ରୀ ଓ ସୂଚନା ମନ୍ତ୍ରୀଙ୍କଠୁ ଆରମ୍ଭ କରି ଶାସକ ଦଳର ବରିଷ୍ଠ ନେତାମାନେ କରୋନା ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିବାରେ ଲାଗିଛନ୍ତି। ରାଜ୍ୟ ସରକାର ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ବିଜେଡି ମନ୍ତ୍ରୀ ଓ ନେତାମାନେ ଏବେ ନିଜର ରାଜନୀତିକ […]

bjd1

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 09:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ସର୍ବାଧିକ ୧୦ଟି କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶା ସାମିଲ ହେବାପରେ ବି ରାଜ୍ୟ ସରକାରଙ୍କ ଚେତା ପଶୁନି। ରାଜ୍ୟର ଆଇନ ମନ୍ତ୍ରୀ ଓ ସୂଚନା ମନ୍ତ୍ରୀଙ୍କଠୁ ଆରମ୍ଭ କରି ଶାସକ ଦଳର ବରିଷ୍ଠ ନେତାମାନେ କରୋନା ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିବାରେ ଲାଗିଛନ୍ତି। ରାଜ୍ୟ ସରକାର ଲୋକଙ୍କ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ବିଜେଡି ମନ୍ତ୍ରୀ ଓ ନେତାମାନେ ଏବେ ନିଜର ରାଜନୀତିକ ମହତ୍ୱାକାଂକ୍ଷା ଓ କ୍ଷମତା ରାଜନୀତି ପାଇଁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନଥିବା ଜଣାପଡ଼ିଛି। ଯାହାର ପ୍ରମାଣ ଆଜି ଜଗତସିଂହପୁର ଜିଲ୍ଲାର ୩ଟି ବ୍ଲକରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ରାଜ୍ୟ ସରକାର ଅଗଷ୍ଟ ୩୧ତାରିଖରେ କୋଭିଡ୍ ଗାଇଡଲାଇନ୍ ଜାରି କରି ଚଳିତମାସ ୩୦ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ବିବାହ ସମାରୋହ ଓ ଅନ୍ତେଷ୍ଟିକୁ ଛାଡ଼ିଲେ ଅନ୍ୟ କୌଣସି ପରିସ୍ଥିତିରେ ୧୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ସଂକ୍ରମଣ ରୋକିବା ପାଇଁ କଠୋର ଆଭିମୁଖ୍ୟ ଦେଖାଇ ରାଜ୍ୟ ସରକାର ୧୦୦ଜଣଙ୍କୁ ନେଇ ସମାବେଶ କରିବା ପାଇଁ କେନ୍ଦ୍ରର ଗାଇଡଲାଇନକୁ ବି ଗ୍ରହଣ କରିନାହାନ୍ତି। ମାତ୍ର କରୋନାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ପ୍ରଶାସନ ଦିନରାତି ପରିଶ୍ରମ କରୁଥିବାବେଳେ ରାଜ୍ୟର ଖୋଦ୍ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବରିଷ୍ଠ ବିଜେଡି ନେତା ଦେବାଶୀଷ ସାମନ୍ତରାୟ ଓ ସାଂସଦ ରାଜଶ୍ରୀ ମଲ୍ଲିକ ସରକାରୀ ଗାଇଡଲାଇନକୁ ଖୋଲା ଉଲ୍ଲଘଂନ କରି ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକରେ ଉପନିର୍ବାଚନ ପ୍ରସ୍ତୁତି ନିମନ୍ତେ ବିଜେଡିର କର୍ମୀ ସମ୍ମିଳନୀ ଆୟୋଜନ କରି ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଇ ନାହାନ୍ତି। ବିରିଡିର ଧ୍ୟାନକୁଦ ପୀଠ ଓ ତିର୍ତ୍ତୋଲର ଆନନ୍ଦଭବନରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ୧୫୦ରୁ ୨୫୦ଲୋକ ଏକଜୁଟ ହୋଇଥିବାବେଳେ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରାଯାଇଥିବା ଜଣାପଡ଼ିଛି। କରୋନାର ଭୟାବହତାକୁ ନେଇ ଖୋଦ୍ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ସହ ସାମାଜିକ ଦୂରତ୍ୱ ପାଳନ ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ତାଙ୍କର ମନ୍ତ୍ରୀ ଓ ନେତାମାନଙ୍କ ଆଚରଣକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ବିଜେଡି ନେତାମାନଙ୍କର ଏଭଳି ଆଚରଣ ଓ କାର୍ଯ୍ୟକ୍ରମକୁ କଡ଼ାଭାଷାରେ ନିନ୍ଦା କରି ବାଲିକୁଦାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଡାକ୍ତର ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ, କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। ରାଜନୀତିକ କାର୍ଯ୍ୟକ୍ରମ ଉପରେ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ କଟକଣା ବି ଲଗାଇଛନ୍ତି । ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଆଦି ପାଇଁ ମୁଖ୍ୟମନ୍ତ୍ରୀ ଓ କରୋନା ଦାୟିତ୍ୱରେ ଥିବା ଅଧିକାରୀମାନେ ବାରମ୍ବାର ନିବେଦନ କରୁଛନ୍ତି । କିନ୍ତୁ ଏହାସତ୍ତ୍ୱେ ବିଜେଡି ଦଳ ପକ୍ଷରୁ ଯେପରି ଖୋଲାଖୋଲି ଏହାକୁ ଉଲ୍ଲଘଂନ କରାଯାଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ସରକାରଙ୍କ ନିୟମ ପାଳନ କରି କରୋନା ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ୁଥିବାବେଳେ ତାଙ୍କ ଦଳର ମନ୍ତ୍ରୀ ଓ ନେତାମାନେ ପ୍ରଥମେ ଏଥିରେ ଅସହଯୋଗ କରୁଛନ୍ତି, ଆଉ ସୁପର ସ୍ପ୍ରେଡର ହୋଇ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି। ଦୁଇଜଣ ମନ୍ତ୍ରୀ ସେହି କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ପର୍କରେ ନିଶ୍ଚିତ ଭାବେ ସ୍ଥାନୀୟ ପ୍ରଶାସନ ପାଖରେ ଖବର ରହିଥିବ, ତା’ହେଲେ ପ୍ରଶାସନ କିଭଳି ୨୦୦ରୁ ୨୫୦ଲୋକଙ୍କୁ ଗୋଟିଏ ଘରେ ବସିବାକୁ ନେଇ ଆଖିବୁଜି ଦେଲା। ସରକାରଙ୍କ ଆଇନ ଯାହା ରହିଛି ତୁରନ୍ତ ଏହି ଖିଲାପୀ ମନ୍ତ୍ରୀ,ନେତା ଓ ସ୍ଥାନୀୟ ତହସିଲଦାର,ବିଡିଓ ଓ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍। ଆଉ କୋଭିଡ୍ ନିୟମକୁ ଖୋଲା ଉଲ୍ଲଘଂନ କରିଥିବା ପାଇଁ ଯଦି ସେମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ନହୁଏ ତା’ହେଲେ ରାଜ୍ୟ ସରକାରଙ୍କ ନିୟମ କେବଳ ଏକ ବାହାସ୍ଫୋଟ ଓ ମିଛିମିଛିକା ନିୟମ ବୋଲି ପ୍ରମାଣିତ ହେବ। ଆଉ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ବି ସାଧାରଣ ଲୋକଙ୍କ ନିମନ୍ତେ ପ୍ରବଂଚନାଠୁ କମ୍ ନୁହେଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

Related story