ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟେଟ ଆଥଲେଟିକ୍ ମିଟ୍ରେ ଯୌନ ନିର୍ଯାତନାର ଶିକାର ହୋଇଥିବା ପରି ସାଂଘାତିକ ଅଭିଯୋଗ ଆଣିଲେ ଜଣେ ନାବାଳକ ଖେଳାଳି। ଲଙ୍ଗ୍ ଜମ୍ପ ଇଭେଣ୍ଟରେ ଅସଫଳ ହେବାରୁ ୪ ସିନିୟର ଖେଳାଳି ଯୌନ ନିର୍ଯାତନା ଦେଲେ। ଏପରିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଥିବା କହିଛନ୍ତି ନାବାଳକଜଣକ । ଏନେଇ ଅଭିଯୋଗ କରିବା ସତ୍ତ୍ୱେ ଇନଫୋସିଟି ଥାନା ପୁଲିସ୍ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ନାବାଳକ ଖେଳାଳି ଓ ତାଙ୍କ ମା’ । ଏପରିକି ପୁଲିସ୍ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଛାଡ଼ି ଦେଇଛି। ଥାନାରୁ ନ୍ୟାୟ ନ ପାଇ ସମ୍ପୃକ୍ତ ପୀଡ଼ିତ ଓ ତାଙ୍କ ପରିବାର ଲୋକ ଆଜି ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପୀଡ଼ିତ ଆଥଲେଟଙ୍କ ଘର ରାଉରକେଲା ଅଞ୍ଚଳରେ ହୋଇଥିବା ବେଳେ ସେ ଦଶମ ଶ୍ରେଣୀର ଛାତ୍ର । ତାଙ୍କ ବାପା ରାଉରକେଲାରେ ଟ୍ରାଫିକ ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି। ଗତ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଷ୍ଟେଟ ଆଥଲେଟିକ୍ ମିଟ୍ ହୋଇଥିଲା । ୯ ତାରିଖରେ ଲଙ୍ଗ ଜମ୍ପ ପାଇଁ ଇଭେଣ୍ଟ ପରେ ଏହି ଘଟଣା ଘଟିଥିବା ଜଣାଯାଇଛି।
ଏନେଇ ପୀଡ଼ିତ ନାବାଳକ କହିଛନ୍ତି, ଲଙ୍ଗ ଜମ୍ପ ଇଭେଣ୍ଟରେ ମୁଁ ଭଲ ପ୍ରଦର୍ଶନ କରି ପାରି ନ ଥିଲି। ସିନିୟରମାନେ ଡାକି ମୋତେ ଖରାପ ଭାଷାରେ ଗାଳି କରିଥିଲେ। ଗତକାଲି ସାଢେ ୮ଟାରୁ ସାଢେ ୯ଟା ମଧ୍ୟରେ ରୁମ୍କୁ ଡାକି ମୋତେ ଜୋରଜବରଦସ୍ତି ନିବସ୍ତ୍ର କରିଥିଲେ। ଏହାପରେ ତାଙ୍କ ୨ ସାଙ୍ଗଙ୍କୁ ଭିଡିଓ କଲ କରିବା ସହ ମୋର ୨ ରୁମ୍ମେଟଙ୍କୁ ଡାକିଥିଲେ ବୋଲି କହିଛନ୍ତି ପୀଡ଼ିତଜଣକ ।
ଏନେଇ ପୀଡ଼ିତଙ୍କ ମା’ ଅଭିଯୋଗ କରିଛନ୍ତି, ନିବସ୍ତ୍ର କରି ୪ ସିନିୟର ଏକ ରୁମ୍ରେ ମୋ ପୁଅକୁ ଯୌନ ନିର୍ଯାତନା ଦେଇଥିଲେ। ଏମିତିକି ନିର୍ଯାତନା ବେଳର ଦୃଶ୍ୟ ଭିଡିଓ କଲିଂ କରି ନିଜ ସାଥି ଖେଳାଳିଙ୍କୁ ଦେଖାଇଛନ୍ତି। ପୁଅକୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ଇନଫୋସିଟି ଥାନାରେ ଆମେ ଗତକାଲି ଅଭିଯୋଗ କରିଥିଲୁ। ପୁଲିସ୍ ୪ ଜଣଙ୍କୁ ଅଟକ ରଖିଥିଲା। ତେବେ ଆମେ ମେଡିକାଲ ଟେଷ୍ଟ ରିପୋର୍ଟ ଆଣିବା ବେଳକୁ ପୁଲିସ୍ ସେମାନଙ୍କୁ ଛାଡ଼ି ଦେଇଛି। ଆମେ କେସ୍ କରିବା ପରେ ବି ଆମକୁ ଏଫଆଇଆର କପି ଦେଉନାହାନ୍ତି।