ସମ୍ବଲପୁର(ସଞ୍ଜୟ ଜେନା):ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ ଆସିଛି। ସାଇବର କ୍ରାଇମ୍ ମାମଲାରେ ସମ୍ପୃକ୍ତ ନାବାଳକଙ୍କୁ ପୁଲିସ ଗିରଫ କରିଛି।
ନାବାଳକର କାରନାମା ବିଷୟରେ ଜାଣିଲେ , ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯିବ। ଜିଲ୍ଲାପାଳ,ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ଅନ୍ୟ ମାନଙ୍କ ସହ ଚାଟିଂ କରୁଥିଲା ଓ ସନ୍ଦେହ ନ ହେଲା ଭଳି ଅନେକ କିଛି ଲେଖୁଥିଲା। ମନ୍ତ୍ରୀ ନବ କିଶୋର ଦାଶ , ବିଧାୟକ ଜୟ ନାରାୟଣ ମିଶ୍ର ,ନରସିଂହ ମିଶ୍ର ଓ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକସେନାଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲି ସେଥିରେ ଲୋକମାନଙ୍କ ସହ ଚାଟିଂ କରୁଥିଲା।
ଏ ବିଷୟ ରେ ଜାଣିବା ପରେ ,ଜିଲ୍ଲାପାଳ ନିଜେ ଫେସବୁକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଓ ପୁଲିସକୁ ଜଣାଇଥିଲେ । ତେବେ ସମ୍ବଲପୁର ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ସିଦ୍ଧାର୍ଥ ସାହାଙ୍କର ନାଁ ରେ ମେିତି ନକଲି ଆକାଉଣ୍ଟ ଖୋଲି କେହି ଜଣେ ଟଙ୍କା ମାଗୁଥିବା ଜାଣିବା ପରେ ସେ ଗତ ୧୧ ତାରିଖ ଦିନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ତଦନ୍ତ ସମୟରେ ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ନାବାଳକର ଲମ୍ବା ଅପରାଧ ତାଲିକା ବିଷୟ ରେ ଜାଣିବାକୁ ପାଇଥିଲା ପୁଲିସ। ଗତ ଏପ୍ରିଲ ମାସ ୪ ତାରିଖ ରେ ସେ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କର ନାଁ ରେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲି ଅନେକ ଲୋକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲା ।
କେବଳ ସେତିକି ନୁହେଁ , ଗତ ଜାନୁୟାରୀ ମାସ ୧୧ ତାରିଖ ଦିନ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପ କରାଇଦେବା ନାଁରେ ୨ ଲକ୍ଷ ୯୭ ହଜାର ୫୦୦ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉଭୟ ନାବାଳକ ଓ ତା’ର ବାପାକୁ ପୁଲିସ ଗିରଫ କରିଥିଲା । ବାଳ ଅପରାଧି ପାଇଁ ଆଇନରେ ଥିବା ସୁବିଧାର ଫାଇଦା ନେଇ ବାରମ୍ବାର ଜେଲରୁ ବାହାରିବା ପରେ ପୁଣି ଅଭ୍ୟାସଗତ ଭାବେ ଏମିତି ଲୋକଙ୍କୁ ଲୁଟି ଚାଲିଥିଲା ନାବାଳକ। ତେବେ ଶେଷରେ ନାବାଳକ ଜଣଙ୍କୁ ପୁଲିସ ଗିରଫ କରିଛି।