ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଦ୍ୱିପ୍ରହରରେ ରାଜଧାନୀ ରାଜରାସ୍ତାରେ ଜଣେ ଯୁବକଙ୍କୁ ହାଣିଦେଲେ ଦୁର୍ବୃତ୍ତ। ନୟାପଲ୍ଲୀ ଭିଆଇପି ଏରିଆରେ ଦିନ ଦ୍ୱିପ୍ରହରରେ ଜଣେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଗାଡ଼ି ଭିତରେ ହାଣିଲେ ଦୁର୍ବୃତ୍ତ। ଫଳରେ ଆକ୍ରମଣରେ ଜଟିଆ ଦାସ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ପୁଲିସ୍ ସାଗର ଓ ସୁଧୀର ନାମକ ୨ ଭାଇଙ୍କୁ ଗିରଫ କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାରୀ ୨ ଜଣ ସାଗର, ସୁଧୀର ଓ ମୃତ ପିକ୍ଅପ୍ ଭ୍ୟାନ ଡ୍ରାଇଭର ଜଟିଆ ଗୋଟିଏ ଗାଡ଼ିରେ ଥିଲେ । କୌଣସି କଥାକୁ ନେଇ ଯୁକ୍ତିତର୍କ ହେବାରୁ ଅଭିଯୁକ୍ତମାନେ ଛକ ପାଖରେ ଜଟିଆଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ପକାଇଲେ । ଜଟିଆଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହ ୨ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ପୁଲିସ୍କୁ ହସ୍ତାନ୍ତର କରିଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ଗୁରୁତର ଜଟିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଡିସିପିଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସାଗର ଓ ସୁଧୀରଙ୍କୁ ଉତ୍ତ୍ୟକ୍ତ ଲୋକେ ଘଟଣାସ୍ଥଳରେ କାବୁ କରି ନିର୍ଧୂମ ଛେଚିଥିଲେ। ଫଳରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଆଡିସନାଲ ଡିସିପି ପହଞ୍ଚି ଉଭୟଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଜଟିଆ, ସାଗର, ସୁଧୀର ଭଡ଼ା ଗାଡ଼ି ବ୍ୟବସାୟ କରୁଥିବା ବେଳେ ଗାଡ଼ି କାରବାର ବା କିଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।
ମୃତ ଜଟିଆଙ୍କ ମା’ ଝୁନି ଦାସ କହିଛନ୍ତି, ୧୫ ଦିନ ତଳେ ଝଗଡ଼ା ହୋଇଥିଲା। ସେହି ରାଗ ରଖି ମୋ ପୁଅକୁ ଟେକି ନେଇ ମାରିଦେଇଛନ୍ତି। ମୋ ପୁଅ ଫର୍ନିଚର କାମ କରେ। ମୋ ପୁଅକୁ ଯେଉଁମାନେ ମାରିଛନ୍ତି, ତାଙ୍କୁ ଦଣ୍ଡ ମିଳିବା ଦରକାର।
ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ପୁଲିସ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପୁଲିସ୍ ତଦନ୍ତ କରୁଛି।
ସୂଚନାଯୋଗ୍ୟ, କିଛି ମାସ ପୂର୍ବେ ସାମନ୍ତରାପୁରରେ ଏପରି ସମାନ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତିଙ୍କୁ କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଏବେ ପୁଣି ଥରେ ଏପରି ଘଟଣା ଘଟିବାରୁ ରାଜଧାନୀରେ ସ୍ଥାନୀୟ ଲୋକ କେତେ ସୁରକ୍ଷିତ ତାହା ପ୍ରଶ୍ଚବାଚୀ ସୃଷ୍ଟି କରିଛି।