ବିଧାନସଭାରେ ତାରାଙ୍କ ବ୍ରାହ୍ମଣ ବେଶ, ଛିଞ୍ଚିଲେ ଗଙ୍ଗାଜଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି  ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରା‍କ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭା କୁଆଡେ ଅପବିତ୍ର  ହୋଇଯାଇଛି । ସେଥିପାଇଁ ଗଙ୍ଗାଜଳ, ତୁଳସୀ ପତ୍ର ଓ ଗୋମୁତ୍ର ପକାଇ ବିଧାନସଭାକୁ ପବିତ୍ର କରିଛନ୍ତି ତାରା। ବହୁ ଚର୍ଚ୍ଚିତ ସନସାଇନ୍ ସ୍କୁଲ […]

tara bahinipati

Ordigital Desk
  • Published: Saturday, 04 December 2021
  • , Updated: 04 December 2021, 01:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି  ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରା‍କ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭା କୁଆଡେ ଅପବିତ୍ର  ହୋଇଯାଇଛି । ସେଥିପାଇଁ ଗଙ୍ଗାଜଳ, ତୁଳସୀ ପତ୍ର ଓ ଗୋମୁତ୍ର ପକାଇ ବିଧାନସଭାକୁ ପବିତ୍ର କରିଛନ୍ତି ତାରା।

ବହୁ ଚର୍ଚ୍ଚିତ ସନସାଇନ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ୪ର୍ଥ ଦିନରେ ବି ବିଧାନସଭା ଚାଲି ପାରିଲା ନାହିଁ ।  ମୁଖ୍ୟମନ୍ତ୍ରୀଙ୍କ  ପରାମର୍ଶ ଓ ଆଶ୍ୱାସନା ପରେ ମଧ୍ୟ ବିରୋଧୀ ନ ଛୋଡ଼ବନ୍ଧା । ମମିତା ହତ୍ୟା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ପାଇଁ ଅଡି ବସିଛନ୍ତି  ବିରୋଧୀ ବିଜେପି ଓ କଂଗ୍ରେସ ।

ଆଜି ଗୃହ ଆରମ୍ଭରୁ ହିଁ ହାତରେ ,”ଗୋ ବ୍ୟାକ ମିନିଷ୍ଟର”ର ପ୍ଲାକାର୍ଡ ଧରି ପୋଡ଼ିୟମ ପାଖରେ ହୋ ହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କଠାରୁ ନେଇ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ଉପରକୁ ତାରା ବାହିନୀପତି ସିଞ୍ଚନ କରିଥିଲେ ଗଙ୍ଗାଜଳ । ଏପରିକି ଓଁ ଶାନ୍ତି , ଓଁ ଶାନ୍ତି ମନ୍ତ୍ର ପାଠ ମଧ୍ୟ କରିଥିଲେ । ଦଳରେ ସବୁ ଧର୍ମର ବିଧାୟକ ଥିବାରୁ ସର୍ବଧର୍ମ ପୂଜାପାଠ ହୋଇଥିଲା ବିଧାନସଭା ଗୃହରେ । କଥା ଏତିକିରେ ସରିନଥିଲା । ସରକାରଙ୍କ ଚୈତନ୍ୟକୁ ଉଦୟ କରିବା ପାଇଁ ବିଧାନସଭା ଭିତରେ ଘଣ୍ଟ ବାଡେଇ ବାଡେଇ ହଟଗୋଳ କରିଥିଲେ କଂଗ୍ରେସର  ନବରତ୍ନ ବିଧାୟକ । ଯାହାକୁ ଦେଖି ବାଧ୍ୟ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଏପରି ଅଭିନବ ପ୍ରତିବାଦ ଓ  ବ୍ରାହ୍ମଣ ବେଶକୁ ନେଇ ତାରା କହିଛନ୍ତି ,“ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀ  ଦିବ୍ୟଶଙ୍କର ସଂପୂର୍ଣ୍ଣ ଓତପ୍ରେତ ଭାବେ ଜଡିତ ଅଛନ୍ତି । ସେ ଗୃହ ବିଭାଗ ମନ୍ତ୍ରୀ ମଧ୍ୟ ଅଛନ୍ତି । ତାଙ୍କୁ ଗିରଫ କରାନଯାଇ,ତାଙ୍କୁ ବହିଷ୍କାର କରାନଯାଇ, ସେ ଗୃହରେ ଉପସ୍ଥିତ ଅଛନ୍ତି । ସେଥିପାଇଁ ଏହି ଅଭିନବ ରୂପ । ଏହା ସାଢେ ୪ କୋଟି ଲୋକଙ୍କ ବିଧାନସଭା ମନ୍ଦିର । ସେ ମନ୍ଦିର ଅପବିତ୍ର ହୋଇଯାଇଛି । ତାକୁ ପବିତ୍ର କରିବା ପାଇଁ, ସେଇଠି ତୁଳସୀ, ଗଙ୍ଗା ଜଳ ଓ ଗୋମୁତ୍ର ମିଶାଇ ପାଣି ସିଂଚନ କଲୁ । ସେଠାରେ ଓଁ ଶାନ୍ତି , ଓଁ ଶାନ୍ତି ସ୍ଲୋଗାନ ଦେଲୁ । ଆମେ ମୁଖ୍ୟମନ୍ତ୍ରୀଙ୍କୁ ବିନୀତ ଅନୁରୋଧ କରୁଛୁ , ତାଙ୍କର ଯଦି ସଦବୁଦ୍ଧି ଅଛି, ସେ ତୁରନ୍ତ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ।”

ସବୁବେଳେ ବିଧାନସଭାରେ ନିଜ କୌତୁହଳପୂର୍ଣ୍ଣ କାର୍ଯ୍ୟ ପାଇଁ ବେଶ ପପୁଲାର ତାରା ବାହାନୀପତି । ଏମିତି ଏକ ବ୍ରାହ୍ମଣ ବେଶକୁ  ନେଇ ତାରା ଡ୍ରାମା କରୁଥିବା ଶାସକ ଦଳ ଅଭିଯୋଗ କରୁଛି କି ବୋଲି ତାରାଙ୍କୁ ପ୍ରଶ୍ନ କରିଥିଲେ ସମ୍ବାଦିକ ।  ଉତ୍ତରରେ ତାରା କହିଛନ୍ତି , ମୁଁ ଜଣେ ବ୍ରାହ୍ମଣ, ତେଣୁ ବ୍ରାହ୍ମଣ ବେଶରେ ଆସିଲି । ଆମ ଦଳରେ ଜଣେ ମୁସଲିମ ବିଧାୟକ ଅଛନ୍ତି ,ସେ ମଧ୍ୟ ପ୍ରାର୍ଥନା କଲେ, ଜଣେ  ଖ୍ରୀଷ୍ଟିୟାନ  ଅଛନ୍ତି , ସେ ଧୂପ ଲଗାଇଲେ । ସବୁ ଧର୍ମର ବିଧାୟକ ନିଜ ନିଜ ଶୈଳୀରେ ପୂଜା କଲେ । ଡ୍ରାମା ମୁଁ ପିଲା ଦିନେ କରୁଥିଲି। ଏବେ ଛାଡି  ଦେଇଛି, ପିଲା ବେଳେ ରୋଲ୍‌ କରୁଥିଲି । ”

ଗତକାଲି ମଧ୍ୟ ବିଧାସଭା ପରିସରକୁ ଗଙ୍ଗା ଜଳ ଓ ଗୋବର ପାଣିରେ ଶୁଦ୍ଧ କରିଥିଲେ ବିଜେପି ବିଧାୟକ । ଏପରିକି ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ଘଣ୍ଟ ବାଡେଇ ପ୍ରତିବାଦ କରିଥିଲେ ବିଜେପି କର୍ମୀ । ଘଟଣାକୁ ନେଇ ବିଧାନସଭା  ସ୍ୱାଭାବିକ୍ ହୋଇ ପାରୁନଥିବା ବେଳେ ଶେଷରେ ଗତକାଲି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସରକାର ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଅଙ୍ଗିକାରବଦ୍ଧ ବୋଲି ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ଲୋକତନ୍ତ୍ରରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ଜଣେ ବିଧାୟକଙ୍କୁ ବିରୋଧ ନ କରି ଗୃହକୁ ସୁରୁଖୁରୁରେ ଚଳାଇବା ନେଇ ବିରୋଧୀ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ ନବୀନ । ଏହା ପରେ ମଧ୍ୟ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱାସକୁ ନେଲେ ନାହିଁ କି , ପରାମର୍ଶକୁ ଗ୍ରହଣ କଲେ ନାହିଁ । ଯେଉଁଥି ପାଇଁ ୪ ଦିନ ହେଲା ସ୍ୱାଭାବିକ୍ ହୋଇ ପାରୁନାହିଁ ବିଧାନସଭା ।

ଏପଟେ ଗୃହ ବାହାରେ ମଧ୍ୟ ପ୍ରତିବାଦକୁ ଆହୁରି  ଜୋରଦାର କରିବା ପାଇଁ ଅଣ୍ଟା ଭିଡିବାରେ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । କାରଣ ଆସନ୍ତା ୯ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଧାନସଭା ଘେରିବାକୁ ଘୋଷଣା କରିଛି । ସେପଟେ କଂଗ୍ରେସ  ମଧ୍ୟ  ନୂଆ ରଣନୀତି ପାଇଁ ତୟାର ହେଉଛି ।

Related story