ବିଧାୟକମାନଙ୍କ ପାଇଁ ଅତ୍ୟାଧୁନିକ ଆପାର୍ଟମେଣ୍ଟ, ୨୭୫କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟର ବିଧାୟକମାନଙ୍କ ପାଇଁ ଅତ୍ୟାଧୁନିକ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିପାଇଁ ୨୭୫କୋଟି ଟଙ୍କା ବ୍ୟୟବରାଦ କରାଯିବ । ଏହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ଚଳିତମାସ ୩୦ତାରିଖ ସୁଦ୍ଧା ଶେଷ କରାଯାଇ ୧୦ରୁ ୧୫ଦିନ ମଧ୍ୟରେ ୱାର୍କ ଅର୍ଡର ପ୍ରଦାନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତି ଶ୍ରୀ ପାତ୍ର ଆଜି ବିଧାୟକମାନଙ୍କ ଏହି ବାସଭବନ ନିର୍ମାଣ କାର୍ଯ୍ୟର […]

Surya Narayan Patra

Ordigital Desk
  • Published: Monday, 14 March 2022
  • , Updated: 14 March 2022, 10:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟର ବିଧାୟକମାନଙ୍କ ପାଇଁ ଅତ୍ୟାଧୁନିକ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିପାଇଁ ୨୭୫କୋଟି ଟଙ୍କା ବ୍ୟୟବରାଦ କରାଯିବ । ଏହି ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ଚଳିତମାସ ୩୦ତାରିଖ ସୁଦ୍ଧା ଶେଷ କରାଯାଇ ୧୦ରୁ ୧୫ଦିନ ମଧ୍ୟରେ ୱାର୍କ ଅର୍ଡର ପ୍ରଦାନ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତି ଶ୍ରୀ ପାତ୍ର ଆଜି ବିଧାୟକମାନଙ୍କ ଏହି ବାସଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଶ୍ରୀ ପାତ୍ର କହିଥିଲେ ଯେ, ନିର୍ମାଣ ହେବାକୁ ଥିବା ବହୁତଳ ବିଶିଷ୍ଟ ବାସଭବନ ନିର୍ମାଣ ପାଇଁ ୨୭୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସିସିକୁ ୫୦କୋଟି ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ବାକି ୨୨୫କୋଟି ଟଙ୍କା ଆଗାମୀ ୨ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭାଗକୁ ପ୍ରଦାନ କରାଯିବ । ଆଜି ସୁଦ୍ଧା ବିଧାୟକ କଲୋନୀରୁ ୮ଜଣ ବିଧାୟକ ସେମାନଙ୍କ କ୍ୱାର୍ଟର୍ସ ଖାଲି କରିନାହାନ୍ତି । ସେମାନେ ଚଳିତମାସ ୨୫ତାରିଖ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକମାନେ ଗୃହ ଛାଡ଼ିବା ପରେ ସେହି ପୁରୁଣା ଗୃହକୁ ତୁରନ୍ତ ଭଙ୍ଗାଯିବ ।

ସର୍ବଭାରତୀୟସ୍ତରରେ ପ୍ରତିଷ୍ଠିତ ରିଏଲ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ଏହି ପ୍ରକଳ୍ପର ଠିକା ନେବାକୁ ଆବେଦନ କରିଛନ୍ତି । ଏହି ନୂଆ ବିଧାୟକ କଲୋନୀରେ ପ୍ରାୟ ୩୦୦କ୍ୱାର୍ଟର୍ସ ରହିବ । କିଛି କ୍ୱାର୍ଟର୍ସ ମଧ୍ୟ ଆଇଏଏସ୍ ଅଫିସରମାନଙ୍କ ପାଇଁ ରହିବ । ଏହି ନୂଆ କଲୋନୀରେ ମାର୍କେଟ କମ୍ପ୍ଲେକ୍ସ, ଜିମ୍ , ୨ରୁ ୩ହଜାର ଲୋକଙ୍କ ଭୋଜି ପାଇଁ କଲ୍ୟାଣମଣ୍ଡପ, ଟ୍ରେନ ଓ ବିମାନ ଟିକେଟ୍ ବୁକିଂ କାଉଣ୍ଟର, ମେଡିକାଲ ସୁବିଧା, ପୁଲିସ ଷ୍ଟେସନ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଓବିସିସି ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story