ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ପଞ୍ଚମ ଥର ସରକାର ଗଠନ ପରେ ‘ଫାଇଭ-ଟି’ ଓ ‘ମୋ ସରକାର’ ଭଳି ଚିନ୍ତାଧାରା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଥାନା ଓ ଡାକ୍ତରଖାନାରେ ଲାଗୁ କରି ଲୋକଙ୍କୁ ସେମାନଙ୍କର ଅଧିକାର ପ୍ରଦାନ ଓ ସେବା ଉପଲବ୍ଧତାକୁ ସୁନିଶ୍ଚିତ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ୨୦୧୩ ଜାନୁୟାରୀ ୨ରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ଲୋକସେବା ଅଧିକାର ଆଇନ’କୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଭଳି ଲାଗୁଛି। ସତରେ କ’ଣ ଏହି ଆଇନ ଆଧାରରେ ରାଜ୍ୟ ସରକାରଙ୍କ ୨୫ଟି ବିଭାଗ ସରକାରଙ୍କ ୩୪୧ଟି ସେବାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ଯୋଗାଇବାରେ ସକ୍ଷମ ହେଉଛିି? ଗତ ୩ ବର୍ଷ ମଧ୍ୟରେ ‘ଓଡ଼ିଶା ଲୋକସେବା ଅଧିକାର ଆଇନ’ର କାର୍ଯ୍ୟକାରିତାକୁ ଦିନଟିଏ ବି ସମୀକ୍ଷା କରିନଥିବା ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ କେତେ ସଫଳ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
୨୦୧୭ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମଥର ପାଇଁ ‘ଥ୍ରୀ-ଟି’ ଫର୍ମୂଲା କଥା କହି ଶାସନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଥିବା ନବୀନ ପଟ୍ଟନାୟକ ସରକାର କ୍ରମାଗତ ପଞ୍ଚମ ଥର ଶାସନକୁ ଆସିବା ପରେ ଏହି ‘ଟି’ ସଂଖ୍ୟାକୁ ୫କୁ ବୃଦ୍ଧି କରିଥିଲେ। ‘ଫାଇଭ-ଟି’କୁ ଉଭୟ ସରକାର ଓ ପ୍ରଶାସନରେ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇ ନିଜର ବ୍ୟକ୍ତିଗତ ସଚିବଙ୍କୁ ଏହି କାର୍ଯ୍ୟକ୍ରମର ଫୁଲଟାଇମ୍ ସଚିବ ଭାବେ ମଧ୍ୟ ନିଯୁକ୍ତି ଦେଲେ। ମାତ୍ର ଏହି ଫାଇଭ୍-ଟି (ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ୍) ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାବେଳେ ଏହା ଅନ୍ତର୍ଗତ ‘ମୋ ସରକାର’ ଭଳି କାର୍ଯ୍ୟକ୍ରମକୁ ଆସନ୍ତା ଅକ୍ଟୋବର ୨ ତାରିଖରୁ ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଲୋକଙ୍କ ପାଖରେ ସରକାରକୁ ଉତ୍ତରଦାୟୀ କରିବା ଓ ‘ସରକାରରେ ଲୋକମାନେ ହିଁ ସର୍ବେସର୍ବା ତଥା ନିଜକୁ ଲୋକଙ୍କ ସରକାର ଭାବେ ପ୍ରତିପାଦନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ତଥ୍ୟାଭିଜ୍ଞ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଲୋକଙ୍କ ସରକାରର ବାସ୍ତବ ରୂପାୟନ ପାଇଁ “ଫାଇଭ-ଟି ଓ ମୋ’ ସରକାର” ଚିନ୍ତାଧାରା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ‘ଫାଇଭ-ଟି’ର ପ୍ରାୟତଃ ଏକାଧିକ ଉପାଦାନ(ଭିତ୍ତିଭୂମି)କୁ ସୁଧାରିବାରେ ସରକାର ସକ୍ଷମ ହୋଇନାହାନ୍ତି । ଟ୍ରାନ୍ସପରେନ୍ସି , ଟେକ୍ନୋଲୋଜି ଓ ଟାଇମ୍ ଭଳି ୩ପ୍ରମୁଖ ଉପାଦାନ କେବଳ କାଗଜପତ୍ର ମଧ୍ୟରେ ସୀମିତ ରହୁଛି ।
ଟେକ୍ନୋଲୋଜିର ବହୁଳ ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଂଚିବାର ପର୍ଯ୍ୟାପ୍ତ ସୁଯୋଗ ଥିଲେ ମଧ୍ୟ ‘ଟ୍ରାନ୍ସପାରେନ୍ସି’ର ଅଭାବ ଏଥିରେ ପ୍ରତିବନ୍ଧକ ସାଜିଛି। ସରକାରଙ୍କର ସମସ୍ତ କାର୍ଯ୍ୟ ବା ନିଷ୍ପତ୍ତି ରାଜ୍ୟ ବା ରାଜ୍ୟବାସୀଙ୍କ ସ୍ୱାର୍ଥସହ ଜଡ଼ିତ ଥିବାବେଳେ ଏଥିରେ ପାରଦର୍ଶିତା ରହୁନଥିବାରୁ ତାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକୂଳ ପ୍ରତିକ୍ରିୟା ପ୍ରକାଶ ପାଉଛି। ‘କାଳିଆ’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’, ‘ଖାଦ୍ୟ ସୁରକ୍ଷା ଆଇନ’, ‘ପୁରୀକୁ ଐତିହ୍ୟ ନଗର’ ଆଦି ଏହାର ସଦ୍ୟ ଉଦାହରଣ । ଟେକ୍ନୋଲୋଜି ଓ ଟ୍ରାନ୍ସପାରେନ୍ସିର ଅଭାବ ଯୋଗୁ ସରକାରୀ ୱେବସାଇଟରେ ସରକାରୀ ତଥ୍ୟ ଉପଲବ୍ଧ ହେଉନି। ଟ୍ରାନ୍ସପାରେନ୍ସି କଥା କହୁଥିବା ସରକାର ଗତ ୨ବର୍ଷ ଧରି ଭିଜିଲାନ୍ସ ବିଭାଗକୁ ସୂଚନା ଅଧିକାର ଆଇନରୁ ଦୂରେଇ ରଖି ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦେବାକୁ ବି ପଛାଇନାହାନ୍ତି। ଟିମୱାର୍କ କଥା ସରକାର କହୁଥିବାବେଳେ ମନ୍ତ୍ରିମଣ୍ଡଳର ଏଜେଣ୍ଡା ଲିକ୍ ହେବା ଭୟରେ ବୈଠକ ଦିନ ହିଁ ମନ୍ତ୍ରୀମାନଙ୍କୁ ଟେବୁଲ ଉପରେ ଦିଆଯାଉଛି ।
ଅନ୍ୟ ଏକ ଉପାଦାନ ‘ଟାଇମ୍’ କଥା ସରକାର କହୁଥିବାବେଳେ ଓଡ଼ିଶା ଲୋକସେବା ଅଧିକାର ଆଇନ-୨୦୧୨ ଆଧାରରେ ୨୫ଟି ବିଭାଗର ୩୪୧ଟି ସେବାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସରକାର ଦେବା ବାଧ୍ୟତାମୂଳକ। ଏପରିକି ଏହି ସମୟସୀମା ମଧ୍ୟରେ ସେବା ନଦେଲେ ସରକାରୀ ଅଫିସର ଦଣ୍ଡିତ ହେବାର ପ୍ରାବଧାନ ରହିଛି। ମାତ୍ର ପରିତାପର ବିଷୟ ଏହା କେବଳ କାଗଜକଲମ ମଧ୍ୟରେ ସୀମିତ ରହିଛି। ଥାନାଗୁଡ଼ିକ ଦିନକରେ ଏଫଆଇଆର କପି ଦେବା ଓ ୫ଦିନ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ଦେବା ଭଳି ମୌଳିକ ସୁବିଧା ମଧ୍ୟ ଲୋକଙ୍କୁ ମିଳିପାରୁନି। ପୁଲିସ୍ ଏବେବି ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଏଫଆଇଆର କପି ଦେବାକୁ ଟାଳଟୂଳ ନୀତି ଆପଣାଉଛି । ତେଣୁ ମୋ ସରକାର ଲାଗୁ କରିବା ପୂର୍ବରୁ “ଫାଇଭ-ଟି’ର ସମସ୍ତ ଉପାଦାନ ରାଜ୍ୟ ପ୍ରଶାସନରେ କିଭଳି ସ୍ଥିତିରେ ରହିଛି ତାହା ସରକାର ସୁନିଶ୍ଚିତ କରାଇବା ଉଚିତ ବୋଲି ସାଧାରଣ ମତ ପ୍ରକାଶ ପାଇଛି।