ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି କଟକର ସଦଗୁରୁ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଆଜି କଟକ, ଭୁବନେଶ୍ୱରରେ ଥିବା କୋଭିଡ୍ ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଭଳି ରହିଛି ସେ ନେଇ ଯାଞ୍ଚ କରାଯାଉଛି ।
ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକୁ କିପରି ବ୍ୟବହାର କରାଯିବ, ଯଦି, ନିଆଁ ଲାଗେ ତେବେ ସେଠୁ କିପରି ସୁରକ୍ଷିତ ବାହାରିପାରିବେ, ହସ୍ପିଟାଲ୍ରେ ଥିବା ଅଗ୍ନିଶମ ବ୍ୟବସ୍ଥାକୁ ସୁଚାରୁ ରୂପେ ବ୍ୟବହାର କରିବା ନେଇ ବିସ୍ତୁତ ଭାବେ ଅଭ୍ୟାସ ହୋଇଛି । ଆଜି ଅଗ୍ନିଶମ ବାହିନୀର ୮ ଜଣିଆ ଟିମ୍ ଭୁବନେଶ୍ୱରର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ PPE କିଟ୍ ପିନ୍ଧି ମକଡ୍ରିଲ ଓ ଯାଞ୍ଚ କରୁଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସଦଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ହସ୍ପିଟାଲରେ ଥିବା ୧୨୭ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ୍ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ଚିଫ୍ ଫାୟାର ଅଫିସର୍, ସିଏମ୍ସି କମିଶନର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଦଗୁରୁ ହସ୍ପିଟାଲକୁ ଫାୟାର ଲାଇସେନ୍ସ ଦିଆଯାଇନାହିଁ। ଇନ୍ସପେକ୍ସନ କରାଯାଇ ଅସୁବିଧା ଦୂର ପାଇଁ କୁହାଯାଇଥିଲା । ଆବଶ୍ୟକ ବ୍ୟବସ୍ଥା କରିବାକୁ ହସ୍ପିଟାଲକୁ ନୋଟିସ କରାଯାଇଥିଲା। ହେଲେ ବ୍ୟବସ୍ଥା କରିପାରିନଥିବାରୁ ଲାଇସେନ୍ସ ଦିଆଯାଇନାହିଁ। ତେବେ ସୌଭାଗ୍ୟବଶଃତ ଗତକାଲି ସେମାନଙ୍କର ଅଗ୍ନି ନିରାପତ୍ତା ବ୍ୟବସ୍ଥା କାମ କରିଥିବାରୁ ନିଆଁ ବେଶି ବ୍ୟାପିନଥିବା କହିଥିଲେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ।